ରାଜସ୍ଥାନ ବିଜୟୀ ; କେକେଆର୍‌ର କ୍ରମାଗତ ୬ଷ୍ଠ ପରାଜୟ

କଲକାତା : ଚଳିତ ଆଇପିଏଲ୍‌ରେ କ୍ରମାଗତ ୬ଟି ଏବଂ ମୋଟ ଉପରେ ୭ଟି ମ୍ୟାଚ୍ ହାରିବା ପରେ କଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ପ୍ଲେଅଫ୍ ଖେଳିବା ଆଶା ସଙ୍କଟରେ ପଡ଼ିଯାଇଛି। ଗୁରୁବାର ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ଅପରାଜିତ ୯୭ ରନ୍ ସତ୍ତ୍ବେ ରାଜସ୍ଥାନ ରୟାଲ୍‌ସଠାରୁ ୩ ୱିକେଟରେ କେକେଆର୍ ପରାସ୍ତ ହୋଇଛି। କାର୍ତ୍ତିକଙ୍କ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି କେକେଆର୍ ୬ ୱିକେଟରେ ୧୭୫ ରନ୍ କରିଥିଲା। ପରେ ରିୟାନ୍ ପରାଗଙ୍କ ଲଢ଼ୁଆ ୪୭ ରନ୍‌ର ଇନିଂସ ବଳରେ ୪ଟି ବଲ୍‌ ବାକିଥାଇ ରାଜସ୍ଥାନ ୭ ୱିକେଟ ହରାଇ ବିଜୟୀ ହୋଇଥିଲା। ୧୧ଶ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍‌ସ।
ରାଜସ୍ଥାନ ରୟାଲ୍‌ସ ଦୃଢ଼ତାର ସହ ୧୭୬ ରନ୍‌ର ପିଛା ଆରମ୍ଭ କରିଥିଲା। ଗତ ମ୍ୟାଚ୍‌ରେ ଶତକ ମାରିଥିବା ଅଜିଙ୍କ୍ୟ ରାହାଣେ ଓ ସଞ୍ଜୁ ସାମ୍‌ସନ ୩୧ ବଲ୍‌ରୁ ଦ୍ରୁତଗତିରେ ୫୩ ରନ୍ ସ୍କୋର୍ କରିଥିଲେ। ମାତ୍ର ୨୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ରାହାଣେ ୩୪ ରନ୍‌କରି ବିଦାୟ ନେଇଥିଲେ। ଏହି ୱିକେଟ ସହ ୪୫ ରନ୍‌ରେ ରାଜସ୍ଥାନ ୫ଟି ୱିକେଟ ହରାଇ ସଙ୍କଟରେ ପଡ଼ି ଯାଇଥିଲା। ସଞ୍ଜୁ ସାମ୍‌ସନ ୧୫ ବଲ୍‌ରୁ ୨ଟି ଛକା ସହ ୨୨ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୨ ରନ୍ କରି ପାରିଥିଲେ। ଦୁଇ ଅଲ୍‌ରାଉଣ୍ଡର ବେନ୍ ଷ୍ଟୋକ୍‌ସ ଓ ଷ୍ଟୁଆର୍ଟ ବିନ୍ନି ୧୧ ରନ୍‌ ଲେଖାଏଁ କରି ବିଦାୟ ନେଇଥିଲେ। ପରେ ୧୭ ବର୍ଷ ବୟସ୍କ ରିୟାନ୍ ପରାଗ ଓ ଶ୍ରେୟାସ ଗୋପାଳ ୧୭ ବଲ୍‌ରୁ ୨୫ ରନ୍ ଯୋଡ଼ିଥିଲେ। ଗୋପାଳ ୯ ବଲ୍‌ରୁ ୪ଟି ଚୌକା ସହ ୧୮ ରନ୍ କରିଥିଲେ। ୪ ଓଭରରେ ୪୬ ରନ୍ ଆବଶ୍ୟକ ଥିବା ବେଳେ ପରାଗ ଓ ଜୋଫ୍ରା ଆର୍ଚର ୨ ଓଭରରୁ ୨୮ ରନ୍ ନେଇଥିଲେ। ୧୯ଶ ଓଭରରେ ହିଟ୍‌ ୱିକେଟ ହେବା ପୂର୍ବରୁ ରିୟାନ୍ ପରାଗ ୩୧ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୭ ରନ୍ କରିଥିଲେ।