ଶାନ୍ତି ଶୃଂଖଳାରେ ଶେଷ ହେଲା ଚୌଦ୍ୱାର ରୂପଯାତ୍ରା 

ଚୌଦ୍ୱାର : ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ଶନିବାର ଦିନ ଉଦଯାପିତ ହୋଇ ଯାଇଛି। ଅଞ୍ଚଳର ବିଭିନ୍ନ ସାହି ବସ୍ତିରେ ପ୍ରତିଷ୍ଠିତ ଦୂର୍ଗା, ଲକ୍ଷ୍ମୀ, ହର ପାର୍ବତୀ, ମହାଦେବ, ଲକ୍ଷ୍ମୀନାରାୟଣ, ହନୁମାନ ଆଦି ୪୩ଟି ମେଢ଼ ଶନିବାର ସକାଳେ ମଣ୍ଡପ ଛାଡ଼ି ବିନା ବାଜା ବିନା ଶୋଭାଯାତ୍ରାରେ ତିନିକୋଣିଆ ସ୍ଥିତ ଯାତ୍ରା ପଡ଼ିଆରେ ପହଞ୍ଚିଥିଲେ । ଯାତ୍ରା କମିଟି ନିକଟରୁ ଛନ୍ଦା ଗ୍ରହଣ କରି କ୍ରମ ଅନୁସାରେ ଯାଇ ବିରୂପା କୂଳରେ ପୌର ପାଳିକା ତରଫରୁ ନିର୍ମାଣ କରାଯାଇଥିବା  ଅସ୍ଥାୟୀ ପୋଖରୀରେ ବିସର୍ଜିତ ହୋଇଥିଲେ। କୋଭିଡ଼ କଟକଣା ହେତୁ କମିସନରେଟ ପୁଲିସ ତରଫରୁ ମେଳାରେ ଜନ ସମାଗମକୁ ବାରଣ କରାଯାଇଥିବାରୁ ଯାତ୍ରା ପଡ଼ିଆ ଜନଶୂନ୍ୟ ରହିଥିଲା । ପ୍ରତି ମେଢ଼ରେ କେବଳ ୭ଜଣ କର୍ମକର୍ତ୍ତା ଉପସ୍ଥିତିକୁୁ ଅନୁମତି ଦିଆ ଯାଇଥିବାରୁ ମେଢ଼ ନେବାରେ ସମସ୍ୟା ଦେଖା ଦେଇଥିବା ଦେଖିବାକୁ ମିଳିଛି । ଅନେକ ମେଢ଼କୁ ଉପସ୍ଥିତ ପୁଲିସ୍ କର୍ମଚାରୀ ଟାଣି ଆଗକୁ ବଢ଼ାଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ସମସ୍ତ ମେଢ଼ ବିସର୍ଜିତ ହୋଇଥିଲା ।ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ତଥା ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ପରିଚାଳନାରେ ଏଡିସିପି, ୩ ଇନିସ୍ପେକ୍ଟର, ବହୁ ଅଧିକାରୀଙ୍କ ସମେତ ୩ ପ୍ଲାଟୁନ୍ ଫୋର୍ସ, ମହିଳା ପୁଲିସ୍ ଓ ଟ୍ରାଫିକ୍ ପୁଲିସ ଯାତ୍ରାରେ ଶୃଂଖଳା ରକ୍ଷା କରିଥିଲେ । ଦୀର୍ଘ ୧୩ ଦିନର ଏହି ପ୍ରସିଦ୍ଧ ଯାତ୍ରା ଚଳିତ ବର୍ଷ କରୋନା କଟକଣା ହେତୁ ଫିକା ପଡ଼ି ଯାଇଥିବା ଦେଖିବାକୁ ମିଳିଛି ।

Comments are closed.