ରାଉରକେଲା ସୁପର ସ୍ପେସିଆଲିଟି ହସ୍‍ପିଟାଲକୁ ଟ୍ରଷ୍ଟ ନୁହେଁ ଏମ୍ସ ଭାବରେ ଘୋଷଣା ହେଉ

ନାଗରିକ ସୁରକ୍ଷା କମିଟିର ନିଷ୍ପତି, ୧୯ର ବିଶାଳ ମାନବ ଶୃଙ୍ଖଳରେ ସହରବାସୀ ସାମିଲ୍‍ ପାଇଁ ଆହ୍ୱାନ

ରାଉରକେଲା : ରାଉରକେଲା ସୁପର ସ୍ପେସିଆଲିଟି ହସପିଟାଲକୁ ଟ୍ରଷ୍ଟ ଅଧୀନରେ ନୁହେଁ ବରଂ ଏମ୍ସ ଭାବେ ଘୋଷଣା କରିବାକୁ ଆଜି ଭଂଜଭବନସ୍ଥିତ ଆଦର୍ଶ ପାଠାଗାର ପରିସରରେ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ସଭାରେ ମତପ୍ରକାଶ ପାଇଛି। ରାଉରକେଲାର ବିଭିନ୍ନ ରାଜନୈତିକ ଦଳ, ଟ୍ରେଡ୍‍ ୟୁନିୟନ, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ରାଉରକେଲା ନାଗରିକ ସୁରକ୍ଷା କମିଟିର ସଭା ସହରର ବିଶିଷ୍ଟ ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ବୈଠକ ପ୍ରାରମ୍ଭରେ କମିଟି ଆବାହକ ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ସଭାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାସହ ପ୍ରାୟ ୮ ଲକ୍ଷ ବାସୀନ୍ଦାଙ୍କ ରାଉରକେଲା ସହର ସହିତ ସୁନ୍ଦରଗଡ ଜିଲା, ପଡ଼ୋଶୀ ଜିଲା ଓ ପଡୋଶୀ ରାଜ୍ୟର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରେ ନବନିର୍ମିତ ଏହି କୋଠାରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବିଧିବଦ୍ଧ ଘୋଷଣା କରିବା ସହିତ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍‍ଘାଟନ ପୂର୍ବରୁ ସରକାର ଏ ଦିଗରେ ଉଚିତ୍‍ ଘୋଷଣା କରିବାକୁ ଦାବି କରିଥିଲେ। ବୈଠକରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଏମ୍ସର ଦାବିକୁ ଜୋରଦାର କରିବା ପାଇଁ ସମଗ୍ର ରିଂରୋଡରେ ସହରବାସୀ ମାନବଶୃଙ୍ଖଳ କରିବାକୁ ପ୍ରସ୍ତାବ ଦେଇଥିଲେ। ଏନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇବା ସହିତ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଥିଲେ। ନାଗରିକ କମିଟି ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ଆଗାମୀ ଦିନରେ ଗ୍ରହଣ କରାଯିବା ତାକୁ ସମର୍ଥନ କରିବାକୁ ଘୋଷଣା କରିଥିଲେ। ବଣେଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବକ୍ତବ୍ୟ ରଖି ଜିଲ୍ଲାର ଗରିବ ଶ୍ରମିକ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଏହାକୁ ଏମ୍ସ ଭାବରେ କେନ୍ଦ୍ର ସରକାର ଘୋଷଣା କରିବାକୁ ଦାବି କରିଥିଲେ। ଜିଲାର ସମସ୍ତ ୭ଜଣ ବିଧାୟକ ଏହି ପ୍ରସଙ୍ଗରେ ଏକ ହେବା ଉପରେ ସେ ଗୁରୁତ୍ୱ ଆରୋପ କରାଯିବା ସହିତ ବିଧାନସଭାରେ ଏହି ପ୍ରସଙ୍ଗ ଉପସ୍ଥାପିତ କରିବେ ବୋଲି କହିଥିଲେ। ଏହାକୁ ସେଲ୍‌ଫ କର୍ତୃପକ୍ଷ ଏକ ଟ୍ରଷ୍ଟ କରି ଲୋକ ଦେଖାଣିଆ ଭାବେ ଉଦ୍‍ଘାଟନ କରି ଲୋକଙ୍କୁ ଭୁୟାଁ ବୁଲାଇବାକୁ ସେ ନାପସନ୍ଦ କରିଥିଲେ। ସମାଜସେବୀ ହରି ରାଉତରାୟ ଓ ବରିଷ୍ଠ ଶ୍ରମିକ ନେତା ବୈଦ୍ୟନାଥରାଉରକେଲାବାସୀଙ୍କ ଏହି ପ୍ରମୁଖ ଅଧିକାର ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କର ଲଢେଇର ଅବତାରଣା କରି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଏହି ଦାବି ପୂରଣ ଜରୁରୀ ବୋଲି କହିଥିଲେ। ଥିଙ୍କର୍ସ ଫୋରମର ନଳିନୀକାନ୍ତ ଧର ବ୍ୟବସ୍ଥାର ଉପଯୁକ୍ତ ଦିଗ ପ୍ରତି ତର୍ଜମା କରାଯିବା ଉପରେ ଆଲୋକପାତ କରିଥିଲେ।

ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପ୍ରାଧ୍ୟାପକ ଡକ୍ଟର ପ୍ରଭାତ ମଲ୍ଲିକ, ବରିଷ୍ଠ ବିଜେଡି ନେତା ଆନନ୍ଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ସିପିଆଇ (ଏମ୍‍) ଜିଲା ସମ୍ପାଦକ ପ୍ରମୋଦ ସାମଲ, ଡାକ୍ତର କୃପାସିନ୍ଧୁ ନାୟକ, ଆଇଏନ୍‍ଟିୟୁସି ନେତା ନିହାର ଦାସ, ଏଚ୍‍ଏମ୍‍ଏସ୍‍ ନେତା ଦିଗମ୍ବର ମହାନ୍ତି, ଏଆଇଟିୟୁସି ନେତା ସଦାନନ୍ଦ ସାହୁ, ଏଆଇୟୁଟିୟୁସି ନେତା ଅଜିତ ନାୟକ, ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭୟ ଦାସ, ଜଗଦା ସାଂସ୍କୃତିକ ପରିଷଦ ଉପଦେଷ୍ଟା ସଂଜୀବ ମହାନ୍ତି, ପୀତାମ୍ବର ଲେଙ୍କା, ଚାମ୍ବର ଅଫ୍‍ କମର୍ସର ପୂର୍ବତନ ସଭାପତି ସୁନୀଲ କୟାଲ, କୋସଲ କ୍ରାନ୍ତି ଦଳର ହୃଦୟାନନ୍ଦ ବେହେରା, ଆଦର୍ଶ ପାଠାଗାରର ସୁକାନ୍ତ କୁମାର ଖୁଂଟିଆ ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ସରକାର ରାଷ୍ଟ୍ରପତିଙ୍କ ଉଦ୍‍ଘାଟନ ପୂର୍ବରୁ ଏହାକୁ ଏମ୍ସକୁ ପ୍ରଦାନ ସମ୍ପର୍କରେ ଘୋଷଣା କରିବାକୁ ଦାବି କରିଥିଲେ।

