କରୋନା ମୁକାବିଲା ପାଇଁ ତେନ୍ଦୁଲକର ଦେଲେ ୫୦ ଲକ୍ଷ ଟଙ୍କା

ମୁମ୍ବଇ : କରୋନା ଭାଇରସ୍‌ ସଂକ୍ରମଣ ରୋକିବା ସହ ସଂକ୍ରମିତଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାକୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଏଥିପାଇଁ ସରକାରଙ୍କ ବ୍ୟାପକ ଅର୍ଥ ବ୍ୟୟ ହେଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି କ୍ରୀଡ଼ାବିତ୍‌, ସିନେ ତାରକା ଓ ଉଦ୍ୟୋଗପତି।
କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତିକୁ ମୁକାବିଲା କରିବାରେ ସରକାରଙ୍କୁ ସହାୟତା ପାଇଁ ଶୁକ୍ରବାର ଆଗେଇ ଆସିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଶୁକ୍ରବାର ତେନ୍ଦୁଲକର ୫୦ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୨୫ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଓ ୨୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଭାରତୀୟ କ୍ରୀଡ଼ାବିତ୍‌ ବର୍ତ୍ତମାନ ସୁଦ୍ଧା ଯେତିକି ଟଙ୍କା ଦାନ କରିଛନ୍ତି ତାହା ମଧ୍ୟରେ ତେନ୍ଦୁଲକରଙ୍କ ଦାନର ପରିମାଣ ସର୍ବାଧିକ। ଗୁରୁବାର ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ କରୋନା ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ତେନ୍ଦୁଲକର ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଜଡ଼ିତ ରହିଥିଲେ ମଧ୍ୟ ଅଧିକାଂଶ ବିଷୟ ଗଣମାଧ୍ୟମ ଦୃଷ୍ଟିରୁ ଦୂରେଇ ରଖିବାକୁ ଚେଷ୍ଟା କରିଥାନ୍ତି।
ଇତିମଧ୍ୟରେ ଦୁଇ କ୍ରିକେଟର୍‌ ଇର୍ଫାନ୍‌ ଓ ୟୁସୁଫ ପଠାନ୍‌ ବରୋଦା ପୁଲିସ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କର୍ମଚାରୀଙ୍କୁ ୪୦୦୦ ମାସ୍କ ବାଣ୍ଟି ଥିବା ଜଣାପଡ଼ିଛି। ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଓ ମହିଳା ସ୍ପ୍ରିଣ୍ଟର୍‌ ହିମା ଦାସ ମଧ୍ୟ ସହାୟତାରେ ହାତ ବଢ଼ାଇଛନ୍ତି।

Comments are closed.