ଟିକା ନିୟମ କୋହଳ

ପ୍ରଥମ ପାନ ଘରୋଇ ଡାକ୍ତରଖାନାରେ ନେଇଥିଲେ ଦ୍ୱିତୀୟ ପାନ ସରକାରୀ ଡାକ୍ତରଖାନାରେ ନେଇପାରିବେ

ଭୁବନେଶ୍ବର : ଯଦି ଆପଣ ଘରୋଇ ଡାକ୍ତରଖାନାରେ ପ୍ରଥମ ପାନ ଟିକା ନେଇଛନ୍ତି ତେବେ ଚାହିଲେ ଦ୍ବିତୀୟ ପାନ ସରକାରୀ ଡାକ୍ତରଖାନାରେ ନେଇପାରିବେ। ଏପରିକି ଯଦି କେହି ପ୍ରଥମ ପାନ ନେବା ପରେ ବି ସଂକ୍ରମିତ ହୋଇଛନ୍ତି, ତାହେଲେ ମଧ୍ୟ ସେ ଦ୍ବିତୀୟ ପାନ ନେଇପାରିବେ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।
ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ମୃତ୍ୟୁହାର କମ୍‌ ରହିବ। ୩ୟ ପର୍ଯ୍ୟାୟ ଟିକାକରଣକୁ ନେଇ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି। ତେବେ ପୂର୍ବରୁ ଟିକାକରଣ ଲାଗି ଟିକାଦାନ ସ୍ଥଳରେ ପଞ୍ଜିକରଣ ହେଉଥିବା ବେଳେ ଏଣିକି ଅନଲାଇନ୍‌ରେ ହିଁ ନାମ ପଞ୍ଜିକରଣ କରିବାକୁ ପଡ଼ିବ। କୋ-ୱିନ ପୋର୍ଟାଲ ଓ ‘ଆରୋଗ୍ୟ ସେତୁ’ ଆପ୍‌ରେ ପଞ୍ଜୀକରଣ କରିବା ପରେ ଟିକା ନେଇପାରିବେ। ଏହାଦ୍ବାରା ଆପଣ କେଉଁଠି, କେତେବେଳେ ଓ କେଉଁ ସମୟରେ ଟିକା ନେବାକୁ ଚାହୁଁଛନ୍ତି ତାହାକୁ ଉକ୍ତ ପୋର୍ଟାଲ ଜରିଆରେ ଅତି ସହଜରେ ପଞ୍ଜିକରଣ କରି ଆବଶ୍ୟକ ସୂଚନା ପ୍ରାପ୍ତୂ କରିପାରିବେ। ଦେଶରେ ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଆରମ୍ଭ ହେବ।

Comments are closed.