ଚୋରାବାଣର ଚକ୍ରବ୍ୟୁହରେ ସବୁଜ ଦୀପାବଳି: ଦୀପ ଗଢୁଛି କୁମ୍ଭକାର, ବାଣ ବ୍ୟବସାୟ ପ୍ରଭାବିତ

ସାରନଗରୀ: ଆଲୋକର ପର୍ବ ଦିପାବଳୀ ଆସିବାକୁ ଆଉ ଅଳ୍ପଦିନ ବାକି ରହିଥିବା ବେଳେ, ଚଳିତ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନରୀରେ ପରିବାର ସହ ସବୁଜ ଦୀପାବଳି ପାଳନ କରିବାକୁ କିଛି ଲୋକ ପ୍ରାକ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ଅପରପକ୍ଷରେ, ଚୋରା ବାଣ ବିକ୍ରି ଓ ବ୍ୟବହାର ସବୁଜ ଦୀପାବଳିକୁ ହୁଏତ ଫିକା କରି ଦେଇପାରେ। ଦକ୍ଷିଣ ରାଉରକେଲା ସମେତ ସାରନଗରୀ ଅଂଚଳର କିଛି ବାଣ ବ୍ୟବସାୟୀ ଦୀପାବଳିରେ ବାଣ ବିକ୍ରି କରି ବେଶ ଭଲ ପଇସା ରୋଜଗାର କରିବା ଆଶାରେ ରହିଥିବାରୁ, ଚୋରା ବାଣର ଚକ୍ରବ୍ୟୁହରେ ସବୁଜ ଦୀପାବଳି ଆସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ବାଣ ବ୍ରିକି ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ନମିଳିବା ଆଶଙ୍କାକୁ ଭିତି କରି କିଛି ବାଣ ବେପାରୀ ପଡୋଶୀ ଛତିଶଗଡ଼, ଝାଡଖଣ୍ଡ ରାଜ୍ୟରୁ ଚୋରାରେ ବାଣ ଆମଦାନୀ କରୁଥିବା ଜଣାପଡ଼ିଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ବର୍ଷବର୍ଷ ଧରି ଚାଲି ଆସୁଥିବା ବାଣ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଦକ୍ଷିଣ ରାଉରକେଲାର କିଛି ବାଣ ବ୍ୟବସାୟୀ ବାଣ ଗୁଡ଼ିକୁ ଗୁପ୍ତଭାବେ ପରିତ୍ୟକ୍ତ ଘରେ ଗଚ୍ଛିତ ରଖୁଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଦୀପାବଳିରେ ଏଭଳି ଚୋରାବାଣକୁ ଠାବ କରିବା ସହ, ଆଇନ ଖିଲାପକାରୀ ବାଣ ବ୍ୟବସାୟୀଙ୍କ ଉପରେ ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

ଅନ୍ୟ ପଲଷାରେ, ଦୀପାବଳିରେ ଦୀପର ଚାହିଦା ସର୍ବାଗ୍ରେ ରହିଥିବାରୁ, ଏବେ ଦକ୍ଷିଣ ରାଉରକେଲାର ବିଭିନ୍ନ କୁମ୍ଭାରଶାଳରେ କୁମ୍ଭକାର ମାନେ ଦୀପ ଗଢିବାରେ ଦିନରାତି ଏକ କରି ଦେଇଛନ୍ତି। କୁମ୍ଭାର ଶାଳରେ କୁମ୍ଭକାର ପରିବାରବର୍ଗ ଗଢିବାରେ ଲାଗିଛନ୍ତି ନାନା କିସମର ଦୀପ। ଏହି ଦୀପ ଗୁଡ଼ିକର ବଜାର ମୂଲ୍ୟ ବଜାରରେ ପ୍ରତି ଡର୍ଜନ ୬୦ରୁ ୮୦ ଟଙ୍କା ମଧ୍ୟରେ ରହିଛି। ସେହିପରି ବିଭିନ୍ନ ଡିଜାଇନର ଦୀପ ଗୋଟିକର ମୂଲ୍ୟ ୩୦ରୁ ୫୦ ଟଙ୍କା ରହିଥିବା ଜଲଦା ଅଂଚଳର ଜଣେ ବୟସ୍କ କୁମ୍ଭକାର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେହିପରି ଦକ୍ଷିଣ ରାଉରକେଲାର କିଛି କୁମ୍ଭାର ପଡୋଶୀ ରାଜ୍ୟ ଛତିଶଗଡ଼ ସମେତ ଅନ୍ୟ ସହରକୁ ଦୀପ ବିକ୍ରି କରି ବେଶ ଦୁଇ ପଇସା ମିଳୁଛି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଦୀପାବଳି ଅବସରରେ ଦୀପ ଗୁଡ଼ିକ ବାସଗୃହ ପରିସର ତଥା ବ୍ୟବସାୟିକ ସ୍ଥଳରେ ସଜାଇବା ଲାଗି ବ୍ୟବହାର କରାଯାଇଥାଏ।

ସେହିପରି ପୂର୍ବପୁରୁଷମାନଙ୍କୁ ପିଣ୍ଡ ଦାନ ପାଇଁ ମଧ୍ୟ ଦୀପର ଆବଶ୍ୟକତା ପଡ଼ିଥାଏ । କେବଳ ସହରାଂଚଳ ନୁହେଁ, ଦକ୍ଷିଣ ରାଉରକେଲାର ବିଭିନ୍ନ ସହରତଳି ଗ୍ରାମ ଯେପରି ଧରମଡିହି, ଡେଲାକୁଦର, ମନକୋ, ମୁଣ୍ଡାଯୋର, ସୁଇଡ଼ିହି, ରାମଯୋଡ଼ିରେ ବସବାସ କରୁଥିବା କୁମ୍ଭାର ଶ୍ରେଣୀୟ କାରିଗର ମାନେ ଗତ ପ୍ରାୟ ଏକ ମାସ ହେବ ମାଟି ଦୀପ ତିଆରି ପ୍ରସ୍ତୁତିରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଦୀପାବଳି ପୂର୍ବରୁ ଗ୍ରାମାଚଂଳର ଏହି କୁମ୍ଭାରମାନଙ୍କୁ ସାରନଗରୀର ସୁପର ମାର୍କେଟ ସମେତ ଅନ୍ୟ ବଜାରଗୁଡ଼ିକରେ ମାଟି ଦୀପ ଗ୍ରାହକଙ୍କ ଉଦ୍ଦେଶ୍ୟରେ ବିକ୍ରି କରିବା ଦେଖିବାକୁ ମିଳିଥାଏ। ଦୀପ ବିକ୍ରି କରି ସେମାନେ ଦୁଇ ପଇସା ରୋଜଗାର କରିବାକୁ ସକ୍ଷମ ହୋଇଥାନ୍ତି। ଗ୍ରାମାଚଂଳ କୁମ୍ଭାରମାନେ ବଜାର ଦର ଠାରୁ ସାମାନ୍ୟ କମ ମୂଲ୍ୟରେ ନାନା କିସମର ଦୀପ ବିକ୍ରି କରୁଥିବାରୁ ଏଠାରେ ବହୁ ଗ୍ରାହକଙ୍କ ଭିଡ଼ ଜୁଟିବା ଦେଖିବାକୁ ମିଳେ। ଚଳିତ ବର୍ଷ ଦୀପାବଳି ପାଳନ ପାଇଁ ସରକାରଙ୍କ ଏଯାଏ କୌଣସି କୋଭିଡ଼ ମାର୍ଗଦର୍ଶିକା ଆସିନଥିବା ବେଳେ, ଆଲୋକର ପର୍ବକୁ ସବୁଜ ଦୀପାବଳି ଭାବେ ପାଳନ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Comments are closed.