ଜୟନ୍ତୀରେ ଡଃ ରାଧାନାଥ ରଥଙ୍କୁ ମନ୍ତ୍ରୀ ରଣେନ୍ଦ୍ରଙ୍କ ଶ୍ରଦ୍ଧାସୁମନ ଅର୍ପଣ

ଆଠଗଡ : ଗଡଜାତ ଆନ୍ଦୋଳନର ଅନ୍ୟତମ ମୁଖ୍ୟ ସଂଗ୍ରାମୀ, ଶତାୟୁ ସାମ୍ବାଦିକ, ବିଶିଷ୍ଟ ସମାଜସେବୀ, ଆଠଗଡର ପୂର୍ବତନ ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଓ ସମାଜର ପୂର୍ବତନ ସଂପାଦକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୪ତମ ଜୟନ୍ତୀ ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ଜୟନ୍ତୀ ସମାରୋହରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଧାନାଥ ରଥଙ୍କର ଆଠଗଡ ପ୍ରତି ଅବଦାନ ତାଙ୍କୁ ଏ ଅଞ୍ଚଳରେ ଚିରଅମର କରି ରଖିବ ବୋଲି ମତବ୍ୟକ୍ତ କରିଥିଲେ। ଗୋପବନ୍ଧୁଙ୍କ ଆଦର୍ଶକୁ ପାଥେୟ କରି ଡକ୍ଟର ରଥ ଜୀବନ ବ୍ୟାପୀ ରାଜ୍ୟର ଦୁସ୍ଥ, ଅସହାୟ, ଦରିଦ୍ର ଏବଂ ବିପର୍ଯ୍ୟୟ ପୀଡିତଙ୍କ ସେବାରେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ଉତ୍ସର୍ଗୀକୃତ ଥିଲେ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଦଳୀୟ କାଯ୍ୟାଳୟରେ ପୂର୍ବତନ ଉପନଗରପାଳ ଲଳିତ ମୋହନ ନାୟକ, ପୂର୍ବତନ ସରପଞ୍ଚ ଅଶୋକ ରାଉତ, ବିଜେଡି ନଗର ସଭାପତି ଶିଶିର ପ୍ରସାଦ ମାନସିଂହ, ଯୁବ ସଂଗଠକ ରଞ୍ଜନ ଜେନା, ସମବାୟବିତ୍‍ ଲଳିତେନ୍ଦୁ ସେନାପତି ପ୍ରମୁଖ ଉଦ୍‌ବୋଧନ ଦେଇ ଡଃ ରଥଙ୍କ ତ୍ୟାଗ ଓ ସେବା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ଅନ୍ୟମାନେ ଗୋପବନ୍ଧୁ ମହିଳା କଲେଜ ପରିସରରେ ପ୍ରତିଷ୍ଠିତ ଡଃ ରଥ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ।

Comments are closed.