ରାଉରକେଲାରେ କୋଭିଡ ନିୟମ ଉଲ୍ଲଙ୍ଘନ, ଦୁଇଟି କ୍ଲବ ସିଲ

ରାଉରକେଲା: କରୋନା ଦ୍ୱିତୀୟ ଲହର ସାରା ଦେଶରେ ଓ ରାଜ୍ୟରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ପୁଣି ତୃତୀୟ ଲହର ଆସୁଥିବା ନେଇ ବିଶେଷଜ୍ଞମାନେ ଭବିଷ୍ୟବାଣୀ ଜାରି କରିଛନ୍ତି। ତାଲା ବନ୍ଦ ହିଁ କରୋନା ନିୟନ୍ତ୍ରଣର ଏକ ଅମୋଘ ଅସ୍ତ୍ର। ସବୁ ଦେଶ ଓ ରାଜ୍ୟ ଏହାକୁ ଅନୁସୃତ କରୁଛନ୍ତି। କୋଭିଡ ନିୟମ ପାଳନ କରିବାକୁ ସରକାର କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ରାଉରକେଲା ସହରର ଦୁଇଟି ଅାଭିଜାତ୍ୟପୂର୍ଣ୍ଣ ରାଉରକେଲା କ୍ଲବ ଓ ଜର୍ମାନ କ୍ଲବରେ କୋଭିଡ ନିୟମ ଉଲ୍ଲଙ୍ଘନ ହୋଇଛି ଏବଂ ଏଠାରେ ମଦ ମାଂସର ଆସର ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଏକ ଘଟଣାକ୍ରମରେ ପୁଲିିସ ଓ ମହାନଗର ନିଗମର ମିଳିତ ଚଢ଼ଉ ବେଳେ ଆର୍ଏସ୍‌ପିର ଜଣେ ଡିଜିଏମ୍‌ଙ୍କ ସମେତ ଅନ୍ୟମାନେ ଧରାପଡ଼ିଛନ୍ତି। ପୁଲିସ ହାତରେ ଧରାପଡ଼ି ବେଶ୍ ହଟହଟ୍ଟା ହୋଇଥିବା ବେଳେ ଦୁଇଟି ଯାକ କ୍ଲବକୁ ପୁଲିସ ସିଲ କରି ଦେଇଛି। ସହରରେ ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ମହାମାରୀ କୋଭିଡକୁୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଗତ ମଇ ୫ ତାରିଖରୁ ତାଲା ବନ୍ଦ ଘୋଷଣା କରିଛନ୍ତିି। କ୍ଲବ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ଖୋଲିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଗତ ଦୁଇ ମାସ ହେଲା ଏହି ନିୟମ ସାରା ରାଜ୍ୟରେ ଲାଗୁ ହୋଇଛି। ମାତ୍ର ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଜର୍ମାନ କ୍ଲବ ଓ ରାଉରକେଲା କ୍ଲବ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ସ୍ପଷ୍ଟ ହୋଇ ଯାଇଛି। ହୋଟେଲରୁ ଖାଦ୍ୟ ପ୍ୟାକିଂ କରି ଘରକୁ ନେଇ ଯିବାକୁ ନିୟମ ରହିଥିଲା ବେଳେ ଏହି ଦୁଇ କ୍ଲବ ଖାତିର କରୁନଥିଲେ। ଏପରିକି ଦୁଇ କ୍ଲବରେ ନିୟମିତ ଭାବେ ମଦର ଆସର ଜମୁ ଥିଲା। କ୍ଲବର ବିିଭିନ୍ନ କୋଠରୀରେ ପରସା ଟେବୁଲ (ଡାଇନିଂ) ସାଜସଜ୍ଜା ହୋଇ ରହୁଥିଲେ। ଦଳ ଦଳ ହୋଇ ଲୋକେ ସେଠାରେ ମଦ ପିଉଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସର ଜମୁଥିଲା। ଦୁଇଟି ଯାକ କ୍ଲବରେ ଏପରି ନିୟମିତ ବେଆଇନ କାମ ଚାଲୁ ଥିବା ନେଇ କ୍ଲବର କିଛି କର୍ମଚାରୀ ଗୁପ୍ତରେ ମହାନଗର ନିଗମକୁ ସୂଚନା ଦେଇ ଦେଇଥିଲେ। ଗତକାଲି ରାତିରେ ମହାନଗର ନିଗମର କାର୍ଯ୍ୟବଳ ପ୍ରଥମେ ସେକ୍ଟର-୧୯ ଥାନା ପୁଲିସ ସହାୟତାରେ ରାଉରକେଲା କ୍ଲବରେ ଚଢ଼ଉ କରିଥିଲେ। କ୍ଲବର ପ୍ରଥମ ମହଲା ଖାଇବା ଘରେ ଏକ ବଡ଼ ଟେବୁଲରେ ବିଭିନ୍ନ ବିଦେଶୀ ମଦ ପରସା ଯାଉଥିଲା। ଏହା ସହିିତ ମାଛ, ମାଂସ, ଚିକେନ ସମେତ ବିଭିନ୍ନ ପ୍ରକାର ଚାଖନା ଟେବୁଲରେ ଭରି ଯାଇଥିଲା।