କେନ୍ଦ୍ର ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଆବଶ୍ୟକ ଦୃଷ୍ଟି ଦେବାକୁ ଦାବି କରାଯାଇଥିଲା। କେବଳ ଏକ କୋଠା ନିର୍ମାଣ କରି ଏହାକୁ ଲୋକ ଦେଖାଣିଆ ଭାବେ ଉଦ୍‍ଘାଟନ କଲେ ସାଧାରଣ ଜନତାର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କିପରି ହୋଇପାରିବ ବୋଲି ପ୍ରଶ୍ନ କରାଯାଇଥିଲା। ସୁପର ସ୍ପେସାଲିଟି ହସ୍‍ପିଟାଲ ଓ ପୋଷ୍ଟ ଗ୍ରାଜୁଏଟ୍‍ ମେଡିକାଲ କଲେଜ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ଡାକ୍ତର କିମ୍ବା ନର୍ସ ନାହାଁନ୍ତିି। ରାଉରକେଲା ଲୋକଙ୍କ ଭାବନା ସହ ଖେଳିବା ପାଇଁ ପୁଣି ଏକ ଅପଚେଷ୍ଟା କରାଯାଇଛି। ରାଉରକେଲା ତଥା ଆଖପାଖ ଅଂଚଳର ଜନସାଧାରଣ ଅନେକ ସମୟରେ ବିଭିନ୍ନ ଯଥା ହାର୍ଟ, କିଡ୍‍ନୀ, ଲିଭର ଓ ଅନ୍ୟାନ୍ୟ ନ୍ୟୁରୋସର୍ଜରୀ ଚିକିତ୍ସା ସୁବିଧା ଏଠାରେ ନଥିବାରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଭୁବନେଶ୍ୱର, କଟକ, ରାଜ୍ୟ ବାହାର ଉପରେ ଚିକିତ୍ସା ପାଇଁ ନିର୍ଭର କରିବାକୁ ପଡୁଛି। ତେଣୁ ସରକାର ସୁପର ସ୍ପେସାଲିଟି ହସ୍‍ପିଟାଲ ଏବଂ ପୋଷ୍ଟ ଗ୍ରାଜୁଏଟ୍‍ ମେଡିକାଲ ଇନ୍‍ଷ୍ଟିଚ୍ୟୁଟ୍‍କୁ ରାଜ୍ୟର ଦ୍ୱିତୀୟ ଏମ୍ସ ଭାବେ ଘୋଷଣା କରିବାକୁ ବିଧିବଦ୍ଧ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ବକ୍ତାମାନେ ଦାବି କରିଥିଲେ। ଏହି ଖଣିଖାଦାନ ଅଞ୍ଚଳ ବ୍ୟାପକ ରାଜସ୍ୱ ଦେଉଥିବା ବେଳେ ଅଂଚଳ ପ୍ରତି ବୈମାତୃକ ମନୋଭାବ ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଥିଲା।

ଆଜିର ସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ମୁତାବକ ଏହାକୁ ଏମ୍ସ ଘୋଷଣା କରିବା ଦାବିରେ ନାଗରିକ ସୁରକ୍ଷା କମିଟି ତରଫରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ସମଗ୍ର ସୁନ୍ଦରଗଡ଼ ଜିଲାରେ ଏଥିପାଇଁ ବ୍ୟାପକ ପ୍ରଚାର, ପଥପ୍ରାନ୍ତ ସଭାମାନ ସଙ୍ଗଠିତ କରି ପ୍ରଧାନମନ୍ତ୍ରୀ ଜିଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବଂ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ଏହାକୁ ଏମ୍ସ ଘୋଷଣା କରିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ। ଏଥିସହ କମିଟି ଡାକରାରେ ଚଳିତ ମାସ ୧୯ ତାରିଖ ଅପରାହ୍ନ ୫ଟା ବେଳେ ସହରର ସମଗ୍ର ରିଙ୍ଗ୍‍ରୋଡ ପ୍ରାୟ ୧୮ କିଲୋମିଟର ବ୍ୟାପକି ଏକ ବିଶାଳ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ସଙ୍ଗଠିତ କରାଯାଇ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚଳିତ ମାସ ୧୭ ତାରିଖ ସନ୍ଧ୍ୟା ୫ଟା ବେଳେ ଆଦର୍ଶ ପାଠାଗାର ପରିସରରେ ଏକ ପ୍ରସ୍ତୁତି ବୈଠକ କରାଯାଇ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ।

Comments are closed.