ଡୋନବାସ ଓ ମିକୋଲେଭରେ ପ୍ରଚଣ୍ଡ ଆକ୍ରମଣ

କିଭ୍‍ : ରୁଷ-ୟୁକ୍ରେନ ଯୁଦ୍ଧକୁ ଆସନ୍ତା ମଙ୍ଗଳବାର ତିନିମାସ ପୂରି ଚାରିମାସ ଚାଲିବ। ତଥାପି ୟୁକ୍ରେନ ଉପରେ ଆକ୍ରମଣ ଚାଲିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ହଜାର ହଜାର ସୈନ୍ୟ ପ୍ରାଣ ହରାଇଲେଣି। ସମୁଦାୟ ୟୁକ୍ରେନ ବସ୍ତୁତଃ ଧ୍ୱଂସସ୍ତୁପ ପାଲଟିଲାଣି। ରୁଷ ସୈନ୍ୟମାନେ ୟୁକ୍ରେନ ରାଜଧାନୀ କିଭ୍‍ରେ ଚଳାଇଥିବା ଆକ୍ରମଣ ବନ୍ଦକରି ପଛକୁ ହଟିବା ପରେ ଇତିମଧ୍ୟରେ ଦେଶର ପୂର୍ବଭାଗରେ ସେମାନଙ୍କ ଆକ୍ରମଣକୁ ଜୋରଦାର୍‍ କରିଛନ୍ତି। ତାହାସହିତ ଦକ୍ଷିଣ ଭାଗରେ ମଧ୍ୟ କ୍ଷେପଣାସ୍ତ୍ର ଓ ରକେଟ ଆକ୍ରମଣ ଚାଲିଛି। ପୂର୍ବ ଭାଗରେ ଥିବା ଡୋନ୍‍ବାସ ଅଞ୍ଚଳରେ ଶନିବାରଠାରୁ ରୁଷ ସୈନ୍ୟଙ୍କ ଆକ୍ରମଣ ଯଥେଷ୍ଟ ବୃଦ୍ଧିପାଇଛି। ସୂଚନାଯୋଗ୍ୟ ଯେ ରୁଷ ସମର୍ଥିକ ବିଚ୍ଛିନ୍ନତାବାଦୀମାନେ ଲୁହାନସ୍କ ଏବଂ ପଡୋଶୀ ଡନେସ୍କ ପ୍ରଦେଶର ଅଧିକାଂଶ ଅଞ୍ଚଳକୁ ଫେବୃଆରୀ ୨୪ରେ ରୁଷ ଆକ୍ରମଣ ପୂର୍ବରୁ ନିଜ ଅକ୍ତିଆରରେ ରଖିଥିଲେ। ଏବେ ରୁଷ ସୈନ୍ୟମାନେ ଡୋନବାସ ଅଞ୍ଚଳରେ ରହିଯାଇଥିବା ଅବଶିଷ୍ଟ ଅଞ୍ଚଳ ସେମାନଙ୍କ ଦଖଲକୁ ନେବା ପ୍ରୟାସ କରୁଛନ୍ତି। ଏପରିକି ସେମାନେ ମିକୋଲେଭ ଅଞ୍ଚଳରେ ମଧ୍ୟ ଆକାଶ ମାର୍ଗରୁ ଆକ୍ରମଣ କରୁଛନ୍ତି। ୟୁକ୍ରେନର କମାଣ୍ଡ ସେଣ୍ଟର, ସୈନ୍ୟଛାଉଣୀ ଏବଂ ଅସ୍ତ୍ରାଗାର ଆଦିକୁ ଲକ୍ଷ୍ୟକରି ଆକ୍ରମଣ କରାଯାଉଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେଙ୍କୋଭ କହିଛନ୍ତି, ଡୋନବାସ ଅଞ୍ଚଳରେ ଥିବା ତିନିଟି କମାଣ୍ଡ ସ୍ଥଳ, ୟୁକ୍ରେନ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ରହିଥିବା ୧୩ଟି ଅଞ୍ଚଳ ଏବଂ ଚାରିଟି ଅସ୍ତ୍ରାଗାର ଉପରେ ଆକ୍ରମଣ ହୋଇଛି। ଇତିମଧ୍ୟରେ ଆଜୋଭସ୍ତଲ ଇସ୍ପାତ କାରଖାନାରୁ ଯୁଦ୍ଧବନ୍ଦୀ ଭାବରେ ନିଆଯାଇଥିବା ୨୫୦୦ ୟୁକ୍ରେନ ସୈନ୍ୟଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି। ରୁଷ ଆକ୍ରମଣରେ ୟୁକ୍ରେନର ବନ୍ଦର ସହର ମାରିଉପୋଲରେ ପ୍ରାୟ ୨୦ ହଜାର ସାଧାରଣ ନାଗରିକଙ୍କର ପ୍ରାଣହାନି ଘଟିଥିବା ଆଶଙ୍କା କରାଯାଉଛି। ବିଦେଶୀ ଯୋଦ୍ଧାମାନେ ୟୁକ୍ରେନକୁ ଆସି ଏହାର ସାର୍ବଭୋମତ୍ୱକୁ ସୁରକ୍ଷା ପ୍ରଦାନ କରିବାକୁ ଦେଶର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆହ୍ୱାନ ଦେବାପରେ ବେଲାରୁଷ ନାଗରିକମାନେ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଅନେକ ବେଲାରୁଷ ନାଗରିକ ମନେକରୁଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କୁ ଦୁର୍ବଳ କରିଦିଆଗଲେ ବେଲାରୁଷରେ ୧୯୯୪ରୁ ଅତ୍ୟାଚାରୀ ଶାସନ ଚଳାଇଥିବା ପୁଟିନ ସମର୍ଥକ ଲୁକାଶେଙ୍କୋ ମଧ୍ୟ ଦୁର୍ବଳ ହୋଇଯିବେ ଏବଂ ଏହା ଦେଶରେ ଗଣତାନ୍ତ୍ରିକ ପରିବର୍ତ୍ତନ ଆଣିବା ନିମନ୍ତେ ସୁଯୋଗ ସୃଷ୍ଟିକରିବ। ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡା କିଭ୍‍ ଗସ୍ତ କରିବା ସହିତ ଫେବୃଆରୀ ୨୪ରେ ରୁଷ ଆକ୍ରମଣ ପରେ ପ୍ରଥମ ବିଦେଶୀ ରାଷ୍ଟ୍ରପତି ଭାବରେ ୟୁକ୍ରେନ ସଂସଦରେ ପ୍ରତ୍ୟକ୍ଷ ଉଦ୍‍ବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ ନିଜର ଭବିଷ୍ୟତ ସ୍ଥିର କରିବା ଅଧିକାର କେବଳ ୟୁକ୍ରେନର ରହିଛି।
ଇତିମଧ୍ୟରେ ୟୁକ୍ରେନରେ ରୁଷ ଅଧିକୃତ ଅଞ୍ଚଳ ଏନେରହୋଦାରରେ ପୁଟିନଙ୍କ ଦ୍ୱାରା ନିଯୁକ୍ତ ମେୟର ଆନ୍ଦ୍ରେଇ ଶେଭଚୁକ୍‍ ରବିବାର ଏକ ବିସ୍ଫୋରଣରେ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ୟୁକ୍ରେନ ସରକାର ଦେଶରେ ପୂର୍ବରୁ ଜାରି କରିଥିବା ସାମରିକ ଆଇନର ଅବଧିକୁ ରବିବାର ଆଉ ତିନିମାସ ପାଇଁ ବୃଦ୍ଧି କରିଛନ୍ତି। ଏହା ଆଗାମୀ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ରୁଷ ସହିତ ଯୁଦ୍ଧ ଲମ୍ବି ଚାଲିଥିବା ପରିପ୍ରେକ୍ଷୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମର ଜେଲେନସ୍କି ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ କ୍ୱାଡ ସମ୍ମିଳନୀରେ ଯୋଗଦେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଟୋକିଓରେ ମଙ୍ଗଳବାର ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦୁଇ ନେତା ୟୁକ୍ରେନ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‍ ସୁଲ୍ଲିଭାନ୍‍ କହିଛନ୍ତି, ପୂର୍ବରୁ ମୋଦୀ ଓ ବାଇଡେନ ୟୁକ୍ରେନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସେହି ଆଲୋଚନା ପ୍ରକ୍ରିୟାର ଅଂଶସ୍ୱରୂପ ଦୁଇନେତା ପୁଣି ଟୋକିଓରେ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ ଏବଂ ଏହା ଗଠନମୂଳକ ତଥା ଖୋଲାଖୋଲି ହେବ। ଅନ୍ୟପକ୍ଷରେ ରୁଷ ପକ୍ଷରୁ ଡୋନବାସ ଅଞ୍ଚଳରେ ଘମାଘୋଟ ଆକ୍ରମଣ ପରିପ୍ରେକ୍ଷୀରେ ଯୁଦ୍ଧବିରତି ସମ୍ଭାବନାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏଡାଇ ଯାଇଛନ୍ତି।

Comments are closed.