ଆଇଏସ୍‍ ଅପେକ୍ଷା ରୁଷ ଅଧିକ ବିପଜ୍ଜନକ: ବ୍ରିଟେନ ସେନାଧ୍ୟକ୍ଷ

0

ଲଣ୍ଡନ : ଇଂଲଣ୍ଡର ଜାତୀୟ ସୁରକ୍ଷା ପ୍ରତି ଇସ୍‍ଲାମିକ ଆତଙ୍କବାଦୀ ସଂଗଠନ ଇସ୍‍ଲାମିକ ଷ୍ଟେଟ୍‍ (ଆଇଏସ୍‍) ଓ ଅଲ କାଏଦା ଅପେକ୍ଷା ରୁଷ ଅଧିକ ବିପଜ୍ଜନକ ବୋଲି ମନ୍ତବ୍ୟ ଦେଇଛନ୍ତି ବ୍ରିଟେନ୍‍ ସେନାଧ୍ୟକ୍ଷ ଜେନେରାଲ ମାର୍କ କାର୍ଲଟନ୍‍ ସ୍ମିଥ। ଜୁନ୍‍ରେ ସେନାଧ୍ୟକ୍ଷ ଭାବେ ନିଯୁକ୍ତ କାର୍ଲଟନ୍‍ ବିବିସିକୁ ପ୍ରଥମ ସାକ୍ଷାତକାର ଦେବାବେଳେ ଏପରି କହିଛନ୍ତି। ରୁଷ୍‍ ଯୋଜନାବଦ୍ଧ ଭାବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସୁରକ୍ଷାଜନିତ ବିଭ୍ରାଟ ସୃଷ୍ଟି କରିଚାଲିଛି। ବିଶେଷ କରି ସାଇବର, ମହାକାଶ, ସାମୁଦ୍ରିକ ଯୁଦ୍ଧ ପ୍ରସ୍ତୁତି କ୍ଷେତ୍ରରେ ରୁଷ ଯେଭଳି କାର୍ଯ୍ୟକରୁଛି ତାହାକୁ ହାଲ୍‍କା ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚଉବନ ବର୍ଷ ବୟସ୍କ କାର୍ଲଟନ୍‍ ଓସାମା ବିନ୍‍ ଲାଡେନ୍‍ର ସନ୍ଧାନ ଓ ଇରାକରେ ଆଇଏସ୍‍ ବିରୋଧୀ ଲଢ଼େଇରେ ଇଂଲଣ୍ଡ ସେନାର ନେତୃତ୍ୱ ନେଇଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ସାଲିସବରୀଠାରେ ପୂର୍ବତନ ରୁଷୀୟ ଗୁଇନ୍ଦା ଓ ତାଙ୍କ ଝିଅକୁ ବିଷଖୁଆଇବା ଘଟଣାରେ ବ୍ରିଟେନ୍‍ ରୁଷକୁ ଦୋଷାରୋପ କରିଥିଲା। ପୁନଶ୍ଚ ବ୍ରିଟେନ୍‍ର ଏକ ଟିଭି ନେଟ୍‍ୱର୍କ ତଥା ଆମେରିକାର ଡେମୋକ୍ରାଟିକ ପାର୍ଟି ଉପରେ ସାଇବର ଆକ୍ରମଣ ପଛରେ ରୁଷର ଜିଆରୟୁ ସାମରିକ ଗୁଇନ୍ଦା ସଂସ୍ଥାର ହାତ ରହିଥିବା ମାସକ ପୂର୍ବେ ବ୍ରିଟିଶ ସରକାର ଦୋଷାରୋପ କରିଥିଲେ। ଏ ସମସ୍ତ ଘଟଣାକୁ ରୁଷ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଏଭଳି ଆରୋପ-ପ୍ରତ୍ୟାରୋପ ଯୋଗୁଁ ଇଂଲଣ୍ଡ ଓ ରୁଷ ମଧ୍ୟରେ ସମ୍ପର୍କ ବିଗୁଡ଼ୁଥିବା ସ୍ପଷ୍ଟ।

Leave A Reply