ନେତା କିମ୍ବା ସରକାର ନୁହେଁ ସମାଜର ପରିବର୍ତ୍ତନ ହେଲେ ଦେଶର ଭାଗ୍ୟ ବଦଳିବ: ମୋହନ ଭାଗବତ

ଭୁବନେଶ୍ବର : ପ୍ରତ୍ୟେକ ବ୍ୟକ୍ତି ଭିତରେ ରାଷ୍ଟ୍ରଭକ୍ତି ଜାଗ୍ରତ ହେବା ଜରୁରୀ। ନେତା, ନୀତି, ସରକାର ଯେଉଁ ପଥରେ ଯିବେ ଦେଶର ଜନସାଧାରଣ ସେହି ପଥ ଅନୁସରଣ କରିବେ। ଦେଶର ୧୩୦କୋଟି ନାଗରିକଙ୍କୁ ଏକ ସମୟରେ ବଦଳାଇବା ଅସମ୍ଭବ। ଶ୍ରେଷ୍ଠ ବିଚାରଧାରା ବ୍ୟକ୍ତି ଯେଉଁ ପଥ ଦେଖାଇବେ ତାହାକୁ ସାଧାରଣ ଲୋକେ ଆନ୍ତରିକତାର ସହ ଅନୁସରଣ କରିବେ। ସେହି ବ୍ୟକ୍ତିମାନଙ୍କ ଦ୍ବାରା ସମାଜ ପରିବର୍ତ୍ତନ ହୋଇ ପାରିବ ଏବଂ ଦେଶର ଭାଗ୍ୟ ବଦଳିବ ବୋଲି ଆରଏସଏସର ମୁଖ୍ୟ ସଂଘଚାଳକ ଡ. ମୋହନ ରାଓ ଭାଗବତ କହିଛନ୍ତି।
ଶନିବାର ସୋଆ ବିଶ୍ବବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ବିଶିଷ୍ଟ ନାଗରିକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଭାଗବତ କହିଥିଲେ ଯେ କେବଳ ଭାଷଣରେ ସଂଘର ପ୍ରଚାର ହୁଏ ନାହିଁ। ଆତ୍ମୀୟତା, ଆଚରଣ ଓ ସଦାଚାର ଦ୍ବାରା ସଂଘ ବିସ୍ତାର ହୋଇଥାଏ। ପ୍ରଥମେ ସଂଘର ଗୂଢ଼ତତ୍ତ୍ବକୁ ବୁଝିବା ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଅଟେ। ବିଶ୍ବରେ ଆରଏସଏସ ଭଳି ତୁଳନାତ୍ମକ ସଂଘ ନାହିଁ। ଭାରତ ମାଟିରୁ ଯେଉଁ ସନାତନ ଧର୍ମର ଅଭ୍ୟୁଦୟ ହୋଇଛି ତାହା ବିଶ୍ବକୁ ଶାନ୍ତି ଓ ମୈତ୍ରୀର ବାଟ କଢ଼େଇବାର ବାର୍ତ୍ତା ଦେଉଛି। ସଂଘର କାର୍ଯ୍ୟ ଧାରାରେ ଯେଉଁମାନେ କାର୍ଯ୍ୟ କରିବେ ସେମାନେ ପ୍ରଥମେ ଭାରତର ମାନସିକତାକୁ ବୁଝିବାକୁ ପଡିବ। ଏହାଦ୍ବାରା ରାଷ୍ଟ୍ରୀୟ ଚେତନା ଜାଗ୍ରତ ହୋଇପାରିବ। ଧର୍ମ, ସଂପ୍ରଦାୟ, ସଂସ୍କୃତି ଓ ରାଷ୍ଟ୍ର-ଜାତୀୟତା ଶବ୍ଦକୁ ନେଇ ଭ୍ରମ ଓ ଭିନ୍ନତା ରହିଛି। ଏହାର ଭାବଧାରା ବୁଝି ପାରିଲେ ଲୋକେ ଭ୍ରମରେ ପଡିବେ ନାହିଁ। ସେଥିପାଇଁ ସଂଘ ପ୍ରତି ସଙ୍କୋଚ ମନୋଭାବ ନରଖି ଏହାର ଅସଲି ମହତ୍ତ୍ବ ବୁଝିବାକୁ ହେବ ବୋଲି ଡ. ଭାଗବତ କହିଛନ୍ତି।
