ସ୍ୱତନ୍ତ୍ର ଆପ୍ ଜରିଆରେ ପରିଚାଳିତ ହେବ ଶୀତଳ ଭଣ୍ଡାର

ରାଉରକେଲା: ରାଉରକେଲା ସହରରେ କ୍ଷୁଦ୍ର ପନିପରିବା ଓ ଫଳ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ଥିବା ଶୀତଳଭଣ୍ଡାରର ଡିଜିଟାଇଜେସନ କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ଜରିଆରେ ଶୀତଳଭଣ୍ଡାରର କିପରି ପରିଚାଳନା କରାଯିବ ଏବଂ ବିଶେଷକରି ଛୋଟ ଛୋଟ ଚାଷୀମାନେ କିପରି ଏଥିରୁ ଲାଭ ଉଠାଇ ପାରିବେ ସେ ନେଇ ରାଉରକେଲା ମହାନଗର ନିଗମ ଏବଂ କୋଏଲ ଫ୍ରେସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ କୃଷକ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କୁ ତାଲିମ ଦିଆଯାଇଥିଲା। ସ୍ଵିଜରଲ୍ୟାଣ୍ଡ ଭିତ୍ତିକ ବେସ୍ ଓ ଏମ୍ପା କମ୍ପାନି ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେଇଛନ୍ତି।

ଏହି ତାଲିମ କାର୍ଯ୍ୟକ୍ରମକୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଥିଲେ। ଶୀତଳ ଭଣ୍ଡାରର ଡିଜିଟାଇଜେସନର ଗୁରୁତ୍ୱ ଏବଂ ଏହା ଚାଷୀମାନଙ୍କ ଆୟ ବୃଦ୍ଧିରେ କିପରି ସହାୟକ ହେବ ତା’ ଉପରେ କମିଶନର କହିଥିଲେ। ବ୍ଲୁମବର୍ଗ ଫିଲାନଥ୍ରୋପିଜ୍-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ଅଧୀନରେ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହାର ପରିଚାଳନା କରୁଥିବା ମହିଳା ସହାୟକ ଗୋଷ୍ଠୀକୁ ସେମାନଙ୍କ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ସେ ପ୍ରଶଂସା କରିଥିଲେ।

ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇଥିବା ରାଉରକେଲାର ମା’ ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସୁନ୍ଦରଗଡ଼ର ଚେଡଲାଗାନ କୃଷକ ଉତ୍ପାଦକ ଗୋଷ୍ଠୀ ଏବଂ ନୂଆଗାଁର ଭୂମିଲକ୍ଷ୍ମୀ କୃଷକ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କୁ ଟାବଲେଟ୍ ବଣ୍ଟନ କରାଯାଇଥିଲା। ଏହା ମାଧ୍ୟମରେ ସେମାନେ ଆପ୍ ବ୍ୟବହାର କରି ଶୀତଳଭଣ୍ଡାର ପରିଚାଳନା ବରିବା ସୁବିଧାଜନକ ହୋଇପାରିବ। କୋଏଲ ଫ୍ରେସର ମୁଖ୍ୟ ଉପଦେଷ୍ଟା ପ୍ରବୋଧ ରଞ୍ଜନ ପାଢି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ପ୍ରଶଂସା କରିଥିଲେ।

ଶୀତଳଭଣ୍ଡାର ନଥିବାରୁ ରାଉରକେଲା ସହରର ଛୋଟ ଛୋଟ ବ୍ୟବସାୟୀମାନେ ପନିପରିବା ସଂରକ୍ଷିତ କରି ରଖିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ କରାଯାଉଛି। ଏହାସହ ଶୀତଳ ଭଣ୍ଡାରର ଉପକାରିତା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯାଉଛି।

ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ନିଜ ଉତ୍ପାଦନକୁ ନେଇ ପୂର୍ବରୁ ଚାଷୀ ବା ବ୍ୟବସାୟୀମାନଙ୍କର ଯେଉଁ ଚିନ୍ତା ରହୁଥିଲା ତାହା ଦୂର ହୋଇପାରିବ। ଏହା ଫଳରେ କ୍ଷୁଦ୍ର ଚାଷୀମାନେ ଲାଭବାନ ହେବେ। ପୂର୍ବରୁ ଯେଉଁ ପନିପରିବା ସବୁ ନଷ୍ଟ ହେଉଥିଲା ଶୀତଳଭଣ୍ଡାର ବ୍ୟବସ୍ଥା ତାହା ସଂରକ୍ଷିତ ହୋଇ ରହିପାରିବ। କ୍ଷତି କମିବା ସହ ଚାଷୀଙ୍କ ଆୟ ବଢ଼ିବ। ପନିପରିବା ପଚି ସଢ଼ି ଯିବା ଫଳରେ ଯେଉଁ ଗ୍ୟାସ ନିର୍ଗତ ହେଉଥିଲା ତାହା ମଧ୍ୟ ହ୍ରାସ ପାଇ ପାରିବ। ଚାଷୀମାନେ ନିଜ ପନିପରିବାକୁ ଶୀତଳଭଣ୍ଡାରରେ ରଖିବା ଲାଗି କିଛି ଦେୟ ଦେବାକୁ ପଡ଼ିବ। ଫଳରେ ଏସଏଚଜି ମା’ମାନଙ୍କ ପାଇଁ ‘କୁଲିଂ ଆଜ୍ ଏ ସର୍ଭିସ୍’ ବା ଶୀତଳ ଭଣ୍ଡାର ସୁବିଧା ଆୟର ଏକ ମାଧ୍ୟମ ହୋଇପାରିବ।

Comments are closed.