 

କେବଳ ଏତିକି ନୁହେଁ ଷ୍ଟିଲ ପ୍ଲାଣ୍ଟର ଜଣେ ଡିଜିଏମ୍ ତାଙ୍କ ସହକର୍ମୀ ଓ ସାଙ୍ଗସାଥୀଙ୍କୁ ମେଳ କରି ମଦ୍ୟ ପାନ କରୁଥିବା ବେଳେ ଧରା ପଡ଼ି ଯାଇଥିଲେ। ଏହାର ଫଟୋ ଓ ଭିଡିଓ କିଛି କର୍ମଚାରୀ ମୋବାଇଲରେ ଉତ୍ତୋଳନ କରିଥିଲେ। ଏସବୁ ଘଟଣା ପରେ ସଂପୃକ୍ତ ଡିଜିଏମ୍ ଓ ଅନ୍ୟାନ୍ୟ ଅଧିକାରୀମାନେ ମୁହଁରେ ମାକ୍ସ ଗୁଡ଼େଇ ସେଠାରୁ ଖସି ପଳାଇଥିଲେ। ପୁଲିସ ଦଳ କ୍ଲବ ସିଲ କରି ଦେଇଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଲା ଡିଜିଏମ୍ ଜଣକ କୋଭିଡର ନୋଡାଲ ଅଧିକାରୀ ଅଛନ୍ତିି। ରକ୍ଷକ ଯଦି ଭକ୍ଷକ ସାଜିବ ଏହାଠାରୁ ବଡ଼ ବିଡ଼ମ୍ବନା କ’ଣ ହୋଇପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ପରେ ଏହି ଟିମ୍ ପୁଣି ସେକ୍ଟର-୨ର ଜର୍ମାନ କ୍ଲବରେ ଚଢ଼ଉ କରିଥିଲେ। ସେଠାରେ ମଧ୍ୟ ମଦର ଆସର ଜମି ଥିଲା। ପୁଲିସ ଗୋଡ଼େଇବାରୁ ମଦୁଆ ଦଳ ଯିଏ ଜୁଆଡ଼େ ପାରିଲେ ଦୌଡ଼ି ପଳାଇଥିଲେ। ପୁଲିସ କ୍ଲବ ସିଲ କରି ଦେଇଥିଲା। ଆଜି ସକାଳେ ପୁଣି ପୁଲିସ, ଅବକାରୀ ଓ ଆର୍ଏମସି କାର୍ଯ୍ୟବଳ ଦୁଇଟି କ୍ଲବରେ ଚଢ଼ଉ କରି ସଂପୂର୍ଣ୍ଣ ସିଲ କରି ଦେଇଛନ୍ତି। ଗତକାଲିର ଏହି ଘଟଣା ଆଜି ସହର ସାରା ଚର୍ଚ୍ଚାର ବିଷୟ ହୋଇଛି। ଦୁଇଟି କ୍ଲବର ମୁଖ୍ୟ ଫାଟକରେ ତାଲା ପଡ଼ିଥିଲା। କ୍ଲବର ପଛ ପଟେ ଏକ ଗଳାବାଟରେ ଲୋକେ ଭିତରେ ପଶି ମଦ ପିଉଥିଲେ। ପୁଲିସ ସେହି ଉପରେ ଗଳାବାଟେ ପଶି କ୍ଲବରେ ଚଢ଼ଉ କରିଥିଲା। ତେବେ କୋଭିଡ ନିୟମ ଭଙ୍ଗ କରିଥିବାରୁ ଦୁଇଟି କ୍ଲବର ସମ୍ପାଦକଙ୍କୁ ଆର୍ଏସ୍‌ପି କାରଣଦର୍ଶାଅ ନୋଟିସ ଜାରି କରିଛି। ଏହି ଘଟଣା ପରେ ରାଉରକେଲା କ୍ଲବ ସମ୍ପାଦକ ତାଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସଂପୃକ୍ତ ଡିଜିଏମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଆର୍ଏସ୍‌ପି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆଜି ଛୁଟି ଦିନ ଥିବାରୁ ଆସନ୍ତାକାଲି ଦୁଇଟି କ୍ଲବରୁ ଜରିମାନା ଆଦାୟ କରାଯିବ ବୋଲି ଆର୍ଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ସେହିପରି ଆର୍ଏମସି ଏତଲା ଦେଲା ପରେ କୋଭିଡ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହେବ ବୋଲି ପୁଲିସ ସୂଚନା ଦେଇଛି।

Comments are closed.