ଆଣ୍ଟିଜେନ ଟେଷ୍ଟ ନେଗେଟିଭ୍ ଥିଲେ ମଧ୍ୟ ଲକ୍ଷଣଯୁକ୍ତ ମାମଲାର ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ

ସଂକ୍ରମଣ ରୋକିବା ପାଇଁ ଯେପରି କୌଣସି କୋଭିଡ ପଜିଟିଭ ମାମଲା ବାଦ ନପଡେ ତାହା ସୁନିଶ୍ଚିତ କରିବାକୁ ପଡିବ

କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା ନହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନଜରକୁ ଆସିଛି ।  ତେଣୁ ଆଇସିଏମଆରର ନିୟମାବଳୀ ଅନୁସାରେ ଜ୍ଵର, କଫ ଓ ନିଶ୍ଵାସ ପ୍ରଶ୍ଵାସ ଜନିତ ଅସୁବିଧା ଥାଇ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରିବା  ଏବଂ ରାପିଡ଼ ଆଣ୍ଟିଜେନ ପରୀକ୍ଷା ଦ୍ଵାରା ଲକ୍ଷଣ ବିହୀନ ନେଗେଟିଭ ମାମଲା ଥିବା ସତ୍ବେ ଦୁଇତିନି ଦିନ ପରେ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇ ନେଗେଟିଭ ହୋଇଥିବା ମାମଲାଗୁଡ଼ିକର ଆରଟିପିସିଆର ପରୀକ୍ଷା କରିବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖି ରାପିଡ଼ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ସମସ୍ତ ଲକ୍ଷଣ ଥିବା ସତ୍ଵେ ନେଗେଟିଭ ବାହାରିଥିବା ସମସ୍ତ ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷଣଯୁକ୍ତ ମାମଲାଗୁଡିକ ଯେପରି ବିନା ପରୀକ୍ଷାରେ ରହି ଆଉ କାହାକୁ ସଂକ୍ରମିତ ନକରନ୍ତି ତାହାକୁ ଦୃଷ୍ଟିରେ ରଖି ଏହା କରାଯାଇଛି । ଏହାଫଳରେ ସଅଳ ଚିହ୍ନଟ, ଏକାନ୍ତବାସ ଓ ହସ୍ପିଟାଲରେ ଭର୍ତ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଯେତେବେଳେ ସଂକ୍ରମଣ ଅଧିକରୁ ଅଧିକ ହେଉଥାଏ ତାହାକୁ ଶୀଘ୍ର ଠାବ କରିବା ପାଇଁ ରାପିଡ଼ ଆଣ୍ଟିଜେନ ଟେଷ୍ଟ କରାଯାଉଥିଲେ ମଧ୍ୟ ଆରଟିପିସିଆର ସବୁବେଳେ କୋଭିଡ ପରୀକ୍ଷାର ଶ୍ରେଷ୍ଠ ଉପାୟ ବୋଲି ବିବେଚନା କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏସବୁ ମାମଲାଗୁଡିକ ଯାଞ୍ଚ କରିବା ପାଇଁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ନିର୍ଦ୍ଦିଷ୍ଟ ଅଧିକାରୀ ବା ଏକ ଗ୍ରୁପ ଗଠନ କରିବାକୁ ପରାମର୍ଶ ଦେଇଛି । ଏହି ଟିମଗୁଡିକ ପ୍ରତିଦିନ ଜିଲ୍ଲା ଓ ରାଜ୍ୟରେ ହେଉଥିବା ରାପିଡ଼ ଆଣ୍ଟିଜେନ ପରୀକ୍ଷାଗୁଡିକର ବିଶ୍ଳେଷଣ କରି ସମସ୍ତ ଲକ୍ଷଣଯୁକ୍ତ ନେଗେଟିଭ ମାମଲାଗୁଡିକର ଆରଟିପିସିଆର ଟେଷ୍ଟ ସୁନିଶ୍ଚିତ କରିବେ । ଯେପରି କୌଣସି ପଜିଟିଭ ମାମଲା ବାଦ ନପଡେ ତାହା ଦେଖିବା ଦାୟିତ୍ଵ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉପରେ ନ୍ୟସ୍ତ ହୋଇଛି । ସେମାନଙ୍କୁ ନିୟମିତ ଭାବେ କରାଯାଉଥିବା ଆରଟିପିସିଆର ପରୀକ୍ଷାର ପଜିଟିଭ ମାମଲାଗୁଡିକୁ ବିଶ୍ଳେଷଣ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

Comments
Loading...