ଛାଡ଼ି ନାହାଁନ୍ତି ଅଭ୍ୟାସ: ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ରାକ୍ଷୀ ତିଆରିରେ ବ୍ୟସ୍ତ

ରାଉରକେଲା : ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଜୀବନ ଜୀବିକା ତଥା ଶିକ୍ଷାଦାନ ଓ ସ୍ୱାସ୍ଥ୍ୟ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଛି। ଏଥିପାଇଁ ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ସହ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ୍‍ ରହିଛି। ତେବେ ଏହି ସମୟରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ କର୍ତୃପକ୍ଷଙ୍କ ଦାୟିତ୍ୱ ବଢିଛି। ଏହି ପିଲା ଘରେ ରହିଲେ ସେମାନଙ୍କ ମାନସିକ ଦୁଶ୍ଚିନ୍ତା ବଢିଥାଏ ଏବଂ ସେମାନେ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଅଭିଭାବକ ଓ ବିଦ୍ୟାଳୟ କର୍ତୃପକ୍ଷ ଏମାନଙ୍କୁ ନେଇ ଚିନ୍ତିତ। ଏମାନେ ସୁସ୍ଥ ରହିବା ପାଇଁ ନିୟମିତ ନ ହେଲେ ମଧ୍ୟ ମଝିରେ ମଝିରେ ଥେରାପୀର ଆବଶ୍ୟକ ହୋଇଥାଏ। ସରକାରଙ୍କ ପାଇଁ ଥିବା ସାମାଜିକ ସୁରକ୍ଷା ତରଫରୁ ସ୍ୱତନ୍ତ୍ର ଭାବେ କୋଭିଡ୍‍-୧୯ ଗାଇଡ୍‍ଲାଇନ୍‍ ଅନୁସାରେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ କିଛି ବ୍ୟବସ୍ଥା କରାଯିବା ଉପରେ ମତ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ସ୍ୱତନ୍ତ୍ର ବିଦ୍ୟାଳୟ ‘ଶ୍ରଦ୍ଧା’ଅନୁଷ୍ଠାନ ତରଫରୁ ସମୁଦାୟ ୪୦ ଜଣ ପିଲାଙ୍କ ମଧ୍ୟରୁ ପ୍ରତିଦିନ ୧୦ ଜଣ ପିଲାଙ୍କୁ ନେଇ ସ୍ୱତନ୍ତ୍ର ଶିକ୍ଷା ଏବଂ ବୈଷୟିକ ତାଲିମ୍‍ ତଥା ଥେରାପୀ ପ୍ରଦାନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଏମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାକ୍ଷୀ ତିଆରି କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ରାକ୍ଷୀ ପାଇଁ ୧ ସପ୍ତାହ ପୂର୍ବରୁ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି। ରାକ୍ଷୀ ନିଜେ ତିଆରି କରିବେ ଆଉ ଅନ୍ୟମାନଙ୍କ ହାତରେ ରାକ୍ଷୀ ବାନ୍ଧିବେ। ଏଭଳି ପରମ୍ପରା ଏହି ଅନୁଷ୍ଠାନରେ ବହୁ ପୂର୍ବରୁ ଚାଲିଆସିଛି। ଆଉ ଏମାନଙ୍କୁ ମାର୍ଗଦର୍ଶନ କରାଉଛନ୍ତି ଅନୁଷ୍ଠାନର ଶିକ୍ଷୟିତ୍ରୀ ସୁଜାତା ରାଉତ, ପ୍ରଭାତୀ ପ୍ରଧାନ, ପ୍ରୀତି ବାରିକ ଓ ଅଞ୍ଜଳି ମହାରଣା। ଏଠାରେ ପଢୁଥିବା ୪୦ ଜଣ ପିଲା ପାଠପଢା ସହିତ ସମସ୍ତ ପର୍ବପର୍ବାଣୀରେ ନିଜକୁ ସାମିଲ୍‍ କରିଥାନ୍ତି। ମହାମାରୀ କରୋନା ଏହି ତାଲିମ୍‍ ବ୍ୟବସ୍ଥାରେ ବାଧକ ସାଜିଛି। ତଥାପି ଏହି ଛାତ୍ରଛାତ୍ରୀଙ୍କ ମନୋବଳ ଭାଙ୍ଗି ଯାଇ ନାହିଁ। ପାଖରେ ଥିବା ରଙ୍ଗ ବେରଙ୍ଗର ପେପର, ମାଳି, ଚୁମ୍‍କି ଆଦି ସାମଗ୍ରୀ ଆଣି ରାକ୍ଷୀ ତିଆରି କରୁଛନ୍ତି। ଏମାନେ କେବଳ ରାକ୍ଷୀ ତିଆରି ପରେ ରାକ୍ଷୀ ପୂର୍ଣ୍ଣିମା ଦିନ ନିଜ ସାଙ୍ଗସାଥୀ ପରସ୍ପର ରାକ୍ଷୀ ବାନ୍ଧିଥାନ୍ତି। ଏହାବ୍ୟତୀତ ବିଭିନ୍ନ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟକୁ ଯାଇ ରାକ୍ଷୀ ବାନ୍ଧିଥାନ୍ତି। ଚଳିତ ବର୍ଷ ବାହାରକୁ ଯାଇ ପାରିବା ସମ୍ଭବ ନୁହେଁ ବୋଲି ମନ ଦୁଖ ହେଉଛି। କିନ୍ତୁ ନିଜ ଅଭ୍ୟାସକୁ ଛାଡ଼ି ନାହାଁନ୍ତି। ଏସମ୍ପର୍କରେ ଶ୍ରଦ୍ଧାର ସାଧାରଣ ସମ୍ପାଦକ କାର୍ତିକ ପାଣ୍ଡବ କହିଛନ୍ତି ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ଲୋକ ସମ୍ପର୍କ ବୃଦ୍ଧି କରାଇଥାଏ। ରାକ୍ଷୀର ମହତ୍ୱକୁ ଏହା ପ୍ରତିପାଦିତ କରେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶରେ ଏହାର ସଫଳ ପ୍ରଭାବ ପଡ଼ିଥାଏ ବୋଲି ସେ କହିଛନ୍ତି।

Comments are closed.