ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ-ହାଇଦ୍ରାବାଦ୍

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚଳିତ ସଂସ୍କରଣର ଗୁରୁବାର ଦୁବାଇରେ ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହେବେ। ଉଭୟ ଦଳ ପ୍ଲେ ଅଫ ଦୌଡ଼କୁ ନେଇ ଆଶଙ୍କାରେ ରହିଥିବାବେଳେ ମ୍ୟାଚ ଜିତିବାକୁ ଉଦ୍ୟମ କରିବେ।

ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୯ଟି ମ୍ୟାଚରୁ ୩ଟି ବିଜୟ ଓ ୬ଟି ପରାଜୟ ସହ ୬ ପଏଣ୍ଟ ହାସଲ କରିଛି। ଦଳ ନିକଟରେ ପ୍ଲେ ଅଫରେ ପହଞ୍ଚିବା ଲାଗି ଏବେ ମଧ୍ୟ ସୁଯୋଗ ରହିଛି। ବ୍ୟାଟିଂରେ ଡେଭିଡ୍‌ ୱାର୍ଣ୍ଣର ୩୩୧, ଜନି ବେୟାରଷ୍ଟୋ ୩୧୬, ମନୀଷ ପାଣ୍ଡେ ୨୧୨ରନ କରିବାରେ ସକ୍ଷମ ହୋଇଛନ୍ତି। ସେହିପରି କେନ୍‌ ୱିଲିୟମସନ୍‌ ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ବୋଲିଂରେ ରସିଦ୍‌ ଖାନ ଓ ଟି. ନଟରାଜନ ୧୧ଟି ଲେଖାଏଁ ୱିକେଟ ନେଇଛନ୍ତି। ଦଳ ପ୍ରଥମ ରାଉଣ୍ଡ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାଜିତ ହୋଇଥିଲା। ରିଟର୍ଣ୍ଣ ମ୍ୟାଚରେ ଦଳ ରାଜସ୍ଥାନକୁ ପରାସ୍ତ କରି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ସେହିପରି ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୧୦ଟି ମ୍ୟାଚରୁ ୪ଟି ବିଜୟ ଓ ୬ଟି ପରାଜୟ ସହ ୮ ପଏଣ୍ଟ ହାସଲ କରିଛି। ପ୍ଲେ ଅଫକୁ ଉନ୍ନୀତ ହେବାକୁ ହେଲେ ଦଳକୁ ସନରାଇଜର୍ସ ବିପକ୍ଷ ମ୍ୟାଚରେ ବିଜୟୀ ହେବା ଏକାନ୍ତ ଆବଶ୍ୟକତା ରହିଛି। ଦଳରେ ଜୋସ୍‌ ବଟ୍‌ଲର, ବେନ୍‌ ଷ୍ଟ୍ରୋକ୍‌ସ୍‌, ଷ୍ଟିଭ୍‌ ସ୍ମିଥ୍‌, ସଞ୍ଜୁ ସାମସନଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଥିବାବେଳେ ବୋଲିଂରେ ଜେଫ୍ରା ଆର୍ଚ୍ଚର , କାର୍ତ୍ତିକ ତ୍ୟାଗି, ରାହୁଲ ତିୱାତିଆ ପ୍ରମୁଖ ରହିଛନ୍ତି । ଦଳ ପ୍ରଥମ ରାଉଣ୍ଡ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଥିବାରୁ ଉକ୍ତ ସଫଳତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ । ଅନ୍ୟପକ୍ଷରେ ଉଭୟ ଦଳ ପ୍ଳେ ଅଫ ଦୌଡ଼କୁ ନେଇ ସଙ୍କଟ ସୃଷ୍ଟି ହୋଇଥିବାରୁ ମ୍ୟାଚ ବିଜୟୀ ନେଇ ଉଦ୍ୟମ କରିବେ।

Comments are closed.