୩୦ ବର୍ଷରେ ହକିରୁ ଅବସର ନେଲେ ରୁପିନ୍ଦର

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ତାରକା ଡ୍ରାଗ୍‌ ଫ୍ଲିକର ତଥା ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିବା ରୁପିନ୍ଦର ପାଲ ସିଂହ ଅନ୍ତର୍ଜାତୀୟ ହକିରୁ ସନ୍ୟାସ ନେଇଛନ୍ତି। ଏ ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ରୁପିନ୍ଦରପାଲ ସିଂହ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ରୁପିନ୍ଦର ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଅନ୍ତର୍ଜାତୀୟ ହକି ଛାଡ଼ିଥିବା ନେଇ କହିଛନ୍ତି।

ଭାରତୀୟ ହକି ଦଳର ଷ୍ଟାର ଡ୍ରାଗ୍‌ ଫ୍ଲିକର ଭାବେ ପରିଚିତ ହରିୟାଣାର ୩୦ ବର୍ଷୀୟ ରୁପିନ୍ଦର ପାଲ ସିଂହ ୧୩ ବର୍ଷର କ୍ୟାରିୟରରେ ଭାରତୀୟ ଦଳ ପାଇଁ ୨୨୩ଟି ମ୍ୟାଚ ଖେଳି ୧୧୫ଟି ଗୋଲ ସ୍କୋର କରିଛନ୍ତି। ରୁପିନ୍ଦର ସାମାଜିକ ଗଣମାଧ୍ୟମ ଜରିଆ​ରେ ନିଜର ଅବସର ଘୋଷଣା ନେଇ ସୂଚନା ଦେଇଛନ୍ତି। ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବା ଲକ୍ଷ୍ୟ ନେଇ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ କହିଛନ୍ତି ଯେ, ଗତ କିଛି ମାସ ଧରି ମୋ ହକି ଜୀବନର ଶ୍ରେଷ୍ଠ ସମୟ ରହିଛି। ଟୋକିଓରେ ସାଥି ଖେଳାଳିଙ୍କ ସହ ପୋଡ଼ିୟମରେ ଛିଡ଼ା ହେବାର ଅନୁଭୂତିକୁ କେବେ ବି ଭୁଲି ହେବ ନାହିଁ ବୋଲି ରୁପିନ୍ଦର କହିଛନ୍ତି। ସେ କହିଛନ୍ତି ଯେ, ମୋ ମତରେ ଏବେ ଯୁବ ଓ ପ୍ରଭାବଶାଳୀ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର। ଯାହା ମୁଁ ଭାରତ ପାଇଁ ୧୩ ବର୍ଷ ଖେଳି ଅନୁଭବ କରିଛି।

ରୁପିନ୍ଦର ୨୦୧୪ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ, ୨୦୧୮ କାଂସ୍ୟ, ୨୦୧୪-୧୫ ହକି ବିଶ୍ବଲିଗ୍‌ କାଂସ୍ୟ, ୨୦୧୭-୧୮ ହକି ବିଶ୍ବଲିଗ୍‌ କାଂସ୍ୟ, ୨୦୧୩ ଏସିଆ କପ ରୌପ୍ୟ, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ, ୨୦୧୧ ଏସିଆ କପ୍‌ ସ୍ବର୍ଣ୍ଣ, ୨୦୧୨ ରୌପ୍ୟ,୨୦୧୬ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ।

Comments are closed.