ବଜ୍ରପାତ ପାଇଁ ୮ ଜିଲାକୁ ମଧ୍ୟମ ଚେତାବନୀ

ବଲାଙ୍ଗିରରେ ତାପମାତ୍ରା ୪୧.୪ ଡିଗ୍ରୀ,-୪ ଦିନ କାଳବୈଶାଖୀ,-୪୦ ଡିଗ୍ରୀ ଉପରେ ୪ସହର

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରାୟ ସ୍ଥାନରେ ସର୍ବାଧିକ ତାପମାତ୍ରା ଖସିବ। ତେବେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବ ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି। ଏଭଳି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡା ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ରାୟଗଡା, ମାଲକାନଗିରି ଏବଂ କୋରାପୁଟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳକୁ ମଧ୍ୟମ ଚେତାବନୀ (ଅରେଞ୍ଜ ୱାର୍ଣ୍ଣିଂ) ଜାରି କରାଯାଇଛି। ଉକ୍ତ ଜିଲାଗୁଡିକରେ ୫୦ରୁ ୬୦ କି.ମି ବେଗରେ ପବନ ବହିବ। ବଜ୍ରପାତ ସମୟରେ ଲୋକେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ବିଜୁଳି ଘଡଘଡି ସହ ବର୍ଷା ଯୋଗୁଁ ଶସ୍ୟକ୍ଷେତ୍ର କ୍ଷତି ହେବାର ଆଶଙ୍କା ରହିଛି। ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ପୁରୀ, ଗଞ୍ଜାମ, ଗଜପତି, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ରାୟଗଡା, ମାଲକାନଗିରି ଏବଂ କୋରାପୁଟକୁ ହାଲୁକା ଚେତାବନୀ (ୟେଲୋ ୱାର୍ଣ୍ଣିଂ) ଦିଆଯାଇଛି।
ଗତ କିଛିଦିନ ହେଲା କାଳବୈଶାଖୀ ପ୍ରଭାବ ଯୋଗୁଁ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ଥିବାବେଳେ ବୌଦ୍ଧରେ ୪୦.୮, ଭବାନୀପାଟଣାରେ ୪୦.୧ ଏବଂ ଟିଟିଲାଗଡରେ ୪୦ ଡିଗ୍ରୀ ପାରଦ ରହିଛି। ଭୁବନେଶ୍ବରରେ ୩୯.୬ ଏବଂ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ରବିବାର ବାଲେଶ୍ବର, ଅନୁଗୋଳ, ବାରିପଦା, କେନ୍ଦୁଝର ଏବଂ ଦାରିଙ୍ଗବାଡିରେ ବର୍ଷା ହୋଇଛି। କାଳବୈଶାଖୀ ଜନିତ ବଜ୍ରପାତ ଏବଂ ବର୍ଷାକୁ ଲକ୍ଷ୍ୟକରି ସତର୍କ ରହିବା ପାଇଁ ଜିଲାପାଳଙ୍କୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ(ଏସଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଦକ୍ଷିଣ ବଙ୍ଗୋପସାଗର ତାମିଲନାଡୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମେ ୧୪ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ବିଶ୍ବର କେତେକ ପାଣିପାଗ ଗବେଷଣା ସଂସ୍ଥା ଆକଳନ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଦେଇ ଯିବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଶରତ କୁମାର ସାହୁ କହିଛନ୍ତି, ଏପ୍ରିଲ ଏବଂ ମେ ମାସରେ ଛୋଟ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଏହା ଉପରେ ଏବେଠାରୁ ଆକଳନ କରିବା କଷ୍ଟ। ୮ ତାରିଖ ସୁଦ୍ଧା ସ୍ପଷ୍ଟ ଭାବେ କୁହାଯାଇପାରିବ। ଏ ସଂକ୍ରାନ୍ତରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନାହିଁ।

Comments are closed.