ସାଥୀକୁ ହତ୍ୟା କରି ଫେରାର ଅଭିଯୁକ୍ତଙ୍କୁ ଧରିଲା ଆରପିଏଫ

ରେଳବାଇ ସୁରକ୍ଷା ବଳ ଓ ସିଆଇବି ୟୁନିଟର ମିଳିତ ଭାବେ ସମ୍ବଲପୁର ରେଳ ଷ୍ଟେସନରେ ଅଚାନକ ଚଢ଼ାଉ

ସମ୍ବଲପୁର: ରେଳବାଇ ସୁରକ୍ଷା ବଳ ଓ ସିଆଇବି ୟୁନିଟ ପକ୍ଷରୁ ମିଳିତ ଭାବେ ସମ୍ବଲପୁର ରେଳ ଷ୍ଟେସନରେ ଅଚାନକ ଚଢ଼ାଉ କରାଯାଇଥିଲା। ସୁଦୂର କେରଳ ରାଜ୍ୟର ଇଡ୍ଡୁକୀ ଜିଲା ଅଧିନସ୍ଥ ମୁନ୍ନାର ଥାନା ଅଞ୍ଚଳରେ ଜଣେ ସାଥିଙ୍କୁ ହତ୍ୟା କରି ୨ ଜଣ ଅଭିଯୁକ୍ତ ରେଳ ଯୋଗେ ଫେରାର ହେଉଥିବା ବେଳେ ସେମାନଙ୍କୁ ସମ୍ବଲପୁରର ରେଳବାଇ ସୁରକ୍ଷା ବଳ ଓ ସିଆଇବି ୟୁନିଟ ଧରିବାରେ ସଫଳ ହୋଇଛି। ରେଳବାଇ ସୁରକ୍ଷା ବଳର ସୂଚନା ଅନୁଯାୟୀ, ବୁଧବାର ୨୬ ତାରିଖ ସନ୍ଧ୍ୟା ସମୟରେ ସୂଚନା ମିଳିଥିଲା ଯେ କେରଳରେ ଜଣେ ସାଥିଙ୍କୁ କୌଣସି କାରଣରୁ ହତ୍ୟା କରି ଝାରଖଣ୍ଡ ରାଜ୍ୟ ସୋନୱା ଜିଲାର ସୋନୱା ଅଞ୍ଚଳର ୨ ଜଣ ଅଭିଯୁକ୍ତ ସହଦେବ ଲାଙ୍ଗ ଓ ଦାବୁଇ ଚମ୍ପିଆ, ଅଲ୍ଲାପୁଝା – ଧାନବାଦ ଏକ୍ସପ୍ରେସ ଜରିଆରେ ଫେରାର ହେଉଥିବାର ଅନୁମାନ କରାଯାଉଛି। ଏଣୁ ତୁରନ୍ତ ସମ୍ବଲପୁର ସ୍ଥିତ ରେଳବାଇ ସୁରକ୍ଷା ବଳ ଏବଂ ସିଆଇବି ୟୁନିଟ ମିଳିତ ଭାବରେ ଦକ୍ଷିଣ ଭାରତରୁ ଆସୁଥିବା ବିଭିନ୍ନ ଯାତ୍ରୀବାହୀ ରେଳ ଗୁଡିକ ଉପରେ ନଜର ରଖି ଯାଞ୍ଚ ଆରମ୍ଭ କରିଥିଲେ। ଗୁରୁବାର – ଶୁକ୍ରବାର ରାତ୍ରିରେ ଅଲ୍ଲାପୁଝା – ଧାନବାଦ ଏକ୍ସପ୍ରେସ ସମ୍ବଲପୁର ଷ୍ଟେସନ ପହଞ୍ଚିବା ପରେ ଆରପିଏଫ ଥାନାଧିକାରୀ ମୁନ୍ନା ଯାଦବ ଏବଂ ସିଆଇବି ଥାନାଧିକାରୀ ବିବେକ କୁମାରଙ୍କ ନେତୃତ୍ୱରେ ମିଳିତ ଦଳ ରେଳ ଡବା ଗୁଡିକର ଯାଞ୍ଚ କରିଥିଲେ। ତେବେ ପୁଲିସର ଯାଞ୍ଚ ଦେଖି ଉଭୟ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା।

ଅଭିଯୁକ୍ତ ସହଦେବ ଓ ଦାବୁଇଙ୍କ ସହିତ ମୃତକ ମୁନ୍ନାର ଅଞ୍ଚଳର କେଡିଏଚ ଗ୍ରାମାଞ୍ଚଳରେ ଥିବା ଏକ ଚାହା ବଗିଚାରେ କାର୍ଯ୍ୟରତ ରହିଥିଲେ। ପ୍ରାୟ ୧୦ ଦିନ ତଳେ ଅଭିଯୁକ୍ତ ଦ୍ୱୟଙ୍କ ସହିତ ମୃତକଙ୍କ କୌଣସି କାରଣରୁ ବଚସା ହୋଇଥିଲା। ଏଣୁ ଉଭୟ ଅଭିଯୁକ୍ତ ମୃତକଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ଅପର ପକ୍ଷରେ ମୃତକ ଜଣକ ଅଚାନକ ନିଖୋଜ ହେବାରୁ ଏକ ନିଖୋଜ ମାମଲା ମୁନ୍ନାର ଥାନାରେ ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିବାରୁ ଏ ସର୍ମ୍ପକରେ ଗତ ୨୫ ତାରିଖରେ ମୁନ୍ନାର ପୁଲିସ ଥାନାରେ ମାମଲା ସଂଖ୍ୟା ୮୧/୨୦୨୨ ଅନୁଯାୟୀ ହତ୍ୟା ମାମଲା ରୁଜୁ ହେବାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଫଟୋ ସଂଗ୍ରହ କରିବା ପରେ ଯାଞ୍ଚ ସମୟରେ ସେମାନେ ତିରୁପୁର ରେଳ ଷ୍ଟେସନରୁ ଧାନବାଦ ଏକ୍ସପ୍ରେସରେ ଚଢ଼ିଥିବାର ଜଣାପଡିଥିଲା। ଏଣୁ ତୁରନ୍ତ କେରଳ ପୁଲିସ ରେଳବାଇ ସୁରକ୍ଷା ବଳର ସହାୟତାରେ ରେଳଗାଡି ଯାତ୍ରା କରୁଥିବା ଅଞ୍ଚଳର ବିଭିନ୍ନ ରେଳବାଇ ଥାନା ଗୁଡିକୁ ଆଲର୍ଟ କରିଥିଲା। ଅଭିଯୁକ୍ତମାନେ କେରଳରୁ ୩ଟି ରାଜ୍ୟ ଅତିକ୍ରମ କରିଥିବା ବେଳେ ଓଡିଶାରେ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ସମ୍ବଲପୁର ରେଳବାଇ ପୁଲିସ ଅଭିଯୁକ୍ତମାନଙ୍କୁ ଧରି ହେପାଜତରେ ରଖିଥିବା ବେଳେ କେରଳ ପୁଲିସର ଏକ ଦଳ ସମ୍ବଲପୁରକୁ ଶୁକ୍ରବାର ପରେ ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପୂରଣ ହୋଇଥିଲା ଏବଂ ସେମାନଙ୍କୁ ହସ୍ତାନ୍ତରିତ କରାଯାଇଛି ବୋଲି ଆରପିଏଫ ଥାନାଧିକାରୀ ଯାଦବ ସୂଚନା ଦେଇଛନ୍ତି।

Comments are closed.