ଜଣ୍ଟି ରୋଡ୍ସଙ୍କ ହାତକୁ ବଲ୍ ଗଲେ ରନ୍ ନେବାକୁ ଭୟ ଲାଗୁଥିଲା : ସଚିନ

ନୂଆଦିଲ୍ଲୀ : ବିଶ୍ୱ କ୍ରିକେଟରେ ଜଣ୍ଟି ରୋଡ୍ସ ଅଦ୍ୱିତୀୟ ଫିଲଡର। ତାଙ୍କର ବିକଳ୍ପ ନାହିଁ। ସେ ପଡ଼ିଆରେ ଫିଲ୍ଡିଂ କରୁଥିବାବେଳେ ରନ୍ ନେବା ବ୍ୟାଟ୍ସମ୍ୟାନଙ୍କ ଲାଗି ବଡ ଆହ୍ୱାନ ହୋଇଥାଏ। ତାଙ୍କ ହାତକୁ ବଲ ଗଲେ କ୍ରିଜ୍ରୁ ଗୋଡ କାଢିବାକୁ ଭୟ ଲାଗୁଥିଲା ବୋଲି କହିଛନ୍ତି ମାଷ୍ଟରବ୍ଲାଷ୍ଟର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ମଙ୍ଗଳବାର ଜଣ୍ଟି ରୋଡ୍ସଙ୍କ ୫୧ତମ ଜନ୍ମ ଦିବସ ଅବସରରେ ସଚିନ ଶୁଭେଚ୍ଛା ଜଣାଇଥିଲେ। ଟ୍ୱିଟ୍ କରି ସଚିନ ଜଣ୍ଟିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତୁମକୁ ପଡ଼ିଆରେ ଦେଖିଲେ ଭୟ ଲାଗୁଥିଲା ବୋଲି ଉଲ୍ଲେଖ କରିଛନ୍ତି। ଜଣ୍ଟି ଆଇପିଏଲ ଦଳ ମୁମ୍ବଇ ଇଣ୍ଡିଆନ୍ସର ଫିଲ୍ଡିଂ ପ୍ରଶିକ୍ଷକ ରହିଛନ୍ତି। ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳିବା ସମୟରେ ଜଣ୍ଟିଙ୍କଠାରୁ ଫିଲ୍ଡିଂରେ କିଛି ଶିଖିବାକୁ ମିଳିଥିଲା। ରନ୍ ଆଉଟ୍ ହେବା ପ୍ରତ୍ୟେକ ବ୍ୟାଟ୍ସମ୍ୟାନକୁ ସବୁଠାରୁ ବ୍ୟାଥିତ କରିଥାଏ। ଜଣ୍ଟିଙ୍କ ଭଳି ଫିଲଡରଙ୍କ ହାତକୁ ବଲ୍ ଯିବା ମାତ୍ରେ ରନ୍ କଥା ଭୁଲି ଯାଉଥିଲି। ତାଙ୍କ ନିକଟରୁ ରନ୍ ନେବା ବହୁତ କଷ୍ଟକର ବୋଲି ସଚିନ୍ କହିଛନ୍ତି। ଜଣେ ମହାନ୍ ଫିଲଡର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୩୯ଟି କ୍ୟାଚ ଧରିଛନ୍ତି। ତାଙ୍କ ନିକଟରୁ କ୍ୟାଚ ହାତଛଡ଼ା ଜଣେ ବ୍ୟାଟ୍ସମ୍ୟାନ ନିଜକୁ ଭାଗ୍ୟବାନ ମନେ କରୁଥିଲା ବୋଲି ସଚିନ୍ କହିଛନ୍ତି। ସୂଚନାଯୋଗ୍ୟ ଜଣ୍ଟି ୫୨ଟି ଟେଷ୍ଟ ଓ ୨୪୫ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି। ୧୯୯୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ମ୍ୟାଚରେ ୫ଟି କ୍ୟାଚ ଧରି ବିରଳ ରେକର୍ଡ ସୃଷ୍ଟି କରିଥିଲେ।