ଜୁନ୍‍ରୁ ଭାରତ ସୀମା ଜଗିବ ଏସ୍‌-୪୦୦

ଚୀନକୁ ଚେକ୍‌ ଦେବାକୁ ଅତିରିକ୍ତ ୫୦ହଜାର ସୈନ୍ୟ ମୁତୟନ

ନୂଆଦିଲ୍ଲୀ/ଲେହ : ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନର ଦାଦାଗିରି ଏବଂ ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବା ସକାଶେ ଭାରତ ଆସନ୍ତା ମାସରେ ଚୀନ ଓ ପାକିସ୍ତାନ ସୀମାରେ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ କରିବାକୁ ଯାଉଛି। ରୁଷରୁ ଏହି କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା ଭାରତକୁ ଗତବର୍ଷ ଡିସେମ୍ବରରୁ ମିଳିବା ଆରମ୍ଭ ହୋଇଛି। ତାହାସହିତ ଭାରତ ପରିବର୍ତ୍ତିତ ଭୂରାଜନୈତିକ ପରିସ୍ଥିତିରେ ତାହାର ସ୍ଥଳସେନା, ନୌ ସେନା ଏବଂ ବାୟୁସେନାର ବ୍ୟାପକ ଆଧୁନିକିକରଣ କାର୍ଯ୍ୟ ହାତକୁ ନେଇଛି। ଏସବୁ ସହିତ ଭାରତ ଅତ୍ୟନ୍ତ ଗୋପନୀୟ ଭାବରେ ନିଜର ଆଣବିକ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଅଧିକ ସୁଦୃଢ କରୁଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଗୋଇନ୍ଦା ଅଧିକାରୀ ଲେଫ୍‍ଟନାଣ୍ଟ ଜେନେରାଲ ସ୍କଟ ବେରିଅର୍‍ କହିଛନ୍ତି। ଆମେରିକା କଂଗ୍ରେସ ନିକଟରେ ପ୍ରକାଶ କରି ବେରିଅର କହିଛନ୍ତି, ଭାରତ ନିଜର ହାଇପରସୋନିକ, ବାଲିଷ୍ଟିକ, କ୍ରୁଜ କ୍ଷେପଣାସ୍ତ୍ର ସହିତ ଆତ୍ମରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥାରେ ନିରନ୍ତର ବିକାଶ ଘଟାଇ ଚାଲିଛି। ତାହାସହିତ ଭାରତ ସ୍ୱଦେଶୀ ସ୍ତରରେ ପ୍ରତିରକ୍ଷା ଉତ୍ପାଦନକୁ ମଧ୍ୟ ଅଗ୍ରାଧିକାର ଦେବା ଆରମ୍ଭ କରିଛି। ଇତିମଧ୍ୟରେ ଭାରତୀୟ ସେନା ସ୍ୱଦେଶୀ ନିର୍ମିତ ଆଉ ୧୨ଟି ଅସ୍ତ୍ରଶସ୍ତ୍ର ଠାବକାରୀ ରାଡାର ‘ସ୍ୱାଥୀ’ ଖରିଦ କରିବାକୁ ନିଷ୍ପତ୍ତି ନେଇଛି। ସେଗୁଡିକୁ ଚୀନ ସୀମାରେ ମୁତୟନ କରାଯିବ। ଏହି ଅତ୍ୟାଧୁନିକ ରାଡାର ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ କରାଯାଇଛି। ଏହି ରାଡାର ପରୀକ୍ଷା ସମୟରେ ବିଶେଷ ସଫଳତା ପ୍ରଦର୍ଶନ କରିଛି ଏବଂ ଆର୍ମେନିଆକୁ ଏହା ରପ୍ତାନି କରାଯାଇସାରିଛି। ଏହି ରାଡାର ୫୦ କିଲୋମିଟର ଦୂରତା ମଧ୍ୟରେ ରହିଥିବା ଶତ୍ରୁପକ୍ଷର ମୋର୍ଟାର, ଶେଲ୍‍ ଏବଂ ରକେଟ ଆଦିର ଅବସ୍ଥିତି ସଠିକ ଭାବରେ ଠାବ କରିବାକୁ ସମର୍ଥ। ଭାରତୀୟ ସେନା ଏହି ରାଡାରକୁ ଜମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ବ୍ୟବହାର କରୁଛି। ଭାରତୀୟ ସେନା ମଧ୍ୟ ଚୀନର ବର୍ଦ୍ଧିତ ଗତିବିଧି, କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଲଦାଖରୁ ଅରୁଣାଚଳ ପର୍ଯ୍ୟନ୍ତ ୫୦ ହଜାର ଅଧିକ ସୈନ୍ୟଙ୍କୁ ନିକଟରେ ମୁତୟନ କରିଛି। ବସ୍ତୁତଃ ଏଲଏସିରେ ସମ୍ପ୍ରତି ଭାରତୀୟ ସେନା ଚୀନକୁ ଘେରିବା ଆରମ୍ଭ କରିଛି।
ଅନ୍ୟପକ୍ଷରେ ଚୀନ ପୂର୍ବ ଲଦାଖରେ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପାଙ୍ଗୋଙ୍ଗ ସୋ ହ୍ରଦରେ ଦ୍ୱିତୀୟ ସେତୁ ନିର୍ମାଣ କରୁଥିବା ଉପଗ୍ରହ ଚିତ୍ରରୁ ସୂଚନା ମିଳିଛି। ପରିସ୍ଥିତି ଉପରେ ନଜର ରଖିଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‍ଚି କହିଛନ୍ତି, ସରକାର ଏଲଏସିରେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଏବଂ ଚୀନ ପକ୍ଷଙ୍କ ସହିତ ଆଲୋଚନା ମଧ୍ୟ ଜାରି ରହିଛି। ଜଣାଯାଇଛି ଯେ ଏହି ସେତୁ ନିର୍ମାଣ ଦ୍ୱାରା କୌଣସି ବିବାଦ ସମୟରେ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‍ଏ) ଖୁବଶୀଘ୍ର ଏଲଏସିରେ ପହଞ୍ଚିପାରିବେ। ଏହି ସେତୁ ଏଲଏସିରୁ ପ୍ରାୟ ୨୦ କିଲୋମିଟର ଦୂରରେ ନିର୍ମାଣ କରାଯାଉଥିବା ରିପୋର୍ଟରୁ ଜଣାଯାଇଛି। ପୂର୍ବରୁ ଏହା ପାଙ୍ଗୋଙ୍ଗ ହ୍ରଦ ଉପରେ ଏକ ସେତୁ ନିର୍ମାଣ କରିବା ସହିତ ତାହାକୁ ସଂଯୋଗକାରୀ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିଛି। ଚୀନ ଇତିମଧ୍ୟରେ ଏଲଏସି ଆରପଟେ ପକ୍କା ସଡକ ସହିତ ଏକାଧିକ ବିମାନଘାଟୀ ଏବଂ ହେଲିପ୍ୟାଡ ନିର୍ମାଣ କରିଛି। ଏଥିସହିତ ଏହା ଅରୁଣାଚଳକୁ ଲାଗି ଗ୍ରାମ ନିର୍ମାଣ ସାଙ୍ଗକୁ ବସତି ସ୍ଥାପନ କରିଛି, ଯାହାକୁ ଦ୍ୱୈତ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲକ୍ଷ୍ୟ ରଖିଛି। ଭାରତ ମଧ୍ୟ ନିଜର ସାମରିକ ପ୍ରସ୍ତୁତିରେ ବୃଦ୍ଧି ଘଟାଇବାକୁ ସୀମାନ୍ତରେ ସଡକ, ସେତୁ ଏବଂ ଟନେଲ ଆଦି ନିର୍ମାଣ କରୁଛି। ଏଲ୍‍ଏସିରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଭାରତୀୟ ସେନା ଚୀନ ପଟୁ ଯେକୌଣସି ହରକତର କଡା ଜବାବ ଦେବାକୁ ପ୍ରସ୍ତୁତ ଥିବା ଭାରତର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.