ଋୁଷ ନିକଟରେ ୨୬୫ ୟୁକ୍ରେନ ସୈନ୍ୟଙ୍କ ଆତ୍ମସମର୍ପଣ

କିଭ୍‍/ମସ୍କୋ: ମାରିଉପୋଲର ଆଜୋଭସ୍ତଲ ଇସ୍ପାତ କାରଖାନାରେ ଦୀର୍ଘଦିନ ରହି ରୁଷ ସୈନ୍ୟଙ୍କର ମୁକାବିଲା କରୁଥିବା ୨୬୫ ଜଣ ୟୁକ୍ରେନ ସୈନ୍ୟ ଶେଷରେ ରୁଷ ନିକଟରେ ଆତ୍ମସମର୍ପଣ କରିଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ୫୦ ଜଣ ଗୁରୁତର ଭାବରେ ଆହତ ହୋଇଥିବା ସୈନ୍ୟ ଅଛନ୍ତି। ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ସୈନ୍ୟଙ୍କୁ ମାରିଉପୋଲର ପୂର୍ବରେ ଥିବା ନୋଭୋଜୋଭସ୍କ ସହରର ଏକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଇସ୍ପାତ କାରଖାନା ଛାଡିବା ପରେ ସମ୍ପ୍ରତି ରୁଷ ସୈନ୍ୟଙ୍କ ନିକଟରେ ରହିଥିବା ଆହତ ୟୁକ୍ରେନ ସୈନ୍ୟଙ୍କର ଫଟୋଚିତ୍ର ରୁଷ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ତେବେ ଉକ୍ତ ଇସ୍ପାତ କାରଖାନାରେ ଆହୁରି ଅଧିକ ୟୁକ୍ରେନ ସୈନ୍ୟ ରହିଥିବା ଆଶା କରାଯାଉଥିବାବେଳେ ସେମାନଙ୍କ ସମ୍ପର୍କରେ କୌଣସି ଖବର ମିଳିନାହିଁ। ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସୈନ୍ୟ ପ୍ରତ୍ୟର୍ପଣ ବ୍ୟବସ୍ଥାରେ ଉକ୍ତ ସୈନ୍ୟଙ୍କୁ ରୁଷ ନିକଟରୁ ଫେରାଇ ଅଣାଯିବ।

ତେବେ ରୁଷର କିଛି ଅଧିକାରୀ କହିଛନ୍ତି ଯେ ଉକ୍ତ ସୈନ୍ୟଙ୍କ ବିରୋଧରେ ମାମଲା ଚାଲିପାରେ ଅତବା ସେମାନଙ୍କୁ ଫାଶୀ ଦିଆଯାଇପାରେ। ଏପରିକି ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇ ସେମାନଙ୍କ ପ୍ରତ୍ୟର୍ପଣ ଉପରେ ଅଙ୍କୁଶ ଲଗାଇବାକୁ ଏକ ପ୍ରସ୍ତାବ ଗୃହୀତ କରାଇବା ସକାଶେ ରୁଷର କେତେକ ସାଂସଦ ଉଦ୍ୟମ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଫିନଲାଣ୍ଡ ସଂସଦରେ ନାଟୋରେ ସାମିଲ ହେବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ପ୍ରସ୍ତାବ ପ୍ରତି ୧୮୮ ସମର୍ଥନ ମିଳିଥିବାବେଳେ ଏହା ବିରୋଧରେ ମାତ୍ର ୮ଟି ଭୋଟ ପଡ଼ିଥିଲା। ଏହାପରେ ଆଗାମୀ କିଛିଦିନ ମଧ୍ୟରେ ଫିନଲାଣ୍ଡ ଆନୁଷ୍ଠାନିକ ଭାବରେ ନାଟୋର ସଦସ୍ୟତା ପାଇଁ ଆବେଦନପତ୍ର ଦାଖଲ କରିବ। ସ୍ୱିଡେନ ଗତକାଲି ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ନିଜର ନିଷ୍ପତ୍ତି ଘୋଷଣା କରିସାରିଛି। ଏଥିସହିତ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବନ୍ଦ ରହିଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନାଟୋ ସଦସ୍ୟତା ପାଇଁ ନିଷ୍ପତ୍ତି ନେଇଥିବା ସ୍ୱିଡେନ ଓ ଫିନଲାଣ୍ଡ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ଏଭଳି ପରିସ୍ଥିତିରେ ରୁଷ ପକ୍ଷରୁ ପୋଲାଣ୍ଡ ସୀମାକୁ ଲାଗିଥିବା ୟୁକ୍ରେନର ଲବିବ ସହର ଉପରେ ଗତ ରାତିକ ମଧ୍ୟରେ ୧୪ ଥର କ୍ଷେପଣାସ୍ତ୍ର ମାଡ କରିଛି। ଏପରିକି କମ୍‍ ସମୟ ବ୍ୟବଧାନରେ ୧୦ଟି କ୍ଷେପଣାସ୍ତ୍ର ସହରର ବିଭିନ୍ନ ସ୍ଥାନରେ ପଡ଼ିଥିଲା। ସେଥିରେ ଲବିବ୍‍ର ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇଟି କ୍ଷେପଣାସ୍ତ୍ର ନାଟୋ ସଦସ୍ୟଭୁକ୍ତ ପୋଲାଣ୍ଡ ସୀମାର ଅନତି ଦୂରରେ ପଡ଼ିବା ପରେ ଏହାକୁ ନେଇ ନାଟୋ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.