ସରକାରୀ କର୍ମଚାରୀଙ୍କୁ ମାସିକ ଚାନ୍ଦା ଦେଉଥିଲେ ବାଜେ

ନୂଆଦିଲ୍ଲୀ : ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖାଯିବ ଓ ଥାଣେସ୍ଥିତ ବ୍ୟବସାୟୀ ମୁନସୁଖ ହିରେନଙ୍କ ମୃତ୍ୟୁ ଘଟଣା ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) କେତେକ ନୂଆ ତଥ୍ୟ ହାସଲ କରିଛି। ଏହି ଦୁଇ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ମୁମ୍ବଇର ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେ ସରକାର କର୍ମଚାରୀଙ୍କୁ ମାସିକ ଚାନ୍ଦା ଦେଇ ନିଜର କଳାକାରବାର ଚଳାଇ ଆସୁଥିଲେ। ଏପରିକି ମୁମ୍ବଇ ପୁଲିସର କେତେକ କର୍ମଚାରୀ ମଧ୍ୟ ସଚିନଙ୍କ ମାସିକ ଚାନ୍ଦା ପାଉଥିଲେ। ସଚିନ ବାଜେ ଏବେ ଏନଆଇଏ ହେପାଜତରେ ଅଛନ୍ତି। ମୁକେଶଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖାଯିବା ପଛରେ ଆତଙ୍କବାଦର ସମ୍ପୃକ୍ତି ରହିଛି କି ନାହଁି ତା’ ଉପରେ ଏନଆଇଏ ଦୃଷ୍ଟି ନିବଦ୍ଧ କରିଛି। ସଚିନ ସରକାରୀ ଅଧିକାରୀଙ୍କ ଚାନ୍ଦା ଦେବା ନେଇ ଜଣାପଡିବା ପରେ ଏହି ଦିଗ ଉପରେ ଆୟକର ବିଭାଗ ତଦନ୍ତ କରିବାର ସମ୍ଭାବନା ରହିଛି। ତଦନ୍ତରୁ ଜଣାଯାଇଛି ଯେ ବାଜେ ଗିରଫ ହେବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୬.୫ଲକ୍ଷ ଟଙ୍କା ଉଠାଯାଇଛି। ଡେଭଲପ୍‌ମେଣ୍ଟ କ୍ରେଡିଟ୍ ବ୍ୟାଙ୍କ (ଡିସିବି)ରେ ଥିବା ଜଏଣ୍ଟ ଆକାଉଣ୍ଟରୁ ଏହି ଟଙ୍କା ଉଠାଯାଇଛି। ଏହା ସହିତ ବ୍ୟାଙ୍କ ଲକରରେ ଥିବା ଟଙ୍କା ଓ ଆପତ୍ତିଜନକ କାଗଜପତ୍ରକୁ ମଧ୍ୟ କେହି ଉଠାଇ ନେଇଛି।

Comments are closed.