ରେଳବାଇ ଓ ପ୍ରଶାସନ ମଧ୍ୟରେ ରହୁନାହିଁ ସମନ୍ୱୟ

ରାଉରକେଲା ରେଳଷ୍ଟସନରେ ୬ନମ୍ବର ପ୍ଲାଟଫର୍ମ କାର୍ଯ୍ୟକ୍ଷମ ହେବ କେବେ?

ରାଉରକେଲା : ଭୁବନେଶ୍ୱର ପରେ ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଲା। ସ୍ମାର୍ଟସିଟିରେ ଷ୍ଟେସନର ବିକାଶ ଏକ ପ୍ରମୁଖ ଦିଗ ବୋଲି ଧରାଯାଉଛି। ଭୁବନେଶ୍ୱର ସ୍ମାର୍ଟ ସିଟିର ଦ୍ୱିତୀୟ ପ୍ରବେଶ ପଥ ସହିତ ଏହାର ପାରିପାର୍ଶିକ ଅଂଚଳର ବିକାଶ ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ପ୍ଲାଟଫର୍ମ ନିର୍ମାଣ, ପାର୍କିଂ ସ୍ଥାନ, ଯାତ୍ରୀ ବିଶ୍ରାମାଗାରଠାରୁ ଆରମ୍ଭ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅଥଚ ରାଉରକେଲା ସ୍ମାର୍ଟସିଟିରେ ଥିବା ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶପଥରେ କେବଳ ଟିକେଟ କାଉଂଟରକୁ ଛାଡ଼ିଦେଲେ ବିଶେଷ କିଛି  ସୁବିଧା ନାହିଁ। ଏଠାରେ ଥିବା ୬୦ ପାହାଚକୁ ନେଇ ଦ୍ୱିତୀୟ ପ୍ରବେଶପଥ ଦେଇ ଯିବାକୁ ଯାତ୍ରୀ ସାହସ କରୁ ନାହାଁନ୍ତି। ଏଭଳି ପାହାଚ ବ୍ୟବସ୍ଥା ବୃଦ୍ଧବୃଦ୍ଧା, ମହିଳା ପିଲାଙ୍କ ପାଇଁ  ଅସୁବିଧା ସୃଷ୍ଟି କରୁଛି। ସବୁଠାରୁ ବଡ଼ ଆବଶ୍ୟତା ହେଉଛି ୬ନମ୍ବର ପ୍ଲାଟଫର୍ମ। ଏହି ପ୍ଲାଟଫର୍ମ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ରାଉରକେଲା ସ୍ମାର୍ଟସିଟିର ୬୦ ପ୍ରତିଶତ ଜନସାଧାରଣ ଏହା ଦ୍ୱାରା ଉପକୃତ ହୋଇ ପାରିବେ ବୋଲି ମତପ୍ରକାଶ ପାଉଛି।

ଅପ୍ ଟ୍ରେନ ଧରିବାକୁ ଥିବା ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ହେବ। ଏହାର ତୀବ୍ରତା ବୃଦ୍ଧି ପାଇବ। ପୂର୍ବରୁ ବୁକିଂ କାଉଂଟର ଥିବା ବେଳେ ଏହି ୬ନମ୍ବର ପ୍ଲାଟଫର୍ମ ନିର୍ମାଣ ହେଲେ ଯାତ୍ରୀଙ୍କୁ ଗମନାଗମନ ବ୍ୟବସ୍ଥା ପାଇଁ ଆବଶ୍ୟକ ଭିତିଭୂମି ସୃଷ୍ଟି ହୋଇ ପାରିବ। ବିଶ୍ରାମ ପାଇଁ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ଲୋକଙ୍କ ବିଭିନ୍ନ ଷ୍ଟଲ ଉପଲବ୍ଧ ହେବା ସହିତ କୁଲି ମଧ୍ୟ ମିଳି ପାରିବେ। ସବୁଠାରୁ ବଡ଼ କଥା ହେଲା ଟର୍ମିନାଲ ସୁବିଧା ସୃଷ୍ଟି ହୋଇ ପାରିବ। ଯାହାଫଳରେ ଅଧିକ ନୂତନ ଟ୍ରେନ ରହିବାର ସୁବିଧା ମିଳିବ। ରାଉରକେଲା ଷ୍ଟେସନରୁ ଇଂଟରସିଟି, ରାଜ୍ୟରାଣୀ ଏକ୍ସପ୍ରେସ ବାହରିବା ପରି ନୂତନ ଟ୍ରେନ ଏଠାରୁ ବାହରିବା ନେଇ ଭିତ୍ତିଭୂମି ସୃଷ୍ଟି ହୋଇ ପାରିବ। ନୂତନ ପ୍ଲାଟଫର୍ମ ନିର୍ମାଣ ସହିତ ୱାସିଂଲାଇନବ୍ୟବସ୍ଥା କରାଗଲେ  ଏହି ବ୍ୟବସ୍ଥାକୁ ଅଧିକ ସଫଳ ହୋଇ ପାରିବ। ରାଞ୍ଚି, ପୁରୀ, ଭୁବନେଶ୍ୱରେ ୱାସିଂ ଲାଇନ ସୁବିଧା ଥିବାରୁ ଅଧିକ ଟ୍ରେନ ଗନ୍ତବ୍ୟସ୍ଥଳରୁ ବାହାରି ପାରୁଛି। ରାଉରକେଲା ହେଉ କିମ୍ବା ନିକଟସ୍ଥ ବନ୍ଧମୁଣ୍ଡାରେ ୱାସିଂଲାଇନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଗଲେ ଗୁରୁତ୍ୱପୂର୍ଣ୍ଣ ରାଉରକେଲା ରେଳଷ୍ଟସନରୁ ବହୁ ସଂଖ୍ୟକ ଟ୍ରେନ ଯିବା ପାଇଁ ସୁବିଧା ସୃଷ୍ଟି ହୋଇପାରିବ। ଚକ୍ରଧୁରପୁର ଡିଭିଜନ ମଣ୍ଡଳରେ ରେଳ ପରାମର୍ଶଦାତା କମିଟି ବୈଠକ ହେଉ ଅଥବା କୋଲକାତା ଠାରେ ଜୋନାଲ ଉପଦେଷ୍ଟା କମିଟି ବୈଠକରେ ୬ନମ୍ବର ପ୍ଲାଟଫର୍ମ ନିର୍ମାଣ ପାଇଁ କମିଟିର ସଦସ୍ୟ ଦାବି କରି ଆସୁଛନ୍ତି। ଏହି ପ୍ଲାଟଫର୍ମ ନିର୍ମାଣ ହେଲେ ଅଧିକ ଟ୍ରେନ ରହିବ ଓ ଅଂଚଳବାସୀ ଅଧିକ ସୁବିଧା ପାଇପାରିବେ ବୋଲି ସଦସ୍ୟମାନେ ଯୁକ୍ତି ବାଢି ଆସୁଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ପାରିପାର୍ଶିକ ଅଂଚଳର ଜବରଦଖଲ ପାଇଁ ପ୍ରଶାସନ ପାଇଁ ପଦକ୍ଷେପ ନେଉନଥିବାରୁ ଏହି କାର୍ଯ୍ୟ ଆଗେଇ ପାରୁନଥିବା କହୁଛନ୍ତି। ଟିମ୍ବରକଲୋନୀ ଇଣ୍ଡିଆନ ଅଏଲ ଡିପୋ ଠାରୁ ଆରମ୍ଭ କରି ମାଲଗୋଦାମ ପର୍ଯ୍ୟନ୍ତ ବୃହତ ଅଂଚଳରେ ଏହି ପ୍ଲାଟଫର୍ମ ନିର୍ମାଣ ପାଇଁ ଦାବି ହେଉଛି। ଟିମ୍ବର କଲୋନୀରୁ ଅଏଲ ଡିପୋ ଉଠିଯିବା ପରେ ବିଭାଗର କେତେକ ବିପଦଶଙ୍କୁଳ ପୁରୁଣା କୋଠା ରହିଛି।  