ଚୋରଙ୍କ ଟାର୍ଗେଟରେ ସାରନଗରୀ

ସାରନଗରୀ: ଚୋରଙ୍କ ଟାର୍ଗେଟରେ ସାରନଗରୀ। ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ସାରନଗରୀର ଅଂଚଳରେ ଦିନକୁ ଦିନ ବିଭିନ୍ନ ଘର ଓ ଦୋକାନର ଚୋରି ଘଟଣା ପୁଲିସ ଫାଇଲରେ ଯୋଡ଼ି ହେଉଛି। ଅନ୍ୟପକ୍ଷେ ପୁଲିସ ପକ୍ଷରୁ ଚୋରି ରହସ୍ୟର ପର୍ଦ୍ଦାଫାସ ହୋଇ ପାରି ନଥିବା ସାଧାରଣରେ ଆଲୋଚନା ହେଉଛି! ଉକ୍ତ ଅଂଚଳରେ ପୁଲିସର ଦିନ ଓ ରାତ୍ରୀକାଳୀନ ପାଟ୍ରୋଲିଂ ଗଳିକନ୍ଦି ଅଂଚଳରେ କରାଯିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ସାରନଗରୀର ଆଇଡ଼ିଏଲ ନିକଟ ମୋହିନୀ ବିହାର ଅଂଚଳରେ ଥିବା ଏକ ଦୋକାନରୁ ହୋଇଛି ସିନ୍ଧି ଚୋରି। ଅଜଣା ଦୁବୃର୍ତ ଦୋକାନର ପଛ ପାଖ କାନ୍ଥ ଖୋଳି ଦୋକାନ ମଧ୍ୟରେ ପ୍ରବେଶ କରିବା ପରେ ଦୋକାନରୁ ଚୋରି କରିଥିବା ଜଣାପଡ଼ିିଛି। ଏନେଇ ଦୋକାନ ମାଲିକ କ୍ଷୀରୋଦ ଚନ୍ଦ୍ର ସାହୁ ଟାଙ୍ଗରପାଲୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ପ୍ରାଥମିକ ଅନୁସନ୍ଧାନ ଜାରି ରଖିଛି । ଉକ୍ତ ଅଂଚଳରେ କ୍ଷୀରୋଦ ସାହୁଙ୍କ ଏକ ଭେରାଇଟିି ଦୋକାନ ରହିଛି। ପ୍ରତିଦିନ ପରି ଗତକାଲି ରାତିରେ କ୍ଷୀରୋଦ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ବିଳମ୍ବିତ ରାତ୍ରୀରେ କୌଣସି ଅଜଣା ଦୁବୃର୍ତ ଦୋକାନର ପଛପାଖ କାନ୍ଥ ତାଡ଼ି ଦୋକାନ ମଧ୍ୟରେ ଥିବା ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ଆଜି ସକାଳ ସମୟରେ ଦୋକାନ ଖୋଲିବା ପରେ ଦୋକାନୀ ଜଣଙ୍କ ଚୋରି ସମ୍ବନ୍ଧରେ ଜାଣିବାକୁ ପାଇଥିଲେ। ତାଙ୍କ ଦୋକାନରୁ ବିଭିନ୍ନ ନାମିଦାମୀ କମ୍ପାନୀର ସିଗାରେଟ ପ୍ୟାକେଟ, ମୃଦୁପାନୀୟ ବୋତଲ, ଦହି ପ୍ୟାକେଟ, ବିସ୍କୁଟ, ଚକଲେଟ ଆଦି ଚୋରି ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୬୩ ହଜାର ଟଙ୍କା ହେବ ବୋଲି କ୍ଷୀରୋଦ ଟାଙ୍ଗରପାଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ସାରନଗରୀର ପାଣିଟାଙ୍କି ମାର୍କେଟର ଏକ ପୂଜା ସାମଗ୍ରୀ ଓ ପାନ ଦୋକାନରୁ ଦୁବୃର୍ତ ମାନେ ଟାର୍ଗେଟ କରି ବିଳମ୍ବିତ ରାତ୍ରୀରେ ଚୋରି କରି ଛୁ ମାରିଥିଲେ। ସେହିପରି ସାରନଗରୀ ଅଂଚଳର ‘ବି’ ବ୍ଲକରେ ଗତ କିଛି ଦିନ ତଳେ ସୁନାଗହଣା ଓ ନଗଦ ୪୨ ହଜାର ଟଙ୍କା ଚୋରି ହୋଇ ଯାଇଥିଲା, ଗୃହକର୍ତାଙ୍କ ଏତଲା ପରେ ଏହି ଚୋରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ। ଗତ ୩ ମାସ ହେଲା ସାରନଗରୀ ଅଂଚଳରେ ବିଭିନ୍ନ ମାର୍କେଟ ଓ ଘରୁ ଚୋରି ଘଟଣା ବୃଦ୍ଧି ପାଇଥିବାରୁ ଏଠାରେ ବସବାସ କରୁଥିବା ବାସିନ୍ଦା ମାନେ ନିଜକୁ ଆଦୌ ସୁରକ୍ଷିତ ମଣୁନାହାନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ସାରନଗରୀରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡା଼କଡ଼ି କରିବା ସହ ରାତ୍ରୀରେ ସମସ୍ତ ଛକରେ ପୁଲିସ କର୍ମୀ ମୁତୟନ ପାଇଁ ଦାବି ହୋଇଛି।

Comments are closed.