ବିଜେଡି ଯୁବନେତା ସବ୍ୟସାଚୀ ମହାପାତ୍ର ନିଲମ୍ବିତ

ନୀଳଗିରି: ଦଳରେ ଥାଇ ଦଳ ବିରୋଧି କାର୍ଯ୍ୟ କରିବା ତଥା ସାମାଜିକ ଗଣମାଧ୍ୟମରେ ବରିଷ୍ଠ ନେତାଙ୍କ ବିରୋଧରେ ଅରୁଚିକର ଶବ୍ଦ ପ୍ରୟୋଗ କରି ଦଳକୁ ବଦନାମ କରୁଥିବା ଅଭିଯୋଗରେ ଶନିବାର ରାତିରେ ନୀଳଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ଯୁବବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର ଓରଫ ଟୁବ୍ଲୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବାଲେଶ୍ୱର ଜିଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ଅନୁମୋଦନକ୍ରମେ ନୀଳଗିରି ନିର୍ବାଚନମଣ୍ଡଳୀ ନେତା ସନ୍ତୋଷ ଖଟୁଆଙ୍କ ନିର୍ଦେଶରେ ତଥା ରାଜ୍ୟ ବିଜେଡି ସହସମ୍ପାଦକ ଗତିକୃଷ୍ଣ ନନ୍ଦ ଏବଂ ନୀଳଗିରି ନିର୍ବାଚନମଣ୍ଡଳୀର ବରିଷ୍ଠ ନେତାଙ୍କ ପରମର୍ଶକ୍ରମେ ଏହି ନିଷ୍ପତି ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ନିଲମ୍ବିତ ସମ୍ପର୍କରେ ବିଜେଡିର ନୀଳଗିରି ନଗର ସଭାପତି ରବୀନ୍ଦ୍ର ପରିଡ଼ା ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ଅପରପକ୍ଷରେ ଏ ସମ୍ପର୍କରେ ଯୁବନେତା

ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ, ସେ ବିଜେଡି ଦଳରେ ରହି ସଦାସର୍ବଦା ଲୋକସେବା କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ ଏହି ଜନସେବା ଜାରି ରଖିବେ। ତାଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ଭଲପାଇବାକୁ ଯେତେ ବାଧା ଆସିଲେ ବି ଆଗକୁ କମିବନି। କେତେକ ଦଳୀୟ ନେତା ଇର୍ଷାନ୍ୱିତ ହୋଇ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି।

Comments are closed.