ଏହାକୁ ଭଙ୍ଗା ଯିବା ପରେ ବୃହତ ଅଂଚଳ ଏଥିପାଇଁ ପ୍ରଶସ୍ତ ହୋଇ ପାରିବ। ଆଉ ଏକ ସମସ୍ୟା ହେଲା  ରାଉରକେଲା ରେଳବାଇ ଷ୍ଟେସନରେ ଫୁଟ ଓଭର ବ୍ରିଜ୍(ଏଫଓବି)। ରାଉରକେଲା ଭଳି ରେଳଷ୍ଟସନରେ ଅତିକମରେ ଦୁଇଟି ଏଫଓବିର ଆବଶ୍ୟକତା ରହିଛି। ଗୋଟିଏ ଏଫଓବି ଦ୍ୱିତୀୟ ପ୍ରବେଶପଥରେ ୬୦ ପାହାଚ ଥିବା ବେଳେ ଅପରପକ୍ଷରେ ଏସ୍କାଲେଟର ନିକଟରୁ ଆସିଥିବା ଏଫଓବି ୪ନମ୍ବର ପ୍ଲାଟଫର୍ମ ନିକଟରେ ଶେଷ ହୋଇଥିବାରୁ ଅପରପାର୍ଶ୍ବ ଯାତ୍ରୀଙ୍କ ଯାତାୟତ ପାଇଁ ଅସୁବିଧା ସୃଷ୍ଟି ହେଉଛି। ଏନେଇ ବିଭିନ୍ନ ବୈଠକରେ ଦାବି ଉଠୁଥିବା ବେଳେ ଜବରଦଖଲ ପ୍ରକ୍ରିୟା ପାଇଁ ଏହା ପୂର୍ଣ୍ଣାଙ୍ଗ ହୋଇ ପାରୁନାହିଁ ବୋଲି ରେଳବାଇ କର୍ତ୍ତୃପକ୍ଷ କହୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଭୁବେନଶ୍ୱର ଅଥବା ଅନ୍ୟ ସହରରେ ରେଳବାଇ ଓ ସ୍ଥାନୀୟ ପ୍ରଶାସନର ସମନ୍ୱୟରେ ରେଳବାଇ ଷ୍ଟେସନ ଓ ଏହାର ପାରିପାର୍ଶ୍ବିକ ଅଂଚଳର ବିକାଶ ହେଉଥିବା ବେଳେ ରାଉରକେଲାରେ ଏହି ସମନ୍ୱୟର ଅଭାବ କାହିଁକି? ରେଳବାଇ କର୍ତ୍ତୃପକ୍ଷ ଏହି ଜବଦରଦଖଲ  ଓ ପ୍ରଶାସନର ଅସହଯୋଗରୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି କହୁଛନ୍ତି। ଅପରପକ୍ଷରେ ରେଳବାଇର ଅସଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇ ପାରୁନାହିଁ ପ୍ରଶାସନ କହୁଛି। ବାସନ୍ତୀ କଲୋନୀ-ବିଏସଏନଏଲ ଛକ ରାସ୍ତା ରେଳବାଇ କଲୋନୀ ନିକଟରେ ଅଟକି ରହିବା ଏହାର ପ୍ରମୁଖ ଉଦାହରଣ। ରେଳବାଇର ଦ୍ୱିତୀୟ ପ୍ରବେଶପଥକୁ ଯିବା ପାଇଁ ଏହା ଏକ ମୁଖ୍ୟ ରାସ୍ତା ଭାବେ ରହିଛି। ଲେବରଟେନାମେଂଟ, ଛେଣ୍ଡକଲୋନୀ, ବାସନ୍ତୀ କଲୋନୀ ଆଦି ଅଂଚଳର ଲୋକଙ୍କ  ରେଳ ଷ୍ଟେସନକୁ ଶୀଘ୍ର ଓ ସହଜରେ ଯାତାୟତ କରିବା ପାଇଁ ଏକ ପ୍ରମୁଖ ଗମନାଗମନର ମାଧ୍ୟମ ହୋଇଥିବା ବେଳେ ଏହି ରାସ୍ତା ବାଧକ ପାଲଟିଛି। ଦୁଇ ତୃତୀୟାଂଶ ଯାତ୍ରୀ ଏହି ରାସ୍ତା ନିର୍ମାଣକୁ ସ୍ୱାଭାବିକ କରାଗଲେ ଉପକୃତ ହୋଇ ପାରିବେ।  ଦକ୍ଷିଣପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କ ରାଉରକେଲା ଗସ୍ତ ଅବସରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ଓ ରେଳବାଇ ସହିତ ସମ୍ପୃ୍କ୍ତ ଅନୁଷ୍ଠାନ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯିବା ସହିତ ଏହି ରାସ୍ତା ନିର୍ମାଣକୁ ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରିଥିଲେ। ମହାପ୍ରବନ୍ଧକ ଏସମ୍ପର୍କରେ ବିଚାର ପାଇଁ କହିଥିଲେ। କିନ୍ତୁ ପ୍ରତିଶୃତି ପ୍ରତିଶୃତିରେ ରହିଗଲା। ୪୦୦ମିଟିରର ରାସ୍ତା ସେହିଭଳି ଅଧାପନ୍ତରିଆ ହୋଇ ରହିଗଲା। ଏପରିକି ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ମଧ୍ୟ କାର୍ଯ୍ୟକାରୀ ହେଲା ନାହିଁ।

୨୦୧୯ ଜୁଲାଇ ମାସ ୨୯ ତାରିଖରେ ରେଳବାଇ ଅଧିକାରୀ ଓ ରେଳବାଇ ସହିତ ସମ୍ପୃକ୍ତ ବିଭିନ୍ନ ସଙ୍ଗଠନର ପ୍ରତିନିଧିଙ୍କୁ ନେଇ ବୈଠକ ହେବ ଓ ସ୍ଥାନୀୟ ପ୍ରସଙ୍ଗର ସମାଧାନ ହେବ ବୋଲି ତତ୍କାଳୀନ ରେଳବାଇ ଏଆରଏମ ସୂଚନା ଦେଇଥିଲେ। ଏହା ପରେ ଦୀର୍ଘଦିନ ଅତିକ୍ରାନ୍ତ ହୋଇଛି। ନୂତନ ଏଆରଏମ କାର୍ଯ୍ୟରେ ଯୋଗଦେଇଛନ୍ତି। କିନ୍ତୁ ବୈଠକର ନାମଗନ୍ଧ ନାହିଁ। କରେନା ମହାମାରୀ ପାଇଁ ସ୍ଥାନୀୟ ସମସ୍ୟାକୁ ନେଇ ହେଉଥିବା ଷ୍ଟେସନ ପରାମର୍ଶଦାତା କମିଟି ବୈଠକ ମଧ୍ୟ ହୋଇ ପାରୁନାହିଁ।   ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରେଳବାଇ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ରଣନୀତି ପ୍ରସ୍ତୁତ ନହେବାକୁ ନେଇ ପ୍ରଶ୍ନ ଉଠୁଛି। ରାଉରକେଲା ରେଳବାଇ ଅବହେଳାର ଶିକାର ହୋଇ ଆସିଛି। ପୁରୀରୁ ରାଉରକେଲାକୁ ଆସୁଥିବା ତପସ୍ୱିନୀ ଏକ୍ସପ୍ରେସକୁ ହଟିଆ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲା। ରାଉରକେଲା-ଭୁବନେଶ୍ୱର ଗରିବରଥକୁ ଧାନବାଦ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଗଲା। ଏହାର ପ୍ରତିବଦଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଂଚି-ନୂଆଦିଲ୍ଲୀ ଗରିବ ରଥ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ ଓ ପୁରୀ-ବଡ଼ବିଲ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ହେଉଥିବା ଦାବିକୁ ଉପେକ୍ଷା କରାଗଲା। ଏହଭଳି ନାନାଦି ସମସ୍ୟା ରହିଥିବା ବେଳେ ଏହାର ସମାଧାନ ପାଇଁ କେବେ ବାଟ ଫିଟିବ ବୋଲି ଆଲୋଚନା ହେଉଛି।

Comments are closed.