ପୋଙ୍ଗଲ ପାଇଁ ତାମିଲନାଡ଼ୁ ସରକାରଙ୍କ ଉପହାର ​ଯୋଜନା

0

ଚେନ୍ନଇ : ତାମିଲନାଡ଼ୁ ସରକାର ପବିତ୍ର ପୋଙ୍ଗଲ ଅବସରରେ ରାଜ୍ୟବାସୀଙ୍କ ପାଇଁ ନୂଆ ଉପହାର ଯୋଜନା ଘୋଷଣା କରିଛନ୍ତି। ଏହି ଅନୁସାରେ ପ୍ରତି ପରିବାରକୁ ପଡ଼ି କାର୍ଡ ସହିତ ୧୦୦୦ଟଙ୍କା ଓ ଏକ ଉପହାର ପ୍ରଦାନ କରିବେ। ବିଧାନସଭାରେ ବୁଧବାର ଏହି ଘୋଷଣା କରିଛନ୍ତି ରାଜ୍ୟପାଳ ବନୱାରୀଲାଲ ପୁରୋହିତ। ବିଧାନସଭା ଅଧିବେଶନ ଉଦ୍‌ଘାଟନୀ ଭାଷଣରେ ରାଜ୍ୟପାଳ ଏହି ଘୋଷଣା କରିବା ସମୟରେ ବିରୋଧୀ ଡିଏମ୍‌କେ ଓ ଏହାର ସମର୍ଥକ ଦଳ ଗୃହ ପରିତ୍ୟାଗ କରିଥିଲେ। ପରମ୍ପରା ଭାଙ୍ଗି ରାଜ୍ୟପାଳ ବିରୋଧୀ ଦଳ ନେତା ଏମ୍‌.କେ ଷ୍ଟାଲିନଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ଯୋଡ଼ହସ୍ତରେ ନିବେଦନ କରିଥିଲେ ମଧ୍ୟ ସେ ଏହାକୁ ସମ୍ମାନ ଦେଇ ନ ଥିଲେ। ଯୋଜନା ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ ବାତ୍ୟା ‘ଗଜ’ କ୍ଷତିଗ୍ରସ୍ତ କାବେରୀ ଉପତ୍ୟକାରେ କ୍ଷତିଗ୍ରସ୍ତ ଓ ମରୁଡ଼ି ପ୍ରପୀଡ଼ିତ ଉତ୍ତରାଞ୍ଚଳ ଜିଲାବାସୀଙ୍କ ସମେତ ସମଗ୍ର ରାଜ୍ୟବାସୀଙ୍କ ପାଇଁ ସରକାର ଏହି ଉପହାର ଯୋଜନା କରିଛନ୍ତି। ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଦୃଷ୍ଟିରୁ କେବଳ ତିରୁଭାରୁର ଜିଲା ଏହି ଉପହାର ଯୋଜନାରୁ ବଞ୍ଚିତ ରହିବ। ଏହି ଯୋଜନାରେ ସମ୍ପୃକ୍ତ କାର୍ଡଧାରୀ ପରିବାରକୁ ପୋଙ୍ଗଲ ପାଇଁ ଆବଶ୍ୟକ ଚାଉଳ, ଡାଲି, ଚିନି, କାଜୁ, କିସ୍‌ମିସ୍‌, ଗୁଜୁରାତି, ଆଖୁ ଇତ୍ୟାଦି ଯୋଗାଇ ଦିଆଯିବ।

Leave A Reply