ମାନିଲେନି ଓଇଆରସିଙ୍କ ନିର୍ଦ୍ଦେଶ, ବିଜୁଳି ଉତ୍ପାଦନରେ ୩୪୦ କୋଟି କ୍ଷତି

ଭୁବନେଶ୍ୱର: ବିଦ୍ୟୁତ୍ ଚାହିଦା ପୂରଣ ନିମନ୍ତେ ବର୍ଷା ଋତୁରେ ବିଜୁଳି ଉତ୍ପାଦନ ବୃଦ୍ଧି ଉପରେ ଓଡ଼ିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓଇଆର୍ସି )ବାରମ୍ବାର ଗୁରୁତ୍ୱ ଦେଉଛନ୍ତି। ଉପଲବ୍ଧ ଜଳର ବିନିଯୋଗ କରିବା ନିମନ୍ତେ ସମସ୍ତ ଶକ୍ତିକେନ୍ଦ୍ରକୁ ପୂର୍ଣ୍ଣ ଉପଯୋଗ କରି ସମ୍ପୂର୍ଣ୍ଣ କ୍ଷମତା ଅନୁସାରେ ବିଦ୍ୟୁତ୍‍ ଉତ୍ପାଦନ କରିବାକୁ ନିର୍ଦେଶ ଦେଇଛନ୍ତି। ମାତ୍ର ସରକାରଙ୍କ ଶକ୍ତି ବିଭାଗ ଅଧୀନସ୍ଥ ଜଳ ବିଦ୍ୟୁତ୍‍ ପ୍ରକଳ୍ପଗୁଡ଼ିକ ଓଇଆର୍ସିାଙ୍କ ନିର୍ଦେଶକୁ ଉଡ଼ାଇ ଦେଇଛନ୍ତି। ଫଳରେ ୧.୦୨ ଲକ୍ଷ ମେଗା ୟୁନିଟ୍‍ ବିଜୁଳି ଉତ୍ପାଦନ ହୋଇ ନପାରିବା ଯୋଗୁଁ ସରକାରଙ୍କ ୩୩୯.୮୨ କୋଟି ଟଙ୍କା ରାଜସ୍ୱ କ୍ଷତି ଘଟିଛି। କେବଳ ଏତିକି ନୁହେଁ, ରାଜ୍ୟର ବିଦ୍ୟୁତ୍‍ ଚାହିଦା ମେଣ୍ଟାଇବା ଲାଗି ଅନ୍ୟତ୍ର ବିଜୁଳି କ୍ରୟ କରିବାକୁ ପଡ଼ିଛି। ୨୦୧୦ରୁ ୨୦୧୫ ମସିହା ମଧ୍ୟରେ ଏହି କ୍ଷତି ଘଟିଥିବା ନେଇ ସିଏଜି ଆପତ୍ତି ଉଠାଇଥିଲେ ମଧ୍ୟ ଶକ୍ତି ବିଭାଗ ପକ୍ଷରୁ ଏ ସମ୍ପର୍କ‌ରେ କୌଣସି ଉତ୍ତର ଦିଆଯାଇ ନ ଥିବା ସୂଚନା ମିଳିଛି ।

ରାଜସ୍ୱ କ୍ଷତି ନିମନ୍ତେ ଅଧିକାରୀମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଓଲଟି ମେସିନ୍‍ ଅଚଳକୁ ବାହାନା କରି ସେମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବିଭାଗ ଯୋଜନା ଚଳାଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁସାରେ ବିନା ଉପଯୋଗରେ ଜଳଭଣ୍ଡାରରୁ ଜଳ ବହିଯିବା ଉତ୍ପାଦନ କ୍ଷତି ବୋଲି ବିଚାର କରାଯାଏ। କିନ୍ତୁ ୨୦୧୦ଜୁଲାଇରୁ ୨୦୧୫ ମସିହା ଅକ୍ଟୋବର ମାସ ମଧ୍ୟରେ ୬ଟି ସରକାରୀ ଜଳ ବିଦ୍ୟୁତ୍‍ କେନ୍ଦ୍ରରେ ୨୮%ରୁ ଊର୍ଦ୍ଧ୍ବ ଜଳ ବର୍ଷାଦିନେ ଉପଯୋଗ ହୋଇପାରି ନାହିଁ। ବର୍ଷା ଋତୁରେ ବାଲିମେଳା ଜଳଭଣ୍ଡାରର ୨୭.୩୭% ଜଳର ଉପଯୁକ୍ତ ବିନିଯୋଗ ନ ହୋଇ ଛାଡ଼ି ଦିଆଯାଇଛି ଏବଂ ଏହାଦ୍ୱାରା ୨୦୯୪.୫୪ ମେଗା ୟୁନିଟ୍‍ ବିଦ୍ୟୁତ୍‍ ଉତ୍ପାଦନ ହୋଇପାରି ନାହିଁ। ଯାହାର ମୂଲ୍ୟ ୭୫.୧୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ହୀରାକୁଦ ଜଳ ବିଦ୍ୟୁତ୍‍ କେନ୍ଦ୍ରରେ ୧୪.୧୯% ନିର୍ଗମନ ନିମନ୍ତେ ୨୮.୮୯ କୋଟି ଟଙ୍କା, ଚିପିଲିମା ଜଳ ବିଦ୍ୟୁତ୍‍ କେନ୍ଦ୍ରରେ ୧.୨୫ କୋଟି ଟଙ୍କା କ୍ଷତି ହୋଇଥିବା ହିସାବରୁ ଜଣାପଡ଼ିଛି।

ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‍ କେନ୍ଦ୍ରରେ ଉତ୍ପାଦନ କ୍ଷେତ୍ରରେ ସର୍ବାଧିକ ଅବହେଳା ଲକ୍ଷ୍ୟ କରାଯାଇଛି। ଏହି ଜଳଭଣ୍ଡାରରୁ ୫ ବର୍ଷ ମଧ୍ୟରେ ୪୧.୦୨% ଜଳ ବର୍ଷା ଋତୁରେ ଉପଯୋଗ କରା ନ ଯିବା ଯୋଗୁଁ ୩୬୩୨.୮୫ ମେଗା ୟୁନିଟ୍‍ ବିଦ୍ୟୁତ୍‍ ଉତ୍ପାଦନ ହୋଇ ପାରି ନାହିଁ ଏବଂ ରାଜ୍ୟ ୧୪୧.୨୬ କୋଟି ଟଙ୍କା କ୍ଷତି ସହିଛି। ଅନୁରୂପ ଭାବରେ ଅପରକୋଲାବ ଜଳ ବିଦ୍ୟୁତ୍‍ କେନ୍ଦ୍ର ୫୮.୬୭% ଜଳର ଉପଯୋଗ କରି ପାରିନାହିଁ, ଯାହା ଫଳରେ ୫୨.୧୦ କୋଟି ଟଙ୍କାର ରାଜସ୍ୱ ହାନି ଘଟିଛି। ଆର୍ଏ୍ଚ୍ଇଉଡ଼ିରେ ମଧ୍ୟ ୨୮.୨୩% ଜଳ ଉପଯୋଗ ନ ହୋଇ ପାରିବାରୁ ୪୧.୨୧ କୋଟି ଟଙ୍କା ସରକାର ହରାଇଛନ୍ତି।
ଓଇଆର୍ସି ଜଳବିଦ୍ୟୁତ୍‍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ଉତ୍ପାଦନ ବୃଦ୍ଧି ନିମନ୍ତେ ବର୍ଷା ଋତୁରେ ରକ୍ଷଣାବେକ୍ଷଣ ନ କରି ଯନ୍ତ୍ରପାତିକୁ ବିନିଯୋଗ କରିବାକୁ ବାରମ୍ବାର ନିର୍ଦେଶ ଦେଇଛନ୍ତି। ମାତ୍ର ଓଇଆର୍ସିଥଙ୍କ ଏହି ନିର୍ଦେଶକୁ ହୀରାକୁଦ ଜଳ ବିଦ୍ୟୁତ୍‍ କେନ୍ଦ୍ର, ଆର୍ଏୋଚ୍ଇୁପି ଓ ଚିିପିଲିମା ଜଳ ବିଦ୍ୟୁତ୍‍ କେନ୍ଦ୍ରର ଅଧିକାରୀମାନେ ଭ୍ରୂକ୍ଷେପ କରି ନାହାନ୍ତି। ଏହି ୩ଟି ଜଳବିଦ୍ୟୁତ୍‍ କେନ୍ଦ୍ରରେ ରକ୍ଷଣାବେକ୍ଷଣ ନିମନ୍ତେ ୨୨୧ ହଜାର ଘଣ୍ଟା ମଧ୍ୟରୁ ୨୫.୫୬ ହଜାର ଘଣ୍ଟା ଉତ୍ପାଦନ ଅଟକି ରହିଥିଲା। ଯଦ୍ଦ୍ୱାରା ୧୦୪୯ ମେଗା ୟୁନିଟ୍‍ ବିଜୁଳି ଉତ୍ପାଦନ ହୋଇ ପାରି ନ ଥିଲା ବୋଲି ସିଏଜି ଆପତ୍ତି ଉଠାଇଥିବା ସୂଚନା ମିଳିଛି।

Comments are closed.