ଦେଶର ଗଳିକନ୍ଦିରେ ରାଷ୍ଟ୍ରୀୟ ଚେତନା ସୃଷ୍ଟି କରିବା ପାଇଁ ବ୍ୟକ୍ତି ନିର୍ମାଣ କରିବାକୁ ହେବ। ସେହି ବ୍ୟକ୍ତି ନିକଟରେ ଶୁଦ୍ଧ ଚରିତ୍ର ସହିତ ବିଚାରଧାରା ଏବଂ ଜାତୀୟତା ରହିବା ଆବଶ୍ୟକ। ତେବେ ମଣିଷ ଏକ ଦୁର୍ବଳ ପ୍ରାଣୀ। କିନ୍ତୁ ବୁଦ୍ଧି ଦ୍ବାରା ସେମାନଙ୍କୁ ସମାଜରେ ଏକାଠି କରାଯାଇ ପାରିବ। କେତେକ କ୍ଷେତ୍ରରେ ଭାଷା ସେମାନଙ୍କୁ ଏକାଠି ବାନ୍ଧି ରଖେ ତ ଆଉ କେତେକ କ୍ଷେତ୍ରରେ ଧାର୍ମିକ ବିଶ୍ବାସରେ ବାନ୍ଧି ହୋଇଥାନ୍ତି। ବିଶ୍ବର ବହୁ ରାଷ୍ଟ୍ର ରହିଛି ଯାହା କେବଳ ବେପାର ସ୍ବାର୍ଥ ପାଇଁ ସୃ​‌ଷ୍ଟି ହୋଇଛି। ସେମାନଙ୍କ ମଧ୍ୟରେ କୃତ୍ରିମ ବନ୍ଧନ ରହିଛି। କିନ୍ତୁ ଭାରତର ବିଚାରଧାରା ସଦାସର୍ବଦା ବିଶ୍ବକୁ ମାନବବାଦର ବାର୍ତ୍ତା ଦେଇ ଆସିଛି। ଶାନ୍ତି ଓ ସହନଶୀଳତାର ପାଠ ପଢ଼ାଇ ଆସିଛି। ଭାରତରେ ବହୁ ବିଭିନ୍ନତା ଭିତରେ ଏକତା ରହିଛି। ଗୋଟିଏ ପଟେ ହିମାଳୟ ଭଳି ପର୍ବତ ଗିରି ରହିଥିବାବେଳେ ଅନ୍ୟପଟେ ସମୁଦ୍ର ଘେରି ରହିଛି। ବରଫ, ପାହାଡ ଓ ବ୍ୟାପ୍ତ ମରୁଭୂମି ରହିଛି। ଭାରତ ହେଉଛି ଏଭଳି ଏକ ରାଷ୍ଟ୍ର ଯେଉଁଠି ଏକ ସମୟରେ ବନ୍ୟା ବିତ୍ପାତ ହେଉଥିବା ବେଳେ ଗୋଟିଏ ସ୍ଥାନରେ ମରୁଡିର କଳାଛାୟା ଦେଖାଦେଉଛି। ଏସବୁ ସତ୍ତ୍ବେ ରାଷ୍ଟ୍ର ପ୍ରତି ସମର୍ପିତ ଭାବ ରହିଲେ ବିଶ୍ବରେ ପୂର୍ଣ୍ଣ ବିଜୟ ହାସଲ ହୋଇପାରିବ ବୋଲି ଡ. ଭାଗବତ କହିଛନ୍ତି। ବାହ୍ୟ ସୁଖରେ ବିଭୋର ନହୋଇ ଅନ୍ତରର ସୁଖକୁ ଅନୁଭବ କରିବା ପାଇଁ ତ୍ୟାଗର ଜରୁରୀ ରହିଛି । ଯେଉଁ ରାଷ୍ଟ୍ରରେ ତୁଳସୀ ମାତା, ଗଙ୍ଗା ମାତା ଓ ଗୋମାତା ରହିଛି ସେଠାରେ ସର୍ବତ୍ର ସତ୍ୟ, ସର୍ବତ୍ର ଚୈତନ୍ୟ ଚିନ୍ତନର ଉଦଗୀରଣ ହେଉଛି। ଏଠାରେ ଋଷିମାନେ ବିଶ୍ବ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଥିଲେ। ଏହି ଭୂମି ସଂସ୍କାରରୁ ସଂସ୍କୃତି ଓ ଭାବ ଉଦୟ କରେ। ଭାଷା ଭିନ୍ନ ହେଲେ ବି ଭାବନାର ଏକତା ଦେଶକୁ ଶକ୍ତି ଯୋଗାଇ ଆସିଛି ବୋଲି ଡ. ଭାଗବତ କହିଛନ୍ତି। ସଂଘଚାଳକ ବସନ୍ତ ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାନ୍ତ ପ୍ରଚାରକ ସମୀର ମହାନ୍ତି, ପୁରୀ ବିଭାଗ ସଂଘ ଚାଳକ ବୈକୁଣ୍ଠନାଥ ସାହୁ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ,ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପିର ବହୁ ବିଶିଷ୍ଟ ବ୍ୟକ୍ତି, ସଂଘର କର୍ମକର୍ତ୍ତା, ବୁଦ୍ଧିଜୀବୀ ଯୋଗଦେଇ ଥିଲେ।

Comments are closed.