ଆଇପିଏଲ୍‍-୧୧ ଉଦ୍‍ଘାଟିତ

0

ମୁମ୍ବଇ : ବଲିଉଡ୍‍ କଳାକାରଙ୍କ ସଂଗୀତ ଓ ନୃତ୍ୟ ମଧ୍ୟରେ ବିଶ୍ୱର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ପେସାଦାର ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୧ଶ ସଂସ୍କରଣ ଉଦ୍‍ଘାଟନ ହୋଇଛି। ଗତଥରର ଚମ୍ପିଆନ୍‍ ଘରୋଇ ଦଳ ମୁମ୍ବଇ ଇଣ୍ଡିଆନ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ପୂର୍ବରୁ ଶନିବାର ସନ୍ଧ୍ୟାରେ ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଏହି ରଙ୍ଗାରଙ୍ଗ ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାସହ ଆଇପିଏଲ୍‍-୧୧ର ବିଗୁଲ ମଧ୍ୟ ବାଜିଛି। ୱାଙ୍ଖେଡ଼େ ଷ୍ଟାଡିୟମ୍‍ ମଝିରେ ପ୍ରସ୍ତୁତ ମଞ୍ଚକୁ ପ୍ରଥମେ ଆସିଥିଲେ ବଲିଉଡ୍‍ ନାୟକ ବରୁଣ। ତାଙ୍କ ଅଭିନୀତ ଚଳଚ୍ଚିତ୍ରର କିଛି ଲୋକପ୍ରିୟ ଗୀତର ତାଳରେ ବରୁଣଙ୍କୁ ନୃତ୍ୟକରିବା ଦେଖିବାକୁ ମିଳିଥିଲା। ପରେ ବରୁଣଙ୍କ ସହ ଯୋଗ ଦେଇଥିଲେ ପ୍ରଭୂଦେବା। ଦୁହେଁ ଏକାଠି ‘ମୁକାବିଲା’ ଗୀତରେ ନୃତ୍ୟ କରିଥିଲେ। ପରେ ପ୍ରଭୂଦେବା ‘ଉର୍ବଶୀ ଉର୍ବଶୀ’ ଗୀତରେ ମଧ୍ୟ ନୃତ୍ୟ କରିଥିଲେ। ପରେ ମୁମ୍ବଇ ଇଣ୍ଡିଆନ୍‍ସର ଅଧିନାୟକ ରୋହିତ ଶର୍ମା ମଞ୍ଚକୁ ଆସିଥିଲେ ଏବଂ ୮ଟିଯାକ ଫ୍ରାଞ୍ଚାଇଜି ଦଳର ଅଧିନାୟକଙ୍କ ପକ୍ଷରୁ ଖେଳୁଆଡ଼ ମନୋଭାବରେ ଖେଳିବା ପାଇଁ ଶପଥ ନେଇଥିଲେ। ପରେ ମଞ୍ଚକୁ ଆସିଥିଲେ ବଲିଉଡ୍‍ର ନବାଗତା ନାୟିକା ତମନ୍ନା ଭାଟିଆ। ତାଙ୍କ ନୃତ୍ୟ ପରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ବଲିଉଡ୍‍ ଗାୟକ ମିକା ସିଂହ। ଦର୍ଶକମାନେ ଯାହାକୁ ଅପେକ୍ଷା କରିଥିଲେ; ସେହି ଲାସ୍ୟମୟୀ ବଲିଉଡ୍‍ ନାୟିକା ଜ୍ୟାକ୍‍ଲିନ ଫର୍ଣ୍ଣାଣ୍ଡେଜ୍‍ ମଞ୍ଚକୁ ଆସିଥିଲେ। ଶ୍ରୀଲଙ୍କା ଜନ୍ମିତ ଏହି ଅଭିନେତ୍ରୀଙ୍କ ମନଲୋଭା ନୃତ୍ୟ ପରେ ବଲିଉଡ୍‍ ସୁପରଷ୍ଟାର୍‍ ହ୍ରତିକ୍‍ ରୋଶନ୍‍ଙ୍କ ନୃତ୍ୟ ସହ ଉଦ୍‍ଘାଟନୀ ଉତ୍ସବ ସମାପ୍ତ ହୋଇଥିଲା। ଚଳିତବର୍ଷ ଆଇପିଏଲ୍‍ରେ ୫୦ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ଏଥିରେ ୫୬ଟି ଲିଗ୍‍ ମ୍ୟାଚ୍‍ ଥିବା ବେଳେ ୨ଟି କ୍ୱାଲିଫାୟର, ଗୋଟିଏ ଏଲିମିନେଟର ଓ ଫାଇନାଲ ମ୍ୟାଚ୍‍ ରହିଛି। ଉଦ୍‍ଘାଟନୀ ମ୍ୟାଚ୍‍ ପରି ମେ’ ୨୭ରେ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ଫାଇନାଲ ମ୍ୟାଚ୍‍ ଖେଳାଯିବ।

Leave A Reply