​ ଶେଷ ଓଭରରେ ୯ ରନ୍ ଆବଶ୍ୟକ ଥିବା ​‌େ​‌ବଳେ ଜୋଫ୍ରା ଆର୍ଚର ପ୍ରଥମ ୨ଟି ବଲ୍‌ରୁ ଚୌକା ଓ ଛକାମାରି ରାଜସ୍ଥାନକୁ ଜିତାଇଥିଲେ। ଆର୍ଚର ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍‌ରେ ଅପରାଜିତ ଥିଲେ। ପୀୟୂଷ ଚାୱଲା ୩ଟି ଓ ସୁନୀଲ ନାରାୟଣ ୨ଟି ୱିକେଟ ନେଇଥିଲେ। ବରୁଣ ଆରୋନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ କେକେଆର୍‌ ଇନିଂସର ୩ୟ ବଲ୍‌ରେ କ୍ରିସ୍ ଲିନ୍ (୦)ଙ୍କ ୱିକେଟ ହରାଇଥିଲା। ପରେ ଶୁବ୍‌ମାନ ଗିଲ୍ ଓ ନୀତୀଶ ରାଣା ୨ୟ ୱିକେଟ ପାଇଁ ୩୧ ରନ୍ ଯୋଡ଼ିବା ପରେ ଶୁବ୍‌ମାନ ୧୪ ରନ୍‌କରି ଆଉଟ ହୋଇଥିଲେ। ପରେ ଦିନେଶ କାର୍ତ୍ତିକ ଓ ରାଣା ୨୦ ବଲ୍‌ରୁ ମାତ୍ର ୧୧ ରନ୍ ଯୋଡ଼ିଥିଲେ। ବାମହାତି ରାଣା ୨୬ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍ କରିଥିଲେ। ୫ନଂରେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରାୟଣ ୧୧ ରନ୍‌କରି ରନ୍‌ଆଉଟ ହୋଇଥିଲେ। କେକେଆର୍‌ର ସମସ୍ତ ଆଶା ଠୁଳ ରହିଥିଲା ଆ​‌େ​‌ନ୍ଦ୍ର ରସେଲଙ୍କ ଉପରେ। ରସେଲ ସାଢ଼େ ୫ ଓଭର କ୍ରିଜ୍‌ରେ ରହି ୨ଟି ଜୀବନଦାନ ପାଇଥିଲେ ହେଁ ୧୪ ବଲ୍‌ରୁ ୧୪ ରନ୍‌କରି ବିଦାୟ ନେଇଥିଲେ। କ୍ରେଗ୍ ବ୍ରାଥ୍‌ୱେଟ ୫ ରନ୍ କରି ପାରିଥିଲେ। ଇନିଂସ ଶେଷ ପର୍ଯ୍ୟନ୍ତ କାର୍ତ୍ତିକ ଚମତ୍କାର ବ୍ୟାଟିଂ କରିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକଙ୍କ ପ୍ରହାର ଯୋଗୁଁ ଶେଷ ୫ ଓଭରରୁ କେକେଆର୍ ୭୫ ରନ୍ ନେଇ ପାରିଥିଲା। ଏକଦା ୨୫ ବଲ୍‌ରୁ ୩୧ ରନ୍ କରିଥିବା କାର୍ତ୍ତିକ ଶେଷ ୨୫ ବଲ୍‌ରୁ ୬୬ ରନ୍ କରିଥିଲେ। କାର୍ତ୍ତିକ ୫୦ ବଲ୍‌ରୁ ୯ଟି ଛକା ଓ ୭ଟି ଚୌକା ସହ ୯୭ ରନ୍‌କରି ଅପରାଜିତ ଥିଲେ। ବରୁଣ ଆରୋନ୍ ୨ଟି ୱିକେଟ ପାଇଥିଲେ।

Comments are closed.