ଗ୍ରାମ ଉଜାଲା: ୫ କୋଟି ଗ୍ରାମୀଣ ପରିବାରକୁ ୧୦ ଟଙ୍କାରେ ମିଳିବ ଏଲ୍ଇଡ଼ି ବଲ୍ବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉଜାଲା ଯୋଜନା କଥା କେହି ଭୂଲି ନ ଥିବେ । ଏହି ଯୋଜନାରେ କେନ୍ଦ୍ର ସରକାର ଶସ୍ତା ଦରରେ ଲୋକଙ୍କୁ ଏଲ୍ଇଡ଼ି ବଲ୍ ଯୋଗାଇ ଦେଇଥିଲେ । ପ୍ରାୟ ୨୫୦ରୁ ୩୦୦ ଟଙ୍କାରେ ମିଳୁଥିବା ଏଲ୍ଇଡ଼ି ବଲବକୁ ୭୦ ଟଙ୍କାରେ ସେତେବେଳେ ସରକାର ଯୋଗାଇ ଦେଇଥିଲେ । ଏବେ କେନ୍ଦ୍ର ସରକାର ଆଉ ଏକ ନୂଆ ଯୋଜନା ପ୍ରଚଳନ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ୫ କୋଟି ଗ୍ରାମୀଣ ପରିବାରକୁ ଶସ୍ତାରେ ଏଲଇଡ଼ି ବଲବ ଯୋଗାଇ ଦିଆଯିବ । ଯାହାର ମୂଲ୍ୟ ରହିବ ମାତ୍ର ୧୦ ଟଙ୍କା । ‘ଗ୍ରାମ ଉଜାଲା’ ନାମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପୂର୍ବରୁ ଉଜାଲା ଯୋଜନାରେ ଅଂଶୀଦାର ଥିବା ଇଇଏସଏଲ୍ (ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିଃ) ଏହି ବଲବ ଗାଁ ଗାଁରେ ପହଞ୍ଚାଇବ ।

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନ ଅନୁସାରେ ଇଇଏସଏଲ୍ ପକ୍ଷରୁ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୩ଟି ଲେଖାଏଁ ବଲବ ଯୋଗାଇ ଦେବ । ପ୍ରାୟ ୫ କୋଟି ହିତାଧିକାରୀ ଏହାଦ୍ବାରା ଉପକୃତ ହେବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫ କୋଟି ବଲବ ଯୋଗାଇ ଦିଆଯିବ । ଇସିସିଏଲର ଜଣେ  ନିର୍ଦେଶକ ଭେଙ୍କଟେଶ ଦ୍ବିବେଦୀଙ୍କ ସୂଚନା ଅନୁସାରେ ପୂର୍ବରୁ ଉଜାଲା ଯୋଜନାରେ ଦେଶରେ ୩୬ କୋଟିରୁ ଅଧିକ ଏଲ୍ଇଡ଼ି ବଲ୍ ବିତରଣ କରାଯାଇଥିଲା । ଏହି ବଲବ ଦ୍ବାରା ଦେଶରେ ୪୭୫୬.୮ କୋଟି ୟୁନିଟ୍ ବିଜୁଳି ସଞ୍ଚୟ ହୋଇ ପାରିଛି । ଏହା ବଦଳରେ କମ୍ପାନୀକୁ କାର୍ବନ କ୍ରେଡ଼ିଟ୍ ମିଳିଛି । ଏହି କାର୍ବନ କ୍ରେଡ଼ିଟକୁ ବଜାରୀକରଣ କରାଯିବା ପରେ କମ୍ପାନୀକୁ ପଇସା ମିଳିବ ଏବଂ ଏହି ଅର୍ଥର ଉପଯୋଗ କରାଯାଇ ଗାଁର ଗରିବ ଲୋକମାନଙ୍କୁ ଶସ୍ତାରେ ଏଲ୍ଇଡ଼ି ବଲବ ଯୋଗାଇ ଦିଆଯିବ ବୋଲି ଶ୍ରୀ ଦ୍ବିବେଦୀ କହିଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବଲବର ମୂଲ୍ୟ ୧୫ରୁ ୨୦ ଟଙ୍କାରେ ଯୋଗାଇ ଦିଆଯାଇପାରିବ । ମାତ୍ର ଚାହିଦା ବୃଦ୍ଧି ହେଲେ ୧୦ ଟଙ୍କା ଦରରେ ମଧ୍ୟ ବଲ୍ ଯୋଗାଇ ଦିଆଯିବ ଓ ଆସନ୍ତା ୬ ମାସ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି ।

Comments are closed.