ନୌଚାଳନା ନାୟିକା ସୋନାଲି, ଅଭ୍ୟାସ ପାଇଁ ଅନ୍‍ଲାଇନ୍‍ କ୍ଲାସ

ଭୁବନେଶ୍ୱର: ନୌଚାଳନା ଓ ଜଳକ୍ରୀଡ଼ାରେ ପ୍ରତିଭା ଓ ପାରଦର୍ଶିତା ଦେଖାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଓଡ଼ିଆ ଝିଅ ସୋନାଲି ସ୍ବାଇଁ। ସେ କ୍ଷୀପ୍ର ଗତିରେ ନୌଚାଳନା କରି ପ୍ରତିପକ୍ଷଙ୍କୁ ମାତ୍‌ ଦେବାରେ ଦକ୍ଷତା ରଖିଛନ୍ତି। ଜୁନିୟର ସ୍ତରରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ସୋନାଲି ନୌଚାଳନା ନାୟିକା ଭାବେ ପରିଚିତା। ଜଗତପୁର ସାଇ ଜଳକ୍ରୀଡ଼ା କେନ୍ଦ୍ରର ଅନ୍ତେବାସୀ ସୋନାଲି ଏସୀୟ କ୍ରୀଡ଼ାରେ ପଦକ ଉପରେ ନଜର ରଖିଛନ୍ତି।


ଏବେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ କଟକଣା ଜାରି କରାଯାଇଛି। କୋଭିଡ୍‌-୧୯ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ସରକାରଙ୍କ ପକ୍ଷରୁ ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ର ବନ୍ଦ ରଖାଯାଇଛି। ଫଳରେ ଆଉଟ୍‌ଡୋର୍‌ ଅଭ୍ୟାସ କରାଯାଇ ପାରୁନାହିଁ। କରୋନା ମହାମାରୀ ପାଇଁ ଘରେ ନିଜକୁ ପ୍ରସ୍ତୁତ କରୁଛି। କ୍ରୀଡ଼ା ଛାତ୍ରାବାସ ବନ୍ଦ ରହିଥିବାରୁ ଏବେ ଅନ୍‍ଲାଇନ୍‍ କ୍ଲାସ ମାଧ୍ୟମରେ ଅଭ୍ୟାସ ଶିକ୍ଷା ଗ୍ରହଣ କରୁଛି। ଏହାଛଡ଼ା ପ୍ରଶିକ୍ଷକଙ୍କ ପରାମର୍ଶ କ୍ରମେ ଶାରୀରିକ ଅଭ୍ୟାସ କରୁଛି। କ୍ରୀଡ଼ା ଛାତ୍ରାବାସ ଖୋଲିବା ପରେ ଆଉଟ୍‍ଡୋର୍‍ ଅଭ୍ୟାସ କରିବି। ଜୁନିୟରସ୍ତରରେ ସଫଳତା ପରେ ଏସୀୟ କ୍ରୀଡ଼ାରେପଦକ ହାସଲ କରିବା ପ୍ରଥମ ଲକ୍ଷ୍ୟ ବୋଲି ସୋନାଲି ସ୍ବାଇଁ ପ୍ରକାଶ କରିଛନ୍ତି।

କଟକ ଜଗତପୁର ନାନ୍‍କାର ଅଞ୍ଚଳର ନବକିଶୋର ସ୍ୱାଇଁ ଓ ଅନୁପମା ସ୍ୱାଇଁଙ୍କ କନ୍ୟା ସୋନାଲି ସ୍ୱାଇଁଙ୍କ ଜନ୍ମ ୬ ନଭେମ୍ବର ୨୦୦୨ରେ। ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ୨୦୧୫ରେ ଯୋଗଦେଇଥିଲେ। ସାଇ କେନ୍ଦ୍ରର ପ୍ରଶିକ୍ଷକ ପି.ଟି ପୌଲକଙ୍କ ଏବଂ କୋଚ୍‌ ଜୋଶ୍‌ ଜାକବ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ହାସଲ କରି ସୋନାଲି ଆଗକୁ ବଢ଼ିବାରେ ଲାଗିଛନ୍ତି।
କକ୍‍ଲେସ୍‍ ଫୋର୍‍ରେ ପ୍ରତିନିଧିତ୍ୱ କରୁଥିବା ସୋନାଲି ୨୦୧୭ରେ ଜାତୀୟ ଜୁନିୟର ଓ ସିନିୟର ରୋଇଂ ଚମ୍ପିଆନ୍‍ସିପ୍‍ରେ ପଦକ ବିଜୟୀ ହୋଇ ଚର୍ଚ୍ଚାକୁ ଆସିଥିଲେ। ଜାତୀୟ ଜୁନିୟର ଓ ସିନିୟର ଚମ୍ପିଆନ୍‍ସିପ୍‍ରେ ସଫଳତା ପରେ ସୋନାଲି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପାଦ ଦେଇଥିଲେ। ୨୦୧୭ରେ ସିଙ୍ଗାପୁରରେ ଆୟୋଜିତ ଜୁନିୟର ଏସିଆନ୍‍ ରୋଇଂ ଚମ୍ପିଆନ୍‍ସିପ୍‍ରେ ଅଂଶଗ୍ରହଣ ପାଇଁ ସୋନାଲି ଭାରତୀୟ ଦଳରେ ସାମିଲ ହୋଇଥିଲେ। ସୋନାଲିଙ୍କ ନେତୃତ୍ବରେ ଭାରତୀୟ ବାଳିକା ଦଳ କକ୍‍ଲେସ୍‍ ଫୋର୍‍ରେ ବ୍ରୋଞ୍ଜପଦକ ବିଜୟୀ ହୋଇଥିଲା। ୨୦୧୮ରେ ଦକ୍ଷିଣକୋରିଆରେ ଆୟୋଜିତ ଜୁନିୟର ଏସିଆନ୍‍ ରୋଇଂ ଚମ୍ପିଆନ୍‍ସିପ୍‍ ଲାଗି ସୋନାଲି ଭାରତୀୟ ଦଳରେ ସାମିଲ ହୋଇଥିଲେ। ଏଥିରେ ଭାରତୀୟ ବାଳିକା ଦଳ କକ୍‍ଲେସ୍‍ ଫୋର୍‍ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା, ଯେଉଁଥିରେ ସୋନାଲି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହାପରେ ୨୦୧୮ରେ ଦକ୍ଷିଣକୋରିଆରେ ଆୟୋଜିତ ଜୁନିୟର ଏସିଆନ୍‍ ରୋଇଂ ଚମ୍ପିଆନ୍‍ସିପ୍‍ର ବାଳିକା କକ୍‍ଲେସ୍‍ ଫୋର୍‍ରେ ସୋନାଲି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏହାଛଡ଼ା ୨୦୧୯ ଅଗଷ୍ଟରେ ଟୋକିଓରେ ଆୟୋଜିତ ବିଶ୍ୱ ଜୁନିୟର ରୋଇଂ ଚମ୍ପିଆନ୍‍ସିପ୍‍ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

indiatimes.com

Comments are closed.