ଶାଳ ଜଙ୍ଗଲ କାଟି ପିଜୁଳି ଗଛ ରୋପଣ : ସରକାରଙ୍କୁ ଏକ କୋଟି ଜୋରିମାନା

ଭୁବନେଶ୍ବର : ପରିବେଶ ନିୟମକୁ ଉଲ୍ଲଂଘନ କରି ଶାଳ ଜଙ୍ଗଲରେ ପିଜୁଳି ଗଛ ଲଗାଇବା ଏବେ ଜାତୀୟ ସବୁଜ ନ୍ୟାୟାଧିକରଣ (ଏନଜିଟି)ରୁ ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିଛି। ଯାଜପୁର ଜିଲା ସୁକିନ୍ଦା ତହସିଲ ଅନ୍ତର୍ଗତ ବୋତଳଣ୍ଡା ଓ କାରାଗୋଳାରେ ପ୍ରାୟ ୩୭୭.୮୩ ଏକର ପରିମିତ ଜଙ୍ଗଲରେ ଶାଳ ଗଛକୁ କାଟି ପିଜୁଳି ଗଛ ଲଗାଇବା କାରଣରୁ ରାଜ୍ୟ ସରକାରଙ୍କ ଉପରେ ଏନଜିଟି ଏକ କୋଟି ଟଙ୍କାର ଜୋରିମାନା କରିଛନ୍ତି। ଜୋରିମାନା ଅର୍ଥ ଦୁଇ ସପ୍ତାହ ମଧ୍ୟରେ କଟକ ଡିଏଫଓଙ୍କ ଠାରେ ଦାଖଲ କରିବାକୁ ନ୍ୟାୟାଧିକରଣ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ତପନ କୁମାର ବରାଳଙ୍କ ଅଭିଯୋଗର ଶୁଣାଣି କରି ଏନଜିଟିଙ୍କ ପୂର୍ବାଞ୍ଚଳ ଖଣ୍ଡପୀଠର ବିଚାରପତି ବି.ଅମିତ୍ ସ୍ଥାଲେକର ଓ ବିଚାରପତି ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ସୋମବାର ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କାର ଜୋରିମାନା ରାଶି କଟକ ବନଖଣ୍ଡ ଅଧିକାରୀ (ଡିଏଫଓ)ଙ୍କ ନିକଟରେ
ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଏକ କୋଟି ଟଙ୍କା ଜୋରିମାନାକୁ କିଭଳି ଖର୍ଚ୍ଚ କରାଯିବ ସେ ନେଇ ଯାଜପୁର ଜିଲାପାଳଙ୍କ ସହ ବିଚାରବିମର୍ଶ କରି ସେଠାରେ ଜୈବ ବିବିଧତା ପାର୍କ ବିକଶିତ କରିବା ସହ ଔଷଧୀୟ ବଗିଚା (ହର୍ବାଲ ଗାର୍ଡେନ) କରିବା ଲାଗି କଟକ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ପୃକ୍ତ ଅଞ୍ଚଳରେ ପାରିପାଶ୍ୱିର୍କ ବିବିଧତା ସୁଧାରିବା ଲାଗି ଖଣ୍ଡପୀଠ ବନ ବିଭାଗକୁ ଆଦେଶ ଦେଇଛନ୍ତି। ଉକ୍ତ ଜଙ୍ଗଲ ଜମି କେଉଁ ବର୍ଗ ଓ ତା’ର ସ୍ଥିତାବସ୍ଥା କ’ଣ ଜାଣିବା ପାଇଁ ଏନଜିଟିଙ୍କ ଖଣ୍ଡପୀଠ ପୂର୍ବରୁ ୩ ଜଣିଆ କମିଟି ଗଠନ କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଯେଉଁ ଜମି ଶାଳ ଜଙ୍ଗଲ ଭାବେ ଚିହ୍ନଟ ହୋଇସାରିଛି, ସେଠାରେ ପିଜୁଳି ବୃକ୍ଷରୋପଣ କିଭଳି କରାଯାଇଥିଲା ବୋଲି ଖଣ୍ଡପୀଠ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ଶାଳ ଜଙ୍ଗଲରେ ଲାଗୁ ଥିବା ଗଛ ବର୍ଗରେ ପିଜୁଳି ଆସୁ ନଥିବାବେଳେ ଜମିର କିସମ ଶାଳ ଜଙ୍ଗଲ ବା ପତିତ ଜଙ୍ଗଲ ବୋଲି ଚିହ୍ନଟ ହୋଇସାରିଛି। ଏହାସତ୍ତ୍ବେ ସେଠାରେ ଜଙ୍ଗଲ ଭିନ୍ନ ଅନ୍ୟ ଫଳଗଛ ଲଗାଇବା ଅନୁଚିତ। ଯଦି କୌଣସି ଗଛ ଲଗାଯିବ ସେଥିପାଇଁ କେନ୍ଦ୍ର ସରକାରଙ୍କଠୁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା-୨ ଅନ୍ତର୍ଗତ ଅନୁମତି ଆଣିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।

Comments are closed.