ବୃତ୍ତି ମୋର ପୋଷେ କୁଟୁମ୍ବ , ପେଟ ପାଇଁ ଗଛ ମୂଳେ ରାଜ୍ୟ ବାହାର ବ୍ୟବସାୟୀ

ସାରନଗରୀ : କଥାରେ ଅଛି ବୃତ୍ତି ମୋର ପୋଷେ କୁଟୁମ୍ବ । ଏଣୁ ମନୁଷ୍ୟ ସତ ଉପାୟରେ ଯେକୌଣସି କାର୍ଯ୍ୟ ସମ୍ପାଦନ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ତେଲଲୁଣର ସଂସାର ରଥକୁ ଆଗକୁ ନେଇଥାଏ। ମାତ୍ର ସମୟ ସମୟରେ ଭାଗ୍ୟର ବିଡ଼ମ୍ବନା ଯୋଗୁ ବ୍ୟକ୍ତି ଜଣଙ୍କୁ ନାନାଦି ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡ଼ିଥାଏ। ଏବେ ଏପରି ଘଟଣା ସାମାନାକୁ ଆସିଛି। ସୁଦୂର ଉତରପ୍ରଦେଶ ରାଜ୍ୟର ଆହ୍ଲାବାଦରୁ କେଇଜଣ ଗିନି ଫଓଲ କୁକୁଡ଼ା ବ୍ୟବସାୟୀ କୁକୁଡ଼ା ବ୍ରିକି କରିବା ଉଦ୍ଦେଶ୍ୟରେ ଓଡ଼ିଶା ମୁହାଁ ହୋଇଛନ୍ତି। ଯାତ୍ରା ପଥରେ ବିଭିନ୍ନ ଜାଗାରେ ସେମାନଙ୍କୁ ବିଶ୍ରାମ ପାଇଁ ଅଟକିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ବ୍ୟବସାୟୀ ଛୋଟେଇ ସୋନକର। ତାଙ୍କ ସହିତ ଅଛନ୍ତି ତାଙ୍କର ଅନ୍ୟ ଦୁଇ ସହଯୋଗୀ ବେପାରୀ ଛୋଟୁ ସୋନକର ଓ ଗୁଡୁ ସୋନକର। ବର୍ତ୍ତମାନ ସମୁଦାୟ ୫ ଜଣ କୁକୁଡ଼ା ବ୍ୟବସାୟୀଙ୍କୁ ଲାଠିକଟା ବ୍ଲକର ତୁରିବେର୍ଣ୍ଣା ଛକ ଠାରୁ କିଛି ଦୂରରେ ଦେଖିବାକୁ ମିଳିଥିଲା। ଏକ ଅଜଣା ସ୍ଥାନରେ ପହଂଚିବା ପରେ କୌଣସି ଜାଗାରେ ମୁଣ୍ଡ ଗୁଂଜିବାକୁ ଆଶ୍ରୟ ନଥିବାରୁ ଏକ ଆମ୍ବଗଛ ମୂଳେ ପଲିଥିନ ବାନ୍ଧି ସେମାନେ କଷ୍ଟମଷ୍ଟେ ରହିଥିବା ଦେଖିବାକୁ ମିଳିଛି। କୁକୁଡ଼ା ବ୍ରିକୟ କରି ପେଟ ପାଇଁ ଦୁଇ ମୁଠା ଦାନା ଯୋଗାଡ଼ କରୁଛନ୍ତି ଏହି ବାହାର ରାଜ୍ୟର ବ୍ୟବସାୟୀ।

ଏହି କୁକୁଡ଼ା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଏଭଳି ପ୍ରଜାତିର କୁକୁଡ଼ା ଗିନି ଫଓଲ କୁକୁଡ଼ା। ଯାହାର ରଙ୍ଗ ପାଉଁଶିଆ କଳା। ଏହି କୁକୁଡ଼ା ମାନଙ୍କ ପ୍ରଧାନ ଖାଦ୍ୟ ଧାନ, ଚାଉଳ, ବାଜରା ଓ ଗହମ ହୋଇଥାଏ। ଗୋଟିଏ ମାଈ କୁକୁଡ଼ା ୬ ମାସରେ ପ୍ରାୟ ୧୮୦ଟି ଅଣ୍ଡା ଦେଇଥାଏ। ୨ ଯୋଡ଼ା କୁକୁଡ଼ାର ମୂଲ୍ୟ ୬୦୦ ଟଙ୍କା ରଖିଛନ୍ତି ଆହ୍ଲାବାଦର ଏହି କୁକୁଡ଼ା ବ୍ୟବସାୟୀ। ଅପରପକ୍ଷରେ ଗତ କିଛି ଦିନ ହେଲା ହାଡଭଙ୍ଗା ଶୀତ ଏମାନଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି। ଦିନବେଳା ଏଣେତେଣେ ବୁଲି କୁକୁଡ଼ା ବିକ୍ରି କରୁଥିବା ବେଳେ, ରାତ୍ରି ସମୟରେ ଏହି ବ୍ୟବସାୟୀ ମାନଙ୍କୁ ବହୁ କଷ୍ଟରେ ଗଛ ତଳେ ଆଶ୍ରୟ ନେବାକୁ ପଡୁଛି। ନିଜକୁ ତଥା ସାଙ୍ଗରେ ଆଣିଥିବା କୁକୁଡ଼ା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ବ୍ୟବସାୟୀ ମାନଙ୍କୁ ପ୍ରତିଦିନ ଜଣେ ପାଳି କରି ରାତିରେ ଅନିଦ୍ରା ହୋଇ ପହରା ଦେଉଛନ୍ତି। ଅନ୍ଧାର ରାତିରେ ବିଭିନ୍ନ ଜୀବଜନ୍ତୁ ଓ ସର୍ପ ଭୟ ରହିବା ସ୍ୱାଭାବିକ। ଏଣୁ ପେଟପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଏହି ଗିନି ଫଓଲ ଶ୍ରେଣୀୟ କୁକୁଡ଼ା ବ୍ରିକୟ କରୁଥିବା ବାହାର ରାଜ୍ୟର ବ୍ୟବସାୟୀ। ଏହି ବାହାର ବ୍ୟବସାୟୀ ମାନଙ୍କ ସାମୟିକ ରାତ୍ରି ରହଣି ପାଇଁ ପ୍ରଶାସନିକ ସହାୟତା ନିହାତି ଭାବେ ଲୋଡ଼ା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Comments are closed.