ପୁଣି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ! ଭାରତକୁ ଅଶୋଧିତ ତୈଳ କମ୍‌ ଦାମରେ ଦେବନି ରୁଷ

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର । ଆଗାମୀ ଦିନରେ ତୈଳ ଦର ବୃଦ୍ଧି ହେବାନେଇ ଅନୁମାନ କରାଯାଉଛି । କାରଣ ବର୍ତ୍ତମାନ ରୁଷ ଭାରତକୁ ଅଶୋଧିତ ତୈଳ କମ୍‌ ଦାମରେ ଦେବାକୁ ମନା କରିଦେଇଛି ।  ଯାହାଫଳରେ ଆଗାମୀ ଦିନରେ (ବିପିସିଏଲ) ବା ଭାରତ ପେଟ୍ରୋଲିୟମ ନିଗମ ଓ (ଏଚପିସିଏଲ) ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀ ତୈଳ ଦର ପୁଣି ବୃଦ୍ଧି କରିପାରନ୍ତି ।

ସୂଚନା ମୁତାବକ ଏହି ଦୁଇ ତୈଳ କ୍ରୟ କମ୍ପାନୀ ତୈଳ ଦରକୁ ନେଇ ରୁଷର ରୋସନେଫ୍ଟ କମ୍ପାନୀ ସହ ଆଲୋଚନା କରିଥିଲେ । ହେଲେ ଉଭୟଙ୍କ ଆଲୋଚନା ବିଫଳ ହୋଇଛି । ଯାହାଦ୍ବାରା ଆଗକୁ ତୈଳ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୨୪ ଡଲାରରେ ପହଞ୍ଚିଛି ।

ଆଗାମୀ ଦିନରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଲେ ପୁଣି ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ । ଯାହା ମୂଲ୍ୟ ସିଧାସଳଖ ଗ୍ରାହକଙ୍କ ଉପରେ ପଡ଼ିବ । ଅନ୍ୟପଟେ ଇଣ୍ଡିଆନ ଅଏଲ ହେଉଛି ଏକମାତ୍ର କମ୍ପାନୀ ଯିଏ କି ରୁଷର କମ୍ପାନୀ ସହ ଅଶୋଧିତ ତୈଳ କାରବାର ପାଇଁ ୬ ମାସର ଚୁକ୍ତି କରିଛି । ଏହି ଚୁକ୍ତି ଅନୁସାରେ ଇଣ୍ଡିଆନ ଅଏଲ ରୁଷ କମ୍ପାନୀ ଠାରୁ ୬ ମିଲିୟନ ବ୍ୟାରେଲ ତୈଳ କ୍ରୟ କରିପାରିବ ।  ହେଲେ ପୁଣି ଦେଶରେ ତୈଳ ଦର ବୃଦ୍ଧି ହେବା ନେଇ ଆଶଙ୍କା ଦେଖାଗଲାଣି ।

Comments are closed.