ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳୀ ଋତପର୍ଣ୍ଣା ପଣ୍ଡା ପାଇଲେ ଏକଲବ୍ୟ ସମ୍ମାନ

ଉତ୍ସବରେ ସମ୍ମାନିତ ହେଲେ ପ୍ୟାରୀ ଶାଖା ଓ ସ୍ବାସ୍ତି ସିଂ

ଭୁବନେଶ୍ବର: ଇମ୍ଫା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦପ୍ତ ସମ୍ମାନଜନକ ଏକଲବ୍ୟ ପୁରସ୍କାର -୨୦୨୧ ପାଇଁ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳୀ ଋତପର୍ଣ୍ଣା ପଣ୍ଡାଙ୍କୁ ପ୍ରଦାନ କରାଯାଇଛି। ଇମ୍ଫା ଗ୍ରୁପର ଇମ୍ପାକ୍ଟ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଋତପର୍ଣ୍ଣାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଣୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଋତପର୍ଣ୍ଣାଙ୍କୁ ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରିଛନ୍ତି।
ସେହିପରି ସାଇକେଲ ଚାଳିକା ସ୍ୱସ୍ତି ସିଂ ଓ ଫୁଟବଲ ଖେଳାଳି ପ୍ୟାରୀ ଖାଖାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଉଭୟ କ୍ରୀ‍ଡ଼ାବିତଙ୍କୁ ୫୦ ହଜାର ଲେଖାଏ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି ପୁରସ୍କାର ସମାରୋହରେ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।


ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତରୁ ଋତପର୍ଣ୍ଣା ପଣ୍ଡା ପ୍ରତନିଧ୍ୱତ୍ୱ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଓ ସମ୍ମାନ ଆଣିଛନ୍ତି। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ବ୍ୟାଡମିଣ୍ଟନ୍ ତାରକା ଋତପର୍ଣ୍ଣା ୨୦୨୦ ଓ ୨୦୨୧ ମସିହାରେ ଅନେକ ଭଲ ପ୍ରଦର୍ଶନ କରିଛନ୍ତି। ୨୨ ବର୍ଷୀୟା ଋତପର୍ଣ୍ଣା ତିନୋଟି ବିଏଫଡବ୍ଲ୍ୟୁ ଅନ୍ତର୍ଜାତୀୟ ଓ ସିରିଜ୍ ଟାଇଟଲ୍ ଜିତିଥିବା ବେଳେ ୪ଥର ରନର୍ସଅପ୍ ହୋଇଛନ୍ତି।
ପୁରସ୍କାର ପାଇବା ଋତପର୍ଣ୍ଣା ପଣ୍ଡା କହିଛନ୍ତି ଯେ ଏକଲବ୍ୟ ପୁରସ୍କାର ପାଇ ମୁଁ ନିଜକୁ ଗୌରବ ମନେ କରୁଛି। ଏହି ପୁରସ୍କାର ଜିତିବା ଓଡ଼ିଶାର ସବୁ ଯୁବ କ୍ରୀଡ଼ାବିତଙ୍କର ଗୋଟିଏ ସ୍ୱପ୍ନ। ଏହି ପୁରସ୍କାର ଜିତିବା ମୋତେ ଆଗକୁ ବହୁତ ପ୍ରେରଣା ଯୋଗାଇବ।

ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ଦ୍ବାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୟମାନ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ମୂଳ ଲକ୍ଷ୍ୟ । ଯାହା ଫଳରେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିବେ।

Comments are closed.