କୋହଲିଙ୍କୁ ସଚିନଙ୍କ ପରାମର୍ଶ: ଭଲ କ୍ରିକେଟ ଖେଳିଚାଲ

0

ଲଣ୍ଡନ : ତାଙ୍କ ୨୪ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ ଭାରତୀୟ ବ୍ୟାଟିଂର ଭାର ନିଜ କାନ୍ଧରେ ବହନ କରିଥିଲେ ସଚିନ ତେନ୍ଦୁଲକର। ଏବେ ଅଧିନାୟକ ବିରାଟ କୋହଲି ଠିକ୍‍ ସେଇଆ କରୁଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‍ରେ କୋହଲି ୧୪୯ ଓ ୫୧ ରନ୍‍ର ଇନିଂସ ଖେଳିବା ସତ୍ତ୍ବେ ଭାରତ ୩୧ ରନ୍‍ରେ ପରାସ୍ତ ହୋଇଥିଲା। ଏହାକୁ ଦେଖି କୋହଲିଙ୍କୁ କିଛି ପରାମର୍ଶ ଦେଇଛନ୍ତି ତାଙ୍କ ଆଦର୍ଶ ସଚିନ ତେନ୍ଦୁଲକର।
ଏହି ଲିଟ୍‍ଲ ମାଷ୍ଟର କହିଛନ୍ତି, ତୁମେ ଏବେ ଚମତ୍କାର କ୍ରିକେଟ ଖେଳୁଛ। ଏପରି କ୍ରିକେଟ ଖେଳିବା ଜାରିରଖ। ତୁମ ଚାରିପଟେ କ’ଣ ଘଟୁଛି; ସେଥିନେଇ କୌଣସି ଚିନ୍ତା କରନାହିଁ। ତୁମେ କ’ଣ ହାସଲ କରିବାକୁ ଚାହଁ; ତାହା ଉପରେ ଧ୍ୟାନ ଦିଅ। ତୁମ ହୃଦୟ ତୁମକୁ ରାସ୍ତା ଦେଖାଇବ। ତୁମର ଯାହା ଲକ୍ଷ୍ୟ ରହିଛି; ତାହାକୁ ନେଇ ଉତ୍ସାହିତ ରୁହ। ତୁମ ବିଷୟରେ ବହୁତ କଥା କୁହାଯିବ ଏବଂ ତୁମକୁ ବହୁତ କଥା କରିବାକୁ ପରାମର୍ଶ ଦିଆଯିବ। ତେବେ ତୁମ ଲକ୍ଷ୍ୟ ପ୍ରତି ଉତ୍ସାହୀ ରହିଲେ ଭଲ ଫଳାଫଳ ଆପେଆପେ ମିଳିବ। ବିଶ୍ୱର ସମସ୍ତ ଦେଶରେ କୋହଲି ଟେଷ୍ଟ ଶତକ ମାରିଥିବା ବେଳେ ଇଂଲଣ୍ଡରେ ଅର୍ଦ୍ଧଶତକ ମଧ୍ୟ ମାରିନଥିଲେ। ତେବେ ବର୍ମିଂହାମ୍‍ ଟେଷ୍ଟରେ କୋହଲି ଶତକ ମାରିଛନ୍ତି। ଏତିକିରେ ସନ୍ତୁଷ୍ଟ ନହୋଇ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବା ଲାଗି କୋହଲିଙ୍କୁ ସଚିନ ପରାମର୍ଶ ଦେଇଛନ୍ତି। ସଚିନ କହିଛନ୍ତି, ନିଜ ଅଭିଜ୍ଞତାରୁ କହୁଛି ଯେ ତୁମେ ଯେତେ ରନ୍‍ ସ୍କୋର୍‍କଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ତୁମେ ଆହୁରି ଅଧିକ ରନ୍‍ ସ୍କୋର୍‍ କରିବାକୁ ଚାହିଁବ। ପ୍ରଦର୍ଶନରେ ଯେତେବେଳେ ତୁମେ ସନ୍ତୁଷ୍ଟ ହୋଇଯିବ; ତୁମର ପତନ ଆରମ୍ଭ ହୋଇଯିବ। ବ୍ୟାଟ୍‍ସମ୍ୟାନ୍‍ ଭାବେ ତୁମେ ଖୁସି ହୋଇପାର। ତେବେ ବ୍ୟାଟ୍‍ସମ୍ୟାନ ଭାବେ କଦାପି ସନ୍ତୁଷ୍ଟ ହୁଅନାହିଁ। ବୋଲର ସର୍ବାଧିକ ୧୦ଟି ୱିକେଟ ନେଇପାରନ୍ତି। ତେବେ ବ୍ୟାଟ୍‍ସମ୍ୟାନଙ୍କ ସ୍କୋରର କୌଣସି ସୀମା ନାହିଁ। ତେଣୁ ସନ୍ତୁଷ୍ଟ ନହୋଇ ଖୁସିରେ ଖେଳିଚାଲ।

Leave A Reply