ରାଜସ୍ଥାନକୁ ଜିତାଇଲେ ଉନାଦ୍‌କତ, ମିଲର, ମରିସ୍

ମୁମ୍ବଇ : ଆଇପିଏଲ୍‌ରେ ଗୁରୁବାର ଏକ ରୋମାଞ୍ଚକର ମୁକାବିଲାରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ଦିଲ୍ଲୀ କ୍ୟାପିଟାଲ୍‌ସକୁ ୩ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି। ଅଧିନାୟକ ଋଷଭ ପନ୍ତ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ରାଜସ୍ଥାନକୁ ଜିତାଇଲେ ଉନାଦ୍‌କତ, ମିଲର, ମରିସ୍, ଜୟଦେବ ଉନାଦ୍‌କତ ୩ଟି ୱିକେଟ ନେବାରୁ ଦିଲ୍ଲୀ କ୍ୟାପିଟାଲ୍‌ସ ୮ ୱିକେଟରେ ୧୪୭ ରନ୍‌ କରି ପାରିଥିଲା। ପରେ ଡେଭିଡ୍‌ ମିଲରଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଏବଂ କ୍ରିସ୍ ମରିସ୍‌ଙ୍କ ବିସ୍ଫୋରକ ୩୬ ରନ୍ ବଳରେ ୨ଟି ବଲ୍‌ ବାକିଥାଇ ୭ ୱିକେଟ ହରାଇ ରାଜସ୍ଥାନ ଜିତିଥିଲା। ୨ୟ ମ୍ୟାଚ୍‌ରେ ଏହା ରାଜସ୍ଥାନର ପ୍ରଥମ ବିଜୟ ହୋଇଥିବା ବେଳେ ୨ୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି ଦିଲ୍ଲୀ କ୍ୟାପିଟାଲ୍‌ସ।
୧୪୮ ରନ୍‌ ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍‌ସ ମଧ୍ୟ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ମାତ୍ର ୧୭ ରନ୍ ସ୍କୋର୍‌ରେ ଦଳର ପ୍ରମୁଖ ୩ ବ୍ୟାଟ୍‌ସମ୍ୟାନ୍ ଆଉଟ ହୋଇ ଯାଇଥିଲେ। ମନନ ବୋହ୍‌ରା ୯ ରନ୍‌କରି ବିଦାୟ ନେଇଥିଲେ। ଓପନ୍‌ କରିଥିବା ଜୋସ୍‌ ବଟ୍‌ଲର ପୁଣି ବିଫଳ ହୋଇ ୨ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ତଥା ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ସଞ୍ଜୁ ସାମ୍‌ସନ ମାତ୍ର ୪ ରନ୍‌କରି ବିଦାୟ ନେଇଥିଲେ। ପରେ ଶିବମ୍ ଦୁବେ ଓ ରିୟାନ୍ ପରାଗ ୨ ରନ୍‌ ଲେଖାଏଁ କରି ବିଦାୟ ନେଇଥିଲେ। ୪୨ ରନ୍‌ରେ ୫ଟି ୱିକେଟ ପଡ଼ି ଯାଇଥିଲା। ପରେ ଡେଭିଡ୍‌ ମିଲର ଏକା ଲଢ଼ିଥିଲେ। ରାହୁଲ ତିୱତିଆ ୨ଟି ଚୌକା ସହ ୧୯ ରନ୍ କରିଥିଲେ। ଏକୁଟିଆ ରାଜସ୍ଥାନ ରୟାଲ୍‌ସକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଉଥିବା ଡେଭିଡ୍ ମିଲର ଆଉଟ ହୋଇଯିବା ଦଳ ପାଇଁ ଶକ୍ତ ଧକ୍କା ଥିଲା। ବାମହାତି ମିଲର ୪୩ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୬୨ ରନ୍ କରିଥିଲେ। କ୍ରିସ୍ ମରିସ୍ ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଶେଷ ୨ ଓଭରରୁ ୨୭ ଏବଂ ଶେଷ ଓଭରରୁ ୧୨ ରନ୍ ଆବଶ୍ୟକ ଥିଲା। ୪ଟି ବଲ୍‌ରୁ ମରିସ୍‌ ଏହା ସଂଗ୍ରହ କରି ନେଇଥିଲେ। ମରିସ୍‌ ୧୮ ବଲ୍‌ରୁ ୪ଟି ଛକା ସହ ୩୬ ରନ୍‌କରି ଅପରାଜିତ ଥିଲେ। ଉନାଦକତ୍ ୧୧ ରନ୍‌ରେ ଅପରାଜିତ ଥିଲେ। ଆଭେସ୍ ଖାଁ ୩ଟି ଏବଂ କ୍ରିସ୍ ୱକ୍‌ସ ଓ କାଗିସୋ ରାବାଡ଼ା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜୟଦେବ ଉନାଦ୍‌କତ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପର୍ଯ୍ୟୟ ଭୋଗିଥିଲା। ଦିଲ୍ଲୀ ୪ ୱିକେଟ ହରାଇ ୩୭ ରନ୍‌ କରିଥିଲା। ଏଥିରୁ ୩ଟି ୱିକେଟ ଜୟଦେବ ଉନାଦ୍‌କତ ନେଇଥିଲେ। ଗତ ମ୍ୟାଚ୍‌ର ହିରୋ ଦୁଇ ଓପ୍‌ନର ଶିଖର ଧାୱନ୍ ଓ ପୃଥ୍ବୀ ସ’ ବିଫଳ ହୋଇଥିଲେ। ଧାୱନ ୯ ଓ ପୃଥ୍ବୀ ୨ ରନ୍ କରିଥିଲେ। ଅଭିଜ୍ଞ ଅଜିଙ୍କ୍ୟ ରାହାଣେ ୮ ରନ୍ କରିଥିବା ବେଳେ ମାର୍କସ ଷ୍ଟୋଇନିସ୍ ଖାତା ଖୋଲି ପାରିନଥିଲେ। ଋଷଭ ପନ୍ତ୍ ଓ ଲଳିତ ଯାଦବ ୬ ଓଭରରେ ୫୧ ରନ୍ ଯୋଡ଼ିଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ବାମହାତି ଋଷଭ ପନ୍ତ୍ ୩୨ ବଲ୍‌ରୁ ୯ଟି ଚୌକା ସହ ୫୧ ରନ୍ କରିଥିଲେ। ଲଳିତ ଯାଦବ ୨୪ ବଲ୍‌ରୁ ୨୦ ରନ୍ କରିଥିଲେ। ଟମ୍ କରନ୍ ଉପଯୋଗୀ ଇନିଂସ ଖେଳି ୧୬ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍ କରିଥିଲେ। ଆର୍. ଅଶ୍ବିନ ୭ ରନ୍ କରିଥିବା ବେଳେ କ୍ରିସ୍ ୱକ୍‌ସ ୧୧ ବଲ୍‌ରୁ ୧୫ ଓ କାଗିସୋ ରାବାଡ଼ା ୪ ବଲ୍‌ରୁ ୯ ରନ୍‌କରି ଅପରାଜିତ ଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଜୟଦେବ ଉନାଦ୍‌କତ ୪ ଓଭରରୁ ମାତ୍ର ୧୫ ରନ୍‌ ଦେଇ ୩ଟି ଓ ମୁସ୍ତାଫିଜୁର ରେହ୍‌ମାନ ୨ଟି ୱିକେଟ ନେଇଥିଲେ।

Comments are closed.