ରୁକୁଣା ରଥଯାତ୍ରା ଲାଗି ନୀତି ନିର୍ଘଣ୍ଟ : ମହାରଣା ସେବାୟତଙ୍କ କାର୍ଯ୍ୟବନ୍ଦ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ରୁକୁଣା ରଥଯାତ୍ରା ବାହୁଡା ଯାତ୍ରାରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଗତବର୍ଷ ନୀତି ନିର୍ଘଣ୍ଟ ଅନୁସାରେ ରଥଯାତ୍ରା ଓ ବାହୁଡା ଯାତ୍ରା ସମ୍ପାଦିତ କରିବା ପାଇଁ ସେବାୟତମାନେ ସହମତି ପ୍ରକାଶ କରିଥିଲେ ା
ଆସନ୍ତା ୨୦ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପଡୁଛି। ଏହି ଦିନ ଭୋର ୫ଟାରେ ମନ୍ଦିର ପହଡ ଖୋଲି ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତି କରାଯିବ।ଏହାପରେ ଅନ୍ୟାନ୍ୟ ନୀତି ହୋଇ ଦିନ ସାଢେ ୧୨ଟାରୁ ଅପରାହ୍ଣ ସାଢେ ଗୋଟାଏ ଭିତରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେହୋଇ ଅପରାହ୍ଣ ସାଢେ୩ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସନ୍ଧ୍ୟା ସାଢେ୭ଟାରେ ଶ୍ରୀଜୀଉ ରାମେଶ୍ୱର ମନ୍ଦିରରେ ବିଜେ କରିବା ପରେ ସେଠାରେ ଅନ୍ୟାନ୍ୟ ନୀତି କରାଯିବ। ସେହିପରି ଆସନ୍ତା ୨୪ ତାରିଖରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରରେ ଅପରାହ୍ଣ ସାଢେ ଗୋଟାଏ ମଧ୍ୟରେ ଅଧରପଣା ଭୋଗ କରାଯାଇ ଶ୍ରୀଜୀଉଙ୍କ ପହଣ୍ଡି ନୀତି ଅପରାହ୍ଣ ୩ଟାରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

ରୁକୁଣାରଥ ଗଢାରେ ଶନିବାର ବିଭ୍ରାଟ ଦେଖାଦେଇଥିଲା। ସକାଳେ ମହାରଣା ସେବାୟତ ମନ୍ଦିର ପ୍ରଶାସନର ଅସହଯୋଗ ଅଭିଯୋଗ କରି ରଥଖଳାରେ ରଥଗଢା କାର୍ଯ୍ୟ ବନ୍ଦ କରିଦେଇଥିଲେ। ୨ ଘଣ୍ଟା ଧରି ମହାରଣା ସେବାୟତ ରଥଖଳାରେ ପ୍ରତିବାଦ ପ୍ରଦର୍ଶନ କରିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ରଥ ତିଆରି ପାଇଁ ଆବଶ୍ୟକ କାଠ ଯୋଗାଇ ଦିଆଯାଇଥିଲା ା ଏହାପରେ ଯଥାରୀତି ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ମନ୍ଦିର କର୍ମଚାରୀ ଜଣକ ଆବଶ୍ୟକ କାଠ ଯୋଗାଇ ନଦେବାରୁ ଏହାକୁ କେନ୍ଦ୍ରକରି ମହରଣା ଓ ମନ୍ଦିର କର୍ମଚାରୀଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କାଠ ନଯୋଗାଇଲେ ରଥ ତିଆରି କାମ କରିବେନି ବୋଲି କହି ଜିଦରେ ମହାରଣା ସେବାୟତ କାର୍ଯ୍ୟବନ୍ଦ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ ବୋଲି ଶ୍ରୀଲିଙ୍ଗରାଜଙ୍କ ବରିଷ୍ଠ ମହାରଣା ସେବାୟତ ବଟକୃଷ୍ଣ ମହାରଣା କହିଛନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଏଥିରେ ହସ୍ତକ୍ଷେପ କରି ମନ୍ଦିର କର୍ମଚାରୀଙ୍କୁ ଆବଶ୍ୟକ ସଂଖ୍ୟକ କାଠ ଯୋଗାଇବାକୁ ନିର୍ଦେଶ ଦେବା ପରେ ରଥକାର୍ଯ୍ୟ ସ୍ବଭାବିକ୍ ହୋଇଥିଲା।

Comments
Loading...