ଆରଏସ୍‌ପି କ୍ୱାର୍ଟରରୁ କଳାକନା ବୁଲାଇଲେ ଚୋର

ସାରନଗରୀ: ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ସାରନଗରୀରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସାରନଗରୀ ସ୍ଥିତ ଏକ ଆରଏସପି କ୍ୱାର୍ଟରରୁ ଦିନ ସମୟରେ ବଡ଼ ଧରଣର ଚୋରି ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ସାରନଗରୀର ବି-୧୦୨ରେ ବାସ କରୁଥିବା ବିଚିତ୍ର ଖୁଟିଂଆ ଆଜି ମଧ୍ୟାହ୍ନ ୩ଟା ସମୟରେ ଘରେ ତାଲା ପକାଇ ବାହାରକୁ ଭୋଜନ କରିବାକୁ ଯାଇଥିଲେ। ସଂଧ୍ୟା ପ୍ରାୟ ୫ଟା ସମୟରେ ସେ ଘରକୁ ପ୍ରତ୍ୟାବର୍ତନ କରିବା ପରେ ଘରର କବାଟ, ଝରକା ତଡ଼ା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରକୁ ପ୍ରବେଶ କରିବା ପରେ ଘରେ ବ୍ୟାପକ ଧରଣର ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ।

କୌଣସି ଅଜଣା ଦୁର୍ବୁତ୍ତ ଉକ୍ତ ଘରର ପଛପାଖ ଝରକା ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ଘରେ ଥିବା ଗୋଦରେଜ ଆଲମିରାକୁ ତାଡ଼ି ବ୍ୟାପକ ଚୋରି କରିଥିବା ଜଣାପଡ଼ିଛି। ଗୃହକର୍ତାଙ୍କ କହିବା ଅନୁଯାୟୀ, ତାଙ୍କ ଘରୁ ଆଲମିରାରେ ଥିବା ୭୦ ଗ୍ରାମ ସୁନା ଚେନ, ଗୋଟିଏ ସୁନା ମୁଦି, ୬ ଗ୍ରାମର ଏକ ଛୋଟ ସୁନା ଚେନ, ଏକ ମୋବାଇଲ, ସମେତ ନଗଦ ୪୨ ହଜାର ଟଙ୍କା ଚୋରି ହୋଇ ଯାଇଛିି। ଏହି ଚୋରି ଘଟଣା ସମ୍ପର୍କରେ ଗୃହକର୍ତା ସ୍ଥାନୀୟ ଟାଙ୍ଗରପାଲୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଏହି ଚୋରି ଘଟଣାର ପ୍ରାଥମିକ ତଦନ୍ତ ଜାରି ରଖିଛି।

Comments are closed.