୭ ୱିକେଟରେ ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ

୨ୟ ଟେଷ୍ଟ: ଏଲ୍‌ଗାରଙ୍କ ଲଢ଼ୁଆ ୯୬* ; ଜୋହାନସବର୍ଗରେ ଭାରତର ପ୍ରଥମ ପରାଜୟ

ଜୋହାନସବର୍ଗ  : ଟେଷ୍ଟ କ୍ରିକେଟ୍‌ରେ ବିଦେଶରେ ଭାରତ ପାଇଁ ଅଭେଦ୍ୟ ଦୁର୍ଗ ହୋଇ ରହିଥିବା ଜୋହାନସବର୍ଗକୁ ଭେଦ କରିପାରିଛି ଘରୋଇ ଦକ୍ଷିଣ ଆଫ୍ରିକା ଦଳ। ଏହି ମ୍ୟାଚ୍‌ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନସବର୍ଗରେ ୫ଟି ଟେଷ୍ଟମ୍ୟାଚ୍‌ ଖେଳା ଯାଇଥିବା ବେଳେ ଭାରତ ୨ ଥର ଜିତିଥିଲା। ଏହା ଦକ୍ଷିଣ ଆଫ୍ରିକାର ଏକମାତ୍ର ଷ୍ଟାଡିୟମ୍‌; ଯେଉଁଠାରେ ଭାରତକୁ ଟେଷ୍ଟ କ୍ରିକେଟ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ଆଦୌ ପରାସ୍ତ କରିନଥିଲା। ହେଲେ ୬ଷ୍ଠ ପ୍ରୟାସରେ ଏଠାରେ ଭାରତକୁ ଦକ୍ଷିଣ ଆଫ୍ରିକା ପରାସ୍ତ କରିପାରିଛି। ଅଧିନାୟକ ଡିନ୍ ଏଲ୍‌ଗାରଙ୍କ ଅପରାଜିତ ୯୬ ରନ୍‌ ବଳରେ ଗୁରୁବାର ୪ର୍ଥ ଦିନରେ ସମାପ୍ତ ହୋଇଥିବା ୨ୟ ଟେଷ୍ଟମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଜିତିନେଇଛି। ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୨୪୦ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ବେଳେ ୪ର୍ଥ ଦିନରେ ୩ ୱିକେଟ ହରାଇ ମ୍ୟାଚ୍‌ ଜିତିନେଇଛି। ଫଳରେ ୩ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ପହଞ୍ଚି ଯାଇଛି। ନିର୍ଣ୍ଣାୟକ ୩ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ୧୧ରୁ କେପ୍‌ଟାଉନ୍‌ରେ ଖେଳାଯିବ।
ପ୍ରଥମଥର ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶୃଙ୍ଖଳା ଜିତିବା ପାଇଁ ଗୁରୁବାର ୪ର୍ଥ ଦିନରେ ଭାରତକୁ ୮ଟି ୱିକେଟ ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଜୋହାନବର୍ଗରେ ପ୍ରଥମଥର ଭାରତକୁ ଟେଷ୍ଟମ୍ୟାଚ୍‌ରେ ହରାଇବା ପାଇଁ ଘରୋଇ ଦକ୍ଷିଣ ଆଫ୍ରିକା ୧୨୨ ରନ୍‌ ଆବଶ୍ୟକ କରୁଥିଲା। ମ୍ୟାଚ୍‌ ଜିତିବା ଲାଗି ଦକ୍ଷିଣ ଆଫ୍ରିକା ୨୪୦ ରନ୍‌ର ପିଛା କରୁଥିଲା। ୩ୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୧୧୮ ରନ୍‌କରି ୨ଟି ୱିକେଟ ହରାଇଥିଲା। ତେବେ ୪ର୍ଥ ଦିନର ପ୍ରଥମ ୨ଟି ଅଧିବେଶନ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ଭାରତୀୟ ସମୟ ସନ୍ଧ୍ୟା ୭.୧୫ରେ ଖେଳ ଆରମ୍ଭ ହୋଇଥିବା ବେଳେ ମେଘୁଆ ବାତାବରଣର ଫାଇଦା ଭାରତୀୟ ପେସ୍‌ ବୋଲର ଉଠାଇ ପାରିନଥିଲେ। ୪ର୍ଥ ଦିନରେ ୨୭.୪ ଓଭର ଖେଳରେ ଭାରତୀୟ ବୋଲର ମାତ୍ର ଗୋଟିଏ ୱିକେଟ ନେଇ ପାରିଥିଲେ। ଭାରତୀୟ ବିଜୟରେ କଣ୍ଟା ସାଜିଥିବା ବାମହାତି ଡିନ୍‌ ଏଲ୍‌ଗାର ଦଳକୁ ମ୍ୟାଚ୍‌ ଜିତାଇ ଅପରାଜିତ ରହିଥିଲେ। ୩ୟ ୱିକେଟ ପାଇଁ ଏଲ୍‌ଗାର ଓ ରାସି ଭାନ୍ ଡର ଡ୍ୟୁସେନ୍ ୮୨ ରନ୍‌ ଯୋଗକରି ଦଳକୁ ବିଜୟର ନିକଟବର୍ତ୍ତୀ କରିଥିଲେ। ଡ୍ୟୁସେନ୍ ୫ଟି ଚୌକା ସହ ଲଢ଼ୁଆ ୪୦ ରନ୍‌ କରି ଆଉଟ ହୋଇଥିଲେ। ବିଜୟ ପାଇଁ ଆଉ ୬୫ ରନ୍‌ ଆବଶ୍ୟକ ଥିବା ବେଳେ ଭାରତ ଏଲ୍‌ଗାର ଓ ବାଭୁମାଙ୍କୁ ଆଉଟ୍‌ କରି ପାରିନଥିଲା। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୬୮ ରନ୍‌ ଯୋଗକରି ଦଳକୁ ଏହି ଐତିହାସିକ ବିଜୟ ଦେଇଛନ୍ତି। ବାଭୁମା ୩ଟି ଚୌକା ସହ ୨୩ ରନ୍‌ କରିଥିଲେ। ଏକାଧିକ ଥର ଶରୀରରେ ବଲ୍‌ ବାଜିବା ସତ୍ତ୍ବେ ଡିନ୍ ଏଲ୍‌ଗାର ପ୍ରାଚୀର ପରି କ୍ରିଜ୍‌ରେ ଛିଡ଼ା ହୋଇଥିଲେ। ଏଲ୍‌ଗାର ୧୮୮ ବଲ୍‌ରୁ ୧୦ଟି ଚୌକା ସହ ୯୬ ରନ୍‌କରି ଅପରାଜିତ ଥିଲେ। ପୂରା ମ୍ୟାଚ୍‌ରେ ଯଶପ୍ରୀତ ବୁମ୍‌ରା ମାତ୍ର ଗୋଟିଏ ୱିକେଟ ନେବା ଦଳକୁ ନିରାଶ କରିଛି। ଡିନ୍‌ ଏଲ୍‌ଗାର ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ।

Comments are closed.