ବାଧାଦୌଡ଼ର ନୂଆ ପ୍ରତିଭା ସବିତା

କଟକ: ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍‌ ହାଇପର୍ଫମାନ୍ସ ସେଣ୍ଟର ଭୁବନେଶ୍ବର ପ୍ରତିଭାବାନ୍ ଆଥ୍‌ଲେଟ୍‌ ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି। ନିକଟରେ ହାଇପର୍ଫମାନ୍ସ ସେଣ୍ଟର ପକ୍ଷରୁ ପ୍ରତିଷ୍ଠାନର ପିଲାମାନଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ବାଧାଦୌଡ଼ ଧାବିକା ସବିତା ଟପ୍ପୋ ୧୦୦ ମିଟର ବାଧାଦୌଡ଼କୁ ଶ୍ରେଷ୍ଠ ଟାଇମିଂ ୧୪.୫୪ ସେକେଣ୍ଡରେ ଅତିକ୍ରମ କରିଥିଲେ। ପ୍ରତିଷ୍ଠାନର ପ୍ରଶିକ୍ଷକ ଜେମ୍ସ ହିଲାର କହିଛନ୍ତି ଯେ, ସବିତାଙ୍କ ପ୍ରଦର୍ଶନ ଦେଖି ମୁଁ ଉତ୍ସାହିତ ଅଛି। ତାଙ୍କ ପ୍ରଥମ ପ୍ରତିଯୋଗିତା ପ୍ରଦର୍ଶନ ପରେ ଏବେ ବହୁତ ଉନ୍ନତି କରିଛନ୍ତି। ତାଙ୍କ ନିକଟରେ ଜଣେ ଭଲ ଧାବିକା ହେବା ନେଇ ଦକ୍ଷତା ରହିଛି। ସେ ଦିନକୁ ଦିନ ନିଜ ପ୍ରଦର୍ଶନରେ ଉନ୍ନତି କରୁଛନ୍ତି ବୋଲି ହିଲାର କହିଛନ୍ତି।

ସୁନ୍ଦରଗଡ଼ର ସବିତା ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ୨୦୧୮ରେ ରୋହତକ୍‌ରେ ଆୟୋଜିତ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ସଫଳତା ହାସଲ କରିଥିଲେ। ଗତବର୍ଷ ଗୁଣ୍ଟୁରରେ ଆୟୋଜିତ ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ୍‌ରେ ୧୬ ବର୍ଷରୁ କମ୍‌ ପେଣ୍ଟାଥଲନରେ ସ୍ବର୍ଣ୍ଣ, ଲଙ୍ଗଜମ୍ପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ମୁମ୍ବଇରେ ଆୟୋଜିତ ରିଲାଏନ୍ସ ଫାଉଣ୍ଡେସନ ୟୁଥ୍‌ ସ୍ପୋଟର୍ସ ଜାତୀୟ ଦୌଡ଼କୁଦ ଚମ୍ପିଆନସିପ୍‌ରେ ମଧ୍ୟ ଭାଗ ନେଇଥିଲେ।

Comments are closed.