ସଚିନ୍‍ଙ୍କ ରେକର୍ଡ ଭାଙ୍ଗିବା ଦ୍ୱାରରେ କୋହଲି

0

ନୂଆଦିଲ୍ଲୀ : ଚଳିତମାସ ୨୧ରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ଦଳ ବିପକ୍ଷରେ ଘରୋଇ ଭାରତ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଖେଳିବ। ଏହି ସିରିଜ୍‍ରେ ଭାରତୀୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କର ଏକ ରେକର୍ଡ ଭାଙ୍ଗିବା ଦ୍ୱାରରେ ଭାରତୀୟ ଅଧିନାୟକ ବିରାଟ କୋହଲି ପହଞ୍ଚିଛନ୍ତି। ଏହି ସିରିଜ୍‍ରେ ଆଉ ମାତ୍ର ୧୮୭ ରନ୍‍ କରିପାରିଲେ କୋହଲି ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଦିନିକିଆ କ୍ରିକେଟ୍‍ରେ ଭାରତ ପାଇଁ ସର୍ବକାଳୀନ ସର୍ବାଧିକ ରନ୍‍ ସ୍କୋରର ହୋଇପାରିବେ।
ଦିନିକିଆ କ୍ରିକେଟ୍‍ରୁ ଅବସର ନେଇ ସାରିଥିବା ସଚିନ ତେନ୍ଦୁଲକର ୨ ଦଶନ୍ଧି ଧରି ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୩୯ଟି ଦିନିକିଆ ମ୍ୟାଚ୍‍ ଖେଳି ୫୨.୭୩ ଆଭ୍‍ରେଜ୍‍ରେ ୪ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସହ ୧୫୭୩ ରନ୍‍ ସ୍କୋର୍‍ କରିଛନ୍ତି। ଅଦ୍ୟାବଧି ବିରାଟ କୋହଲି ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୨୭ଟି ଦିନିକିଆ ମ୍ୟାଚ୍‍ ଖେଳି ୬୦.୩୦ ଆଭ୍‍ରେଜ୍‍ରେ ୪ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହ ୧୩୮୭ ରନ୍‍ ସ୍କୋର୍‍ କରିଛନ୍ତି। ଏହି ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼। ୪୦ଟି ଦିନିକିଆରୁ ୪୨.୧୨ ଆଭ୍‍ରେଜ୍‍ରେ ଦ୍ରାବିଡ଼ ୩ଟି ଶତକ ଓ ୮ଟି ଅର୍ଦ୍ଧଶତକ ସହ ୧୩୪୮ ରନ୍‍ କରିଛନ୍ତି। ଅନ୍ୟ ଜଣେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୨୭ଟି ଦିନିକିଆ ମ୍ୟାଚ୍‍ରୁ ୧୧୪୨ ରନ୍‍, ମହମ୍ମଦ ଆଝାରୁଦ୍ଦିନ୍‍ ୪୩ଟି ଦିନିକିଆରୁ ୯୯୮ ରନ୍‍, ଯୁବରାଜ ସିଂହ ୩୧ଟି ଦିନିକିଆ ମ୍ୟାଚ୍‍ରୁ ୯୭୮ ରନ୍‍ ଓ ମହେନ୍ଦ୍ର ସିଂହ ଧୋନି ୩୩ଟି ଦିନିକିଆ ମ୍ୟାଚ୍‍ରୁ ୮୯୯ ରନ୍‍ ସ୍କୋର୍‍ କରିଛନ୍ତି। ତେବେ ଏହା ସତ ଯେ ପୂର୍ବରୁ ୱେଷ୍ଟଇଣ୍ଡିଜ୍‍ର ଯେପରି ମଜ୍‍ଭୁତ ବୋଲିଂ ଥିଲା; ତାହା ଏବେ ନାହିଁ।

Leave A Reply