ନର୍କ ପାଲଟିଛି ୟୁକ୍ରେନ ଶରଣାର୍ଥୀଙ୍କ ଜୀବନ : ଜଳୁଛି ମାରିଉପୋଲ, ଖାର୍କିଭ ଓ ବ୍ରୋଭାରୀ

କିଭ୍‍ : ୟୁକ୍ରେନ୍‍ ଉପରେ ରୁଷ୍‍ ଆକ୍ରମଣକୁ ୫୩ ଦିନ ଅତିବାହିତ ହୋଇଥିବାବେଳେ ସମ୍ପ୍ରତି ରୁଷ୍‍ ସୈନ୍ୟଙ୍କ ପାଇଁ ମୁଖ୍ୟ ଲକ୍ଷ୍ୟ ପାଲଟିଛି ମାରିଉପୋଲ। ରୁଷ୍‍ ସୈନ୍ୟମାନେ ମାରିଉପୋଲ ସହରର ପ୍ରାୟ ୮୦ଭାଗ ନିଜ ଅଧୀନକୁ ନେଇସାରିଲେଣି। ସେଠାରେ ରାସ୍ତାରେ ରୁଷ୍‍ ସୈନ୍ୟଙ୍କ ସହିତ ରୁଷ୍‍ର ଗୁଇନ୍ଦା ଓ ରୁଷ୍‍ ପୁଲିସଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। କହିବାକୁ ଗଲେ ସମୁଦାୟ ସହରର ନିୟନ୍ତ୍ରଣ ଏବେ ରୁଷ୍‍ ନିଜ ଅଧୀନକୁ ନେଇସାରିଛି। ରୁଷ୍‍ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନ୍‍ର ବହୁ ସୈନ୍ୟ ଓ ସାଧାରଣ ନାଗରିକ ମୃତାହତ ହୋଇଥିବାବେଳେ ସେଠାରେ ଥିବା ଅବଶିଷ୍ଟ ସୈନ୍ୟ ଆତ୍ମସମର୍ପଣ କରିବାକୁ ରୁଷ୍‍ ଆହ୍ୱାନ ଦେଇଛି। ତାହା ନହେଲେ ପରିଣାମ ଭୟଙ୍କର ହେବ ବୋଲି ରୁଷ୍‍ ଚେତାବନୀ ଦେଇଛି। ଏଥିସହିତ ଖାର୍କିଭ ଏବଂ ଏହା ନିକଟବର୍ତ୍ତୀ ବ୍ରୋଭାରୀରେ ମଧ୍ୟ ରୁଷ୍‍ ପକ୍ଷରୁ କ୍ଷେପଣାସ୍ତ୍ର ଓ ରକେଟ ମାଡ ଚାଲିିଛି। ରାଜଧାନୀ କିଭ୍‍ରୁ ରୁଷ୍‍ ସୈନ୍ୟ କିଛିଦିନ ତଳେ ପଛକୁ ହଟିଥିବାବେଳେ ଏବେ ପୁଣି କିଭ୍‍ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ୟୁକ୍ରେନ୍‍ ସହର ଜାପୋରିଜିଆକୁ ରୁଷ ସୈନ୍ୟ ଘେରି ରହିଛନ୍ତି। ଏହି ରାଜ୍ୟର ପ୍ରାୟ ୭୦% ସମ୍ପ୍ରତି ରୁଷ ସୈନ୍ୟଙ୍କ ନିୟନ୍ତ୍ରଣରେ ରହିଛି। ତାହାସହିତ ମେଲିଟୋପୋଲ ଠାରୁ ବୁର୍ଦ୍ୟାନସ୍କ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ରୁଷ୍‍ର ଟ୍ୟାଙ୍କ, ସାମରିକ ଗାଡି ଏବଂ ସେନା ପଇଁତରା ମାରୁଛନ୍ତି। ଯୁଦ୍ଧର ଦିନ ବଢ଼ିଚାଲିଥିବାବେଳେ ପୁଟିନ ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି। ରୁଷ୍‍ ଆକ୍ରମଣରୁ ନିଜ ଜୀବନ ବଞ୍ଚାଇବା ପାଇଁ ୟୁକ୍ରେନ ଛାଡିଥିବା ଶରଣାର୍ଥୀଙ୍କ ଜୀବନ ନର୍କପ୍ରାୟ ହୋଇଯାଇଛି। ତେରତାନ୍ୟା ନାମକ ଜଣେ ୟୁକ୍ରେନ ବାସିନ୍ଦା କହିଛନ୍ତି, ସେ ଘର ଛାଡିବା ପରେ ରୁଷ୍‍ ସୈନ୍ୟ ମାରାତ୍ମକ ଫସଫରସ ବୋମା ମାଡ କରୁଥିବା ଦେଖିବାକୁ ପାଇଥିଲେ। ଉକ୍ତ ବୋମାକୁ ଆନ୍ତର୍ଜାତିକ ସ୍ତରରେ ନିଷେଧ କରାଯାଇଛି। ସେହିଭଳି ଅନ୍ୟଜଣେ ୟୁକ୍ରେନ ନାଗରିକ ଇୟୁଗାନ୍‍ କହିଛନ୍ତି ସେ ନିଜ ପରିବାର ଧରି ଚାରିଦିନ ଚାଲିଚାଲି ୩୦ଟି ତନଖି ଫାଟକ ଅତିକ୍ରମ କରିଥିଲେ। ସେତେବେଳେ ତାଙ୍କୁ ମନେହେଉଥିଲା ତାଙ୍କ ଜୀବନ ସତେ ଯେମିତି ନର୍କ ପାଲଟିଯାଇଛି। ତାଙ୍କ କହିବା ଅନୁଯାୟୀ ରୁଷ୍‍ ସୈନ୍ୟ ମାରିଉପୋଲ ସହରକୁ ଖିନଭିନ୍‍ କରିଦେଇଛନ୍ତି। ଜଣେ ଶିକ୍ଷୟିତ୍ରୀ ଓଲେନା କହିଛନ୍ତି, ରୁଷ ଆକ୍ରମଣ ଭୟରେ ସେ ଘରଛାଡି ପଳାଇଯାଇଥିଲେ। କିଛିଦିନ ପରେ ଫେରି ଦେଖିଲେ ତାଙ୍କ ଘର ଧ୍ୱଂସସ୍ତୁପ ପାଲଟିଛି। ଏହାପରେ ସେ ନିଜ ଛୋଟ ଝିଅକୁ ଧରି ସେଠାରୁ ପୋଲାଣ୍ଡ ଚାଲିଯାଇଛନ୍ତି।
ମାରିଉପୋଲ ରୁଷ୍‍ ସେନାଙ୍କ ହାତରେ ଟେକିଦେବାକୁ ରୁଷ୍‍ ପକ୍ଷରୁ ରବିବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିଲେ ମଧ୍ୟ ୟୁକ୍ରେନ ସୈନ୍ୟମାନେ ସହରକୁ ସୁରକ୍ଷା କରିବା ପାଇଁ ରୁଷ୍‍ ସୈନ୍ୟଙ୍କର ମୁକାବିଲା ଜାରି ରଖିଛନ୍ତି। ୟୁକ୍ରେନ୍‍ ସୈନ୍ୟ କୌଣସି ପରିସ୍ଥିତିରେ ଆତ୍ମସମର୍ପଣ ନକରିବାକୁ ଦେଶର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‍ସ୍କି ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ରୁଷ୍‍ର କ୍ଷେପଣାସ୍ତ୍ର ଆକ୍ରମଣରେ କିଭ୍‍ ନିକଟ ବ୍ରୋଭାରୀ ସହରରେ ଥିବା ଏକ ଶକ୍ତି ଉତ୍ପାଦନ ପ୍ରକଳ୍ପ ନଷ୍ଟ ହୋଇଯାଇଛି। ତେବେ ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‍ସନ ଆସନ୍ତା ଗୁରୁବାର ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ସେ ତାଙ୍କର ଏହି ଗସ୍ତ କାଳରେ ଭାରତ ସହିତ ଦ୍ୱିପାକ୍ଷିକ ପ୍ରତିରକ୍ଷା, କୂଟନୈତିକ ଏବଂ ଅର୍ଥନୈତିକ ସହଭାଗିତା ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିବେ ା ଆର୍କଟିକ ଅଞ୍ଚଳରେ ନାଟୋର ବର୍ଦ୍ଧିତ କାର୍ଯ୍ୟକଳାପକୁ ନେଇ ରୁଷ୍‍ ଚେତାବନୀ ଦେଇଛି। ଆମେରିକା ପକ୍ଷରୁ ଯୋଗାଇ ଦିଆଯାଇଥିବା ସାମରିକ ସହାୟତା ରବିବାର ୟୁକ୍ରେନ୍‍ରେ ପହଞ୍ଚିଛି। ସେଥିରେ କେତେକ ଲଢୁଆ ହେଲିକପ୍ଟର, ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ରହିଥିବା ଜଣାଯାଇଛି। ଏହି ସହାୟତା ପ୍ରାୟ ୮୦୦ ନିୟୁତ ଡଲାର ମୂଲ୍ୟର ବୋଲି ଜଣାଯାଇଛି।

Comments are closed.