ରୁଷ ଦଖଲରେ ୟୁକ୍ରେନର ପୂର୍ବଭାଗ

କିଭ୍‍ : ରୁଷ ସୈନ୍ୟମାନେ ୟୁକ୍ରେନର ପୂର୍ବଭାଗକୁ କ୍ରମଶଃ ନିଜ ଦଖଲକୁ ନେବା ଆରମ୍ଭ କରିଛନ୍ତି। ବିଚ୍ଛିନ୍ନତାବାଦୀଙ୍କ ନିୟନ୍ତ୍ରଣରେ ଥିବା ଡୋନ୍‍ବାସର କିଛି ଅଞ୍ଚଳ ସହିତ ଏକ ସହରକୁ ଶୁକ୍ରବାର ରୁଷ ସୈନ୍ୟ ଅକ୍ତିଆର କରିଛନ୍ତି। ୟୁକ୍ରେନ ସରକାରୀ ସୂତ୍ରରୁ କୁହାଯାଇଛି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଉକ୍ତ ଅଞ୍ଚଳରେ ପ୍ରାୟ ୧୫୦୦ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି ଏବଂ ୬୦% ସାଧାରଣ ନାଗରିକଙ୍କ ଘରକୁ ଧ୍ୱଂସ କରିଦିଆଯାଇଛି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ ସତର୍କ କରାଇଦେଇ କହିଛନ୍ତି ଯେ ବିଦେଶରୁ ସାନି ଅସ୍ତ୍ରଶସ୍ତ୍ର ନମିଳିଲେ ୟୁକ୍ରେନ ସୈନ୍ୟମାନେ ରୁଷ ଆକ୍ରମଣକୁ ପ୍ରତିହତ କରିପାରିବେ ନାହିଁ କିମ୍ବା ସିଭେରଡନେସ୍କ ଓ ନିକଟବର୍ତ୍ତୀ ଲିସିଚାନ୍‍ସ୍କକୁ ରୁଷ ସୈନ୍ୟଙ୍କ ଦଖଲରୁ ସୁରକ୍ଷା ଦେଇପାରିବେ ନାହିଁ। ଇତିମଧ୍ୟରେ ରୁଷ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ପ୍ରକ୍ରିୟାରେ ୟୁକ୍ରେନ ଅନ୍ତରାୟ ସୃଷ୍ଟି କରୁଥିବା ରୁଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ଅଭିଯୋଗ କରିଛନ୍ତି। ରୁଷ ଅର୍ଥମନ୍ତ୍ରୀ ଆଣ୍ଟୋନ ସିଲୁଆନୋଭ ଶୁକ୍ରବାର କହିଛନ୍ତି, ୟୁକ୍ରେନ ଯୁଦ୍ଧ ଜାରି ରଖିବା ପାଇଁ ତାଙ୍କ ଦେଶ ବିପୁଳ ଆର୍ଥିକ ସମ୍ବଳ ଆବଶ୍ୟକ କରିବ। ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଅର୍ଥନୀତିକୁ ସମର୍ଥନ ଯୋଗାଇଦେବା ପାଇଁ ରୁଷ ସରକାର ୮ ଟ୍ରିଲିଅନ ରୁବଲ (୧୨୩ ବିଲିଅନ ଡଲାର) ଆର୍ଥିକ ପ୍ୟାକେଜ ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ରୁଷକୁ ନେଇ ଖେଳ ଖେଳିବା ବନ୍ଦକରି ମସ୍କୋ ବିରୋଧରେ କଡ କଟକଣା ଲାଗୁ କରିବା ଏବଂ ୟୁକ୍ରେନ ଉପରେ ଉକ୍ତ ରାଷ୍ଟ୍ର ଚଳାଇଥିବା ଯୁଦ୍ଧ ବନ୍ଦ କରିବା ସକାଶେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଆହ୍ୱାନ ଦେଇଛନ୍ତି। ରୁଷରୁ ତୈଳ ଆମଦାନୀ ଉପରେ କଟକଣା ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ଦିଗରେ ୟୁରୋପୀୟ ରାଷ୍ଟ୍ରଗୁଡିକ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ପ୍ରକାଶ ନପାଇବା ପ୍ରତିବାଦରେ ଜେଲେନସ୍କି ଏଭଳି ମନ୍ତବ୍ୟ ଦେଇଛନ୍ତି।
ଅନ୍ୟପକ୍ଷରେ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ଦାବି କରିଛନ୍ତି ଯେ ସେମାନେ ୟୁକ୍ରେନର ପୂର୍ବ ଭାଗରେ ଥିବା ଲିମାନ୍‍କୁ ନିଜ ଦଖଲକୁ ନେଇଛନ୍ତି। ଏହା ୟୁକ୍ରେନ ପାଇଁ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିଲା। ରୁଷ୍‍ରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇବାରେ ହଙ୍ଗେରୀ କୁଣ୍ଠା ପ୍ରକାଶ କରୁଥିବାବେଳେ ୟୁକ୍ରେନ ବାଟଦେଇ ଯାଇଥିବା ଗ୍ୟାସ ପାଇପଲାଇନ ଅବରୋଧ କରିବାକୁ ୟୁକ୍ରେନ ଧମକ ଦେବା ଆରମ୍ଭ କରିଛି। ୟୁକ୍ରେନରୁ ଗହମ ରପ୍ତାନି ନିମନ୍ତେ ସୁଯୋଗ ଦେବାକୁ ଜାତିସଂଘ ଓ ବିଶ୍ୱ ସମୁଦାୟ ରୁଷକୁ ଅନୁରୋଧ କରୁଥିବାବେଳେ ରୁଷ ପ୍ରଥମେ ତାହା ବିରୋଧରେ ଲଗାଯାଇଥିବା କଟକଣା ପ୍ରତ୍ୟାହାର ଦାବିରେ ଅଟଳ ରହିଛି। ଏଭଳି ପରିସ୍ଥିତିରେ ୟୁକ୍ରେନରୁ ରେଳ ଯୋଗେ ଗହମ ପରିବହନ ନିମନ୍ତେ ୟୁରୋପୀୟ ରାଷ୍ଟ୍ରଗୁଡିକ ଉଦ୍ୟମ ଆରମ୍ଭ କରିଛନ୍ତି। ଇରାନ ସରକାର ମଧ୍ୟ ରୁଷରୁ ୫୦ ଲକ୍ଷ ଟନ୍‍ ଗହମ ଆମଦାନୀ କରିବାକୁ ଏକ ରାଜିନାମା ସ୍ୱାକ୍ଷର କରିଥିବା ଜଣାଯାଇଛି। ରୁଷ ଭଳି ଇରାନ ବିରୋଧରେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ କଟକଣା ଲଗାଯାଇଛି। ଚଳିତ ବର୍ଷ ପ୍ରତିକୂଳ ପାଗ ପରିସ୍ଥିତି କାରଣରୁ ଇରାନରେ ଗହମ ଉତ୍ପାଦନ ହ୍ରାସ ପାଇଥିବାରୁ ଏହା ରୁଷରୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି।

Comments are closed.