ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ; ଉଭୟ ଗୃହର ୨୫୦ ଘଣ୍ଟା ସମୟ ନଷ୍ଟ

0

ନୂଆଦିଲ୍ଳୀ : ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବିରୋଧୀମାନଙ୍କ ହୋହଲ୍ଲା ଯୋଗୁ ଉଭୟ ଗୃହର ୨୫୦ ଘଣ୍ଟା ସମୟ ନଷ୍ଟ ହୋଇଛି। ଏଥିମଧ୍ୟରୁ କେବଳ ୧୨୧ ଘଣ୍ଟା ରାଜ୍ୟସଭାର । ମୋଟ କାର୍ଯ୍ୟଦିବସ ମଧ୍ୟରୁ ଲୋକସଭାରେ ମାତ୍ର ୩୩ ଘଣ୍ଟା ୫୦ ମିନିଟ୍‍ ଏବଂ ରାଜ୍ୟସଭାରେ ୪୫ ଘଣ୍ଟା କାର୍ଯ୍ୟ ହୋଇପାରିଛି।

ଶୁକ୍ରବାର ଲୋକସଭା ବୈଠକ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁମିତ୍ରା ମହାଜନ ଗୃହର କାର୍ଯ୍ୟଧାରା ସଂକ୍ରାନ୍ତରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟୟରେ ଗୃହର ୨୮ଟି ବୈଠକ ବସିଛି ଏବଂ କେବଳ ୩୩ ଘଣ୍ଟା ୫୦ ମିନିଟ୍‍ ପାଇଁ ଗୃହ ଚାଲିଛି ବୋଲି କହିଥିଲେ । ଏହି ସମୟରେ ୫ଟି ବିଧେୟକ ପାରିତ ହୋଇଥିବା ସେ କହିଛନ୍ତି । ସଦସ୍ୟମାନଙ୍କର ହୋ ହାଲ୍ଲା ଏବଂ ହଟ୍ଟଗୋଳ ଯୋଗୁଁ ୧୨୭ ଘଣ୍ଟା ୪୫ ମିନିଟ୍‍ ପାଇଁ କୌଣସି କାର୍ଯ୍ୟ ହୋଇ ନାହିଁ । ନିଜ ନିଜର ଦାବି ନେଇ ସଦସ୍ୟ ମାନଙ୍କ ଉଦବେଗ ପ୍ରତି ସେ ସହମତ କିନ୍ତୁ ଜାତୀୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଆଲୋଚନା ହୋଇ ନପାରିବା ଦୁଃଖର ବିଷୟ ବୋଲି ସେ କହିଥିଲେ ।
ପୂର୍ବରୁ ଆଜିର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଏଆଇଏଡିଏମ୍‍କେର ସଦସ୍ୟମାନେ କାବେରୀ ନଦୀ ଜଳ ପରିଚାଳନା ବୋର୍ଡ଼ ଗଠନ ସଂକ୍ରାନ୍ତ ସେମାନଙ୍କର ଦାବି ସପକ୍ଷରେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ଆସନ ନିକଟକୁ ଚାଲିଯାଇଥିଲେ । କିନ୍ତୁ ବାଚସ୍ପତିଙ୍କ ଅନୁରୋଧ ପରେ ସେମାନେ ନିଜ ନିଜ ଆସନକୁ ଫେରିଆସିଥିଲେ। ପରେ ସେ ଗୃହକୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ରାଜ୍ୟସଭାରେ ଗୃହର ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ଗୃହର କାର୍ଯ୍ୟଧାରା ସଂକ୍ରାନ୍ତରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଗୃହର ସମୟ ନଷ୍ଟ ହେବା ନେଇ ସେ ଚିନ୍ତା ପ୍ରକଟ କରିବା ସହିତ ସଦସ୍ୟମାନେ ଏନେଇ ଆତ୍ମସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

 

Leave A Reply