ଡାଲି ଓ ତୈଳବୀଜର ସଂଗ୍ରହ କାର୍ଯ୍ୟ ମଇ ୭ ରୁ ଆରମ୍ଭ ହେବ

ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ଲାଗୁ କରାଯିବ

ଭୁବନେଶ୍ୱର : କୋଭିଡ୍‌-୧୯ ପରିପେକ୍ଷୀରେ ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକାକୁ ବଜାୟ ରଖି ରାଜ୍ୟରେ ଡାଲି ଓ ତୈଳବୀଜର ସଂଗ୍ରହ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ରାଜ୍ୟରେ ମଇ ମାସ ୭ ତାରିଖରୁ ମାର୍କଫେଡ୍‌ ଦ୍ୱାରା ସରକାରଙ୍କ ମୂଲ୍ୟ ସହାୟକ ଯୋଜନା (ପିଏସ୍‌ଏସ୍‌) ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ। ଭାରତ ସରକାରଙ୍କ ଦ୍ୱାରା ମୁଗ, ବିରି, ଚିନାବାଦାମ ଓ ସୂର୍ୟ୍ୟମୁଖୀ ମଂଜି ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି।
ଚଳିତ ରବି ଋତୁ ୨୦୧୯-୨୦ରେ ଧାର୍ୟ୍ୟ ଲକ୍ଷ୍ୟ ଅନୁଯାୟୀ ରାଜ୍ୟରେ ୧୪,୧୨୧ ମେଟ୍ରିକ୍‌ ଟନ୍‌ ମୁଗ, ୫୪୨୫ ମେଟ୍ରିକ୍‌ ଟନ୍‌ ଚିନାବାଦାମ, ୮୭୫୦ ମେଟ୍ରିକ୍‌ ଟନ୍‌ ସୂର୍ୟ୍ୟମୁଖୀ ମଂଜି ସଂଗ୍ରହ କରାଯିବ। ଭାରତ ସରକାରଙ୍କ ଅନୁମତି ପ୍ରାପ୍ତି ପରେ ବିରିର ସଂଗ୍ରହ କାର୍ୟ୍ୟ କରାଯିବ।
ଏଫ.ଏ.କ୍ୟୁ ମାନର ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍‌ ପିଛ ୭,୦୫୦ ଟଙ୍କା, ବିରି କ୍ୱିଣ୍ଟାଲ୍‌ ପିଛା ୫,୭୦୦ ଟଙ୍କା, ସୂର୍ୟ୍ୟମୁଖୀ ମଞ୍ଜି କ୍ୱିଣ୍ଟାଲ୍‌ ପିଛା ୫୬୫୦ ଟଙ୍କା ଏବଂ ଚିନାବାଦାମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍‌ ପିଛା ୫,୦୯୦ ଟଙ୍କା ସ୍ଥିର କରାଯାଇଛି। ନାଫେଡ୍‌ ପକ୍ଷରୁ ରାଜ୍ୟରେ ମାର୍କଫେଡ୍‌, ଓଡ଼ିଶାର ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ୍‌, ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାକୁ ସଂଗ୍ରହ କରିବ। ଡାଲି ଓ ତୈଳବୀଜ ସଂଗ୍ରହ କାର୍ୟ୍ୟ ଚଳିତ ବର୍ଷ ମଇ ମାସ ୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଏଥି ନିମନ୍ତେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ସଂଗ୍ରହ କେନ୍ଦ୍ର ନିର୍ଦ୍ଧାରଣ କରି ଚାଷୀମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ସଂପୃକ୍ତ ସଂସ୍ଥାଗୁଡ଼ିକୁ ଅବଗତ କରାଯିବା ସହିତ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟା ମଇ ୭ ତାରିଖ ମଧ୍ୟରେ ସଂପନ୍ନ କରିବା ପାଇଁ କୁହାଯାଇଛି। ଚାଷୀ ଚିହ୍ନଟ ଏବଂ ପଞ୍ଜୀକରଣ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଯଥା ବ୍ୟାଙ୍କ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠା, ଚାଷ ଜମିର ଦଲିଲ୍‌ ଏବଂ ପରିମାଣର କାଗଜପତ୍ର ଜରୁରୀ ଅଟେ। ଡାଲି ଓ ତୈଳବୀଜ ଉତ୍ପାଦନ ହାରକୁ ଦୃଷ୍ଟିରେ ରଖି ଏକର ପିଛା ୩ କ୍ୱିଣ୍ଟାଲ୍‌ ମୁଗ ଓ ବିରି ଧାର୍ୟ୍ୟ କରାଯାଇଥିବାବେଳେ ଏକର ପିଛା ୮ କ୍ୱିଣ୍ଟାଲ୍‌ ଚିନାବାଦାମ ଏବଂ ୫ କ୍ୱିଣ୍ଟାଲ୍‌ ସୂର୍ୟ୍ୟମୁଖୀ ମଂଜି ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି। ରାଜ୍ୟର ୧୬ଟି ଜିଲ୍ଲାରେ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ। ଏହି ଜିଲ୍ଲାଗୁଡ଼ିକ ହେଉଛି ନୂଆପଡ଼ା, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ବରଗଡ଼, ଯାଜପୁର, ଖୋର୍ଦ୍ଧା ଏବଂ କେନ୍ଦୁଝର। ଏହିସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜିଲ୍ଲାରେ ଉତ୍ପାଦିତ ଓ ବଳକା ଡାଲି ଏବଂ ତୈଳବୀଜକୁ ଆକଳନ କରି ସଂଗ୍ରହ କେନ୍ଦ୍ର ଓ ଏହାର ସ୍ଥାନ ନିର୍ଦ୍ଧାରଣ କରିବେ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପର୍ୟ୍ୟାୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ଏହାକୁ ସଂପ୍ରସାରିତ କରାଯାଇପାରେ।
ଚାଷୀମାନଙ୍କ ଅବଗତି ନିମନ୍ତେ ଡାଲି ଓ ତୈଳବୀଜ ସଂଗ୍ରହ କେନ୍ଦ୍ର ଓ ସଂଗ୍ରହ ସମୟ ବାବଦରେ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଗୁରୁତ୍ୱ ଦିଆଯାଇଛି। ସଂଗ୍ରହ ବାବଦକୁ ଦେୟ ଅର୍ଥ ମାର୍କଫେଡ୍‌ ଦ୍ୱାରା ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଅନ୍‌ଲାଇନ୍‌ ମାଧ୍ୟମରେ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, ସହକାରୀ କୃଷି ଅଧିକାରୀ, ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଏବଂ ମାର୍କଫେଡ୍‌ର ଏରିଆ ମ୍ୟାନେଜରମାନଙ୍କୁ ସଂଗ୍ରହ କାର୍ୟ୍ୟର ସୁପରିଚାଳନା ଓ ତଦାରଖର ଦାୟିତ୍ୱ ଦିଆଯାଇଛି। ଏଥି ସହିତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳମାନଙ୍କ ଦ୍ୱାରା ନିୟମିତ ଡାଲି ଓ ତୈଳବୀଜର ସଂଗ୍ରହର ସମୀକ୍ଷା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।
କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସଂକ୍ରମଣକୁ ଏଡ଼ାଇବା ପାଇଁ ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟରେ ଏବଂ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ୫ ଜଣରୁ ଊର୍ଦ୍ଧ୍ୱ ଚାଷୀ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଂଗ୍ରହ କେନ୍ଦ୍ରଗୁଡ଼ିକରେ ସଂପୂର୍ଣ୍ଣ ସ୍ୱଚ୍ଛତା ରଖାଯିବା ସହିତ ହ୍ୟାଣ୍ଡ ସାନିଟାଇଜର, ମାସ୍କ ବ୍ୟବହାର ଆଦିକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.