ରାଉରକେଲା ସହରରୁ ଦୈନିକ ବାହାରୁଛି ୧୦୨ ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ, ସ୍ୱଚ୍ଛ ସର୍ବେକ୍ଷଣ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୂଆ ବ୍ୟବସ୍ଥା

ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ରୂପାନ୍ତରଣ ପାଇଁ ପ୍ରସ୍ତୁତି, ଅତ୍ୟାଧୁନିକ ଉପକରଣ ସହ ୮୩ଟି ନୂତନ ଯାନ ବ୍ୟବହାର ହେବ

ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରୁ ପ୍ରତିଦିନ ପ୍ରାୟ ୧୦୨ ମେଟ୍ରିକ ଟନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଅଛି। ସ୍ୱଚ୍ଛ ରାଉରକେଲା ନିମନ୍ତେ ପଦକ୍ଷେପ ସ୍ୱରୁପ ମହାନଗର ନିଗମର ସଫେଇ କର୍ମଚାରୀ ମାନେ ପ୍ରତିଟି ଘରୁ ଟ୍ରାଇ ସାଇକେଲ ଯୋଗେ ପୃଥକୀକୃତ ଆବର୍ଜନା ସଂଗ୍ରହ କରୁଛନ୍ତି। ଏଥିସହିତ ଅନ୍ୟାନ୍ୟ ଅଞ୍ଚଳ ପାଇଁ ହ୍ୱିଲ୍ ବାରୋ ଆଦିର ବ୍ୟବହାର କରାଯାଉଛି, ଯାହାକି ସଂପୂର୍ଣ୍ଣ ଭାବେ ମାନୁଆଲ ପଦ୍ଧତିରେ କରାଯାଉଛି। ତେବେ ପରିମଳ ବ୍ୟବସ୍ଥାର ସୁପରିଚାଳନା କରିବା ତଥା ଏହାର ସୁଦୃଢ଼ିକରଣ ନିମନ୍ତେ ନିଗମ ଅଧିