ସରକାରୀ କୋଠାରେ ହେବ ସୌରଶକ୍ତି ପ୍ରକଳ୍ପ, ସ୍ମାର୍ଟ ସିଟି ରାଉରକେଲାରେ ଗ୍ରିନ ଏନର୍ଜି ବ୍ୟବହାର ଉପରେ ଗୁରୁତ୍ୱ

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ସୌରଶକ୍ତି ବ୍ୟବହାରକୁ ଉତ୍ସାହିତ କରାଯିବ। ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସରକାରୀ କୋଠାରେ ୫୪ଟି ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ଏହା ସହିତ ରାଉରକେଲାବାସୀ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଏହି ଅକ୍ଷୟ ଶକ୍ତିର ବ୍ୟବହାର କରିବେ ସେଥିଲାଗି ମହାନଗର ନିଗମ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।

ବିଭିନ୍ନ ପ୍ରକାରର ପାରମ୍ପରିକ ଶକ୍ତି ଓ ଇନ୍ଧନର ବ୍ୟବହାର ଫଳରେ ଆମ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଛି। ବାୟୁମଣ୍ଡଳରେ ଅଧିକ ପରିମାଣର ଅଙ୍ଗାରକାମ୍ଳ ସୃଷ୍ଟି ହେବା ଫଳରେ ତାହା ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନ ସୃଷ୍ଟି କରୁଛି। ତେଣୁ ଏହାର ମୁକାବିଲା ଲାଗି ପରିବେଶ ଅନୁକୂଳ ସୌରଶକ୍ତିର ବ୍ୟବହାର ଉପରେ ସାରା ବିଶ୍ୱ ଗୁରୁତ୍ୱ ଦେଉଛି। ଏ ଦିଗରେ ବିଧିବଦ୍ଧ ଭାବେ କାର୍ଯ୍ୟ କରିବାକୁ ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ପ୍ରଶାସନ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

ସହରରେ ଗ୍ରୀନ ଏନର୍ଜିକୁ ପ୍ରୋତ୍ସାହନ ଦେବା ପାଇଁ ସରକାରୀ କୋଠାରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସରକାରୀ କୋଠାରେ ୫୪ଟି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୪ଟି ସରକାରୀ କୋଠାରେ ଏହା ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଅଧୀନରେ ଥିବା ହଷ୍ଟେଲ, ଷ୍ଟାଡିୟମ ଏବଂ ତାଲିମ କେନ୍ଦ୍ର ଆଦି କୋଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ। ଏନେଇ ରାଉରକେଲା ମହାନଗର ନିଗମ ଏବଂ ସ୍ଥାନୀୟ କୃଷି ଓ ବୈଷୟିକ ଷ୍ଟାର୍ଟଅପ୍ କୋଏଲ ଫ୍ରେସ୍ ପ୍ରାଇଭେଟ୍ ଲିମିଟେଡ୍ ଭିତରେ ନିକଟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ସେହିଭଳି ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ସୌରଶକ୍ତିର ବ୍ୟାପକ ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରାଯିବ। ସାଧାରଣ ଲୋକ ଘରେ ଘରେ ସୋଲାର ପ୍ୟାନେଲ ବସାଇ ସୌରଶକ୍ତି ଉତ୍ପାଦନ କରି ନିଜର ଆବଶ୍ୟକତା ପୂରଣ କରିପାରିବେ। ସେହିପରି ଘରୋଇ ସଂସ୍ଥାଗୁଡ଼ିକୁ ମଧ୍ୟ ଏଥିପାଇଁ ଉତ୍ସାହିତ କରାଯିବ।

“ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ସୌରଶକ୍ତିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଭିନ୍ନ ସରକାରୀ କୋଠାରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ଏହା ଫଳରେ ସହରରେ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇ ପାରିବ। ଏହାର ବ୍ୟାପକ ବ୍ୟବହାର ଫଳରେ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ସୁଦୃଢ଼ ହେବା ସହ ଲୋକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରାଯାଇପାରିବ’’, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଦିବ୍ୟଜ୍ୟୋତି ପରିଡ଼ା।

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ମଧ୍ୟ ୩୨ଟି ବସ୍ତିରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଓ ସୋଲାର ୱାଲ ମାଉଣ୍ଟେଡ୍ ଲାଇଟ୍ ଲଗାଯିବାର ପ୍ରସ୍ତାବ ରହିଛି। ଏହାସହ ଡିଏଭି ପୋଖରୀ ଆଖପାଖ ଅଞ୍ଚଳରେ ୩୦ ମେଗାୱାଟ ବିଶିଷ୍ଟ ସୋଲାର ପାର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି।

‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ନିକଟରେ ରାଉରକେଲା ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଛି। ଏହି ପ୍ରତିଯୋଗିତା ପାଇଁ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସୗରଚାଳିତ ଶୀତଳଭଣ୍ଡାର ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ଏହି ଶୀତଳ ଭଣ୍ଡାର ସ୍ଥାପନ ହେଲେ ରାଉରକେଲା ଅଞ୍ଚଳର ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣକୁ ନେଇ ଯେଉଁ ଅସୁବିଧା ଭୋଗୁଛନ୍ତି ତା’ର ସମାଧାନ ହୋଇପାରିବ। ଏହା ସହିତ ବ୍ୟାଟେରିଚାଳିତ ଗାଡ଼ି ବ୍ୟବହାର କରି ଲୋକଙ୍କ ଦୁଆର ମୁହଁରେ ତାଜା ପନିପରିବା ଓ ଫଳ ପହଞ୍ଚାଯିବ। ଏ ସମସ୍ତ କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରିବେ।

Comments are closed.