କେବେ ସରିବ ୟୁକ୍ରେନ୍-ରୁଷିଆ ଯୁଦ୍ଧ ? ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କୁ ଜେଲେନସ୍କି ମାଗିଲେ ପୁଣି ଅସ୍ତ୍ରଶସ୍ତ୍ର

କିଭ୍‌: ଥମୁନି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଲଢ଼େଇ । ଯୁଦ୍ଧକୁ ଦୀର୍ଘ ୪ ମାସ ହେବ ପୂରଣ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ମଧ୍ୟ ଦୁଇ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧକୁ ଶେଷ କରିବାକୁ ଚାହୁଁନଥିବା ଦେଖିବାକୁ ମିଳିଛି । କାରଣ ରୁଷକୁ କଡ଼ା ଟକ୍କର ଦେବାକୁ ୟୁରୋପୀୟ ଦେଶ ଗୁଡ଼ିକ ନିକଟରୁ ସାହାଯ୍ୟ ଲୋଡୁଛନ୍ତି ଜେଲେନସ୍କି ।  ଏନେଇ ଜେଲେନସ୍କି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଆଲୋଚନା କରିଛନ୍ତି । ଜେଲେନସ୍କି ଫେନ୍‌ କରି ବୋରିସଙ୍କୁ ଯୁଦ୍ଧ ପାଇଁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ କହିଛନ୍ତି । ତାହା ସହିତ ୟୁକ୍ରେନବାସୀଙ୍କ ନିମନ୍ତେ  ଇନ୍ଧନ ଓ ଖାଦ୍ୟ ଯୋଗାଇବାକୁ କହିଥିବା ସୂଚନା ମିଳିଛି ।

ଖାଲି ସେତିକି ନୁହେଁ ଜେଲେନସ୍କି ବୋରିସ ଜନସନଙ୍କୁ ଖାଦ୍ୟ ସଙ୍କଟ ଏବଂ ୟୁକ୍ରେନର ବନ୍ଦର ଗୁଡ଼ିକୁ ଅବରୋଧ କରିବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି । ସେପଟେ ଦୁଇ ନେତାଙ୍କ ଫୋନର ଆଲୋଚନା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ୍‌ କରିଥିବା ଦେଖିବାକୁ ମିଳିଛି । ଜନସନ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଆମେ ୟୁକ୍ରେନ ସହିତ ଦୀର୍ଘ ଦିନ ଧରି ଛିଡ଼ା ହୋଇଛୁ । ଦେଶକୁ ରକ୍ଷା କରିବାକୁ ଆମେ ୟୁକ୍ରେନ୍‌ ସଶସ୍ତ୍ର ବାହିନୀକୁ ପ୍ରତିରକ୍ଷା ଉପକରଣ ଯୋଗାଇବୁ । ୟୁକ୍ରେନର ଖାଦ୍ୟ ସଙ୍କଟ ଦୂର କରିବାକୁ ଆମେ କାର୍ଯ୍ୟ କରୁଛୁ ବୋଲି ଟ୍ୱିଟରେ ବୋରିସ ଜନସନ ସୂଚନା ଦେଇଛନ୍ତି ।

Comments are closed.