ଟମାଟୋ ଚାଷୀଙ୍କ ଦୁଃଖ; ଜିଲାପାଳ ଅଫିସ ସମ୍ମୁଖରେ ଫିଙ୍ଗିଲେ

0

ବଲାଙ୍ଗିର  : ବଲାଙ୍ଗିର ଜିଲାରେ ଟମାଟୋର ସଂରକ୍ଷଣ, ବଜାର ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ଅଭାବରୁ ଅଭାବୀ ବିକ୍ରି ପରିସ୍ଥିତି ନେଇ ଚାଷୀ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଜିଲାର ଚାଷୀ କିଲୋ ପ୍ରତି ୭୫ ପଇସାରେ ଟମୋଟୋ ବିକ୍ରୟ କରୁଥିବା ନେଇ କିଛି ଦିନ ତଳେ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଶନିବାର ଚାଷୀ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଟମାଟୋ ଫୋପାଡିବା ସହିତ ମାଡ଼ି ଦଳି ନଷ୍ଟ କରିବା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ବଲାଙ୍ଗିର ଜିଲାର ପ୍ରାୟ ସମସ୍ତ ବ୍ଲକ ଅଞ୍ଚଳରେ ଟମାଟୋ ଚାଷ କରାଯାଇଥାଏ। ମୁଖତଃ ଲୋଇସିଂହା, ଆଗଲପୁର, ବଲାଙ୍ଗିର ବ୍ଲକ, ଟିଟିଲାଗଡ ଅଞ୍ଚଳରେ ବହୁଳ ଭାବେ ଟମାଟୋ ଚାଷ କରାଯାଉଥିବା ବେଳେ ମାର୍ଚ୍ଚ, ଏପ୍ରିଲ ସମୟରେ ଏହା ଅମଳ ହୋଇଥାଏ। ବର୍ତ୍ତମାନ ସମୟରେ ଜିଲାର ଅନେକ ଅଞ୍ଚଳରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଟମାଟୋ ଅମଳ ହେଉଛି; କିନ୍ତୁ ଚାଷୀ ଠିକ ଦରରେ ବିକ୍ରୟ କରିପାରୁନଥିବାରୁ ବ୍ୟାପକ କ୍ଷତିର ସମ୍ମୁଖିନ ହେଉଛନ୍ତି। କିଛି ଦିନ ତଳେ ଟମୋଟା ଚାଷୀ କ୍ୟାରେଟ (୨୫ରୁ ୩୦ କିଲୋ) ପ୍ରତି ୧୫ରୁ ୨୦ ଟଙ୍କାରେ ବେପାରୀଙ୍କଠାରେ ବିକ୍ରୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ବିକ୍ରୟ ହୋଇପାରୁନଥିବାରୁ ଚାଷୀ ବାଧ୍ୟ ହୋଇ ଟମାଟୋ କିଆରୀରୁ ତୋଳି ମାଡି ଦଳି ନଷ୍ଟ କରୁଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଗ୍ରାହକମାନଙ୍କ ଚାହିଦା ଅନୁଯାୟୀ ବେପାରୀ ଟମାଟୋ ଚାଷୀଙ୍କ ପାଖରୁ ଆଣୁଥିବା ବେଳେ ବେପାରୀମାନଙ୍କ ପାଖରେ ମଧ୍ୟ ମହଜୁଦ ରହି ନଷ୍ଟ ହେଉଥିବା ପ୍ରକାଶ କରିଥିଲେ। ଏମିତି ପରିସ୍ଥିତିରେ ସଂରକ୍ଷଣ, ବଜାର ବ୍ୟବସ୍ଥା କିମ୍ବା ଟମାଟୋ ପ୍ରକ୍ରିୟାକରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି; କିନ୍ତୁ ବଲାଙ୍ଗିର ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

Leave A Reply