ରୁଷ ଦେଲା ଚୀନକୁ ଝଟକା: ଏସ୍ ୪୦୦ କ୍ଷେପଣାସ୍ତ୍ର ଚୀନକୁ ନୁହେଁ, ଭାରତକୁ ମିଳିବ

ଏସ୍-୪୦୦ କ୍ଷେପଣାସ୍ତ୍ର ଏସ୍-୩୦୦ କ୍ଷେପଣାସ୍ତ୍ରର ଉନ୍ନିତସ୍ତର । ୪୦୦ କିଲୋମିଟର ପରିଧି ମଧ୍ୟରେ ଏହା ୫ମ ପିଢ଼ିର ଅତ୍ୟାଧୁନିକ ଲଢ଼ୁଆ ବିମାନକୁ ମଧ୍ୟ ନଷ୍ଟ କରିବାକୁ ସକ୍ଷମ

ଏସ୍ ୪୦୦ ଡ଼ିଫେନ୍ସ ସିଷ୍ଟମ ଏକ ପ୍ରକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ଅସ୍ତ୍ର । ଯାହା ପାକିସ୍ଥାନ ଓ ଚୀନର ପରମାଣୁ କ୍ଷମତା ସମ୍ପନ୍ନ ବାଲାଷ୍ଟିକ କ୍ଷେପଣାସ୍ତ୍ରରୁ ମଧ୍ୟ ଭାରତକୁ ସୁରକ୍ଷା ଦେଇପାରିବ 

ଏହା ଏପରି ଏକ ଅତ୍ୟାଧୁନିକ ବ୍ୟବସ୍ଥା, ଯେଉଁଥିରୁ ଏକ ସମୟରେ ୭୨ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇ ପାରିବ । ଏହା ଆମେରିକାର ସବୁଠାରୁ ଅତ୍ୟାଧୁନିକ ଲଢ଼ୁଆ ବିମାନ ଏଫ୍-୩୫କୁ ମଧ୍ୟ ଖସାଇବାକୁ ସକ୍ଷମ

ଏହି ସିଷ୍ଟମର ସବୁଠାରୁ ବଡ଼ ଗୁରୁତ୍ଵପୂର୍ଣ୍ଣ କ୍ଷମତା ହେଉଛି ଏହା ଏକ ସମୟରେ ୩୬ଟି ପରମାଣୁ କ୍ଷେପଣାସ୍ତ୍ରକୁ ନଷ୍ଟ କରିବାକୁ ସକ୍ଷମ । ଚୀନ ପରେ ଏହାକୁ କ୍ରୟ କରିବାରେ ଭାରତ ଦ୍ବିତୀୟ ଦେଶ

ଚୀନ ପ୍ରଥମରୁ ଏହି କ୍ଷେପଣାସ୍ତ୍ର ସିଷ୍ଟମ ୨୦୧୮ରେ କ୍ରୟ କରିବାକୁ ଚୁକ୍ତି କରିଥିଲା ଓ ପ୍ରଥମ ପର୍ଯ୍ୟାୟ କ୍ଷେପଣାସ୍ତ୍ର ମଧ୍ୟ ଚୀନ ନେଇ ସାରିଛି । ଭାରତକୁ ଏହି କ୍ଷେପଣାସ୍ତ୍ର ସିଷ୍ଟମ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିପାରିବ । 

ମାତ୍ର ଚୀନକୁ ଦ୍ବିତୀୟ ପର୍ଯ୍ୟାୟ କ୍ଷେପଣାସ୍ତ୍ର ସିଷ୍ଟମ ଦେବାକୁ ରୁଷ ମନା କରିଛି । ମାତ୍ର ଭାରତକୁ ଏହି ମିଶାଇଲ ସିଷ୍ଟମ ଚଳିତ ବର୍ଷ ଶେଷ ସୁଦ୍ଧା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି 

ମସ୍କୋ: ଚୀନକୁ ବଡ଼ ଝଟକା ଦେଇଛି ରୁଷ । ପ୍ରଚଣ୍ଡ ଶକ୍ତିଶାଳୀ କୁହାଯାଉଥିବା ଏବଂ ବାୟୁୁରୁ ବାୟୁରେ ପ୍ରତିପକ୍ଷ ବିମାନକୁ ଧ୍ଵଂସ କରିବାକୁ ସକ୍ଷମ ଏସ୍-୪୦୦ କ୍ଷେପଣାସ୍ତ୍ର ଯୋଗାଇବା ନିମନ୍ତେ ଚୀନ ଚୁକ୍ତିରେ ପ୍ରତିବନ୍ଧକ ଲଗାଇଛି ରୁଷିଆ । ପୂର୍ବରୁ ଏହି କ୍ଷେପଣାସ୍ତ୍ର ସିଷ୍ଟମକୁ ରୋକିବା ନିମନ୍ତେ ସୂତ୍ର ସନ୍ଧାନ କରିବାରେ ଚୀନ ଗୁଇନ୍ଦା ଲାଗିଥିବା ମସ୍କୋ ଅଭିଯୋଗ କରିଥିଲା ।   ସେଣ୍ଟ ପିଟର୍ସବର୍ଗ ଆର୍କାଟିକ ସୋସିଆଲ ସାଇନସେସ ଏକାଡ଼େମୀର ଅଧ୍ୟକ୍ଷ ବାଲେରୀ ମିଟ୍କୋଙ୍କ ଉପରେ ଚୀନକୁ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତି ନକ୍ସା ଓ ଅନ୍ୟାନ୍ୟ ସୂତ୍ର ଗୋପନରେ ଯୋଗାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି ରୁଷ। ଏବେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ବନ୍ଦ କରିବା ଦ୍ବାରା ଏହି ଘଟଣାରେ ସତ୍ୟତାଥିବା ଅନୁମାନ କରାଯାଉଛି ।

ରୁଷ ଏପରି ଏକ ସମୟରେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ରୋକିବାକୁ ନିଷ୍ପତ୍ତି ନେଇଛି, ଯେତେବେଳେ କି ଚୀନ ବିଭିନ୍ନ ଦେଶ ସହ କୁଟନୈତିକସ୍ତରରେ ଲଢ଼େଇ ଆରମ୍ଭ କରିଛି । ପୂର୍ବ ଲାଦାଖରେ ଚୀନ୍ ଭାରତ ସହ ରକ୍ତାକ୍ତ ସଂଘର୍ଷ ଚଳାଇଛି, ଏଠାରେ ସ୍ଥିତି ଅତ୍ୟନ୍ତ ସ୍ପର୍ଶକାତର ରହିଛି । ସେପଟେ ହଂକଂ ଓ ଚୀନ ସାଗରରେ ନିଜର ଦାଦାଗିରି ପାଇଁ ଚୀନ ଆମେରିକା ଓ ୟୁରୋପୀୟ ଦେଶ ସହ ମୁହାଁମୁହିଁ ହୋଇଛି । ଅନ୍ୟପକ୍ଷରେ ଜାପାନ, ଅଷ୍ଟ୍ରେଲିଆ, ଭିଏତନାମ, କାମ୍ବୋଡ଼ିଆ, ଇଣ୍ଡୋନେସିଆ ସହ ଚୀନ ନିଜର ସାମ୍ରାଜ୍ୟବାଦୀ ମନୋଭାବ ଯୋଗୁଁ ସମ୍ପର୍କ ତିକ୍ତରୁ ତିକ୍ତତର ହୋଇଛି । ଏହି ସ୍ଥିତିରେ ଏସ୍-୪୦୦ କ୍ଷେପଣାସ୍ତ୍ର ସିଷ୍ଟମ ଯୋଗାଇବା ଉପରେ ରୁଷ ପ୍ରତିବନ୍ଧକ ଲଗାଇବା ଦ୍ବାରା ଚୀନ ଚିନ୍ତିତ ହୋଇଛି । ଅନ୍ୟ ପକ୍ଷରେ ଆନ୍ତର୍ଜାତିକସ୍ତରରେ ଚୀନକୁ କ୍ଷେପଣାସ୍ତ୍ର ସିଷ୍ଟମ ଯୋଗାଇବାରେ ରୁଷର ପଦକ୍ଷେପକୁ ୟୁରୋପୀୟ ଦେଶ ଓ ଆମେରିକା ପ୍ରଶଂସା କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ରୁଷ ଭାରତକୁ ଏହି କ୍ଷେପଣାସ୍ତ୍ର ସିଷ୍ଟମ ଯୋଗାଇବା ନେଇ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ଭାରତକୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସିଷ୍ଟମ ଚଳିତ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ରୁଷ କହିଛି ।

 

Comments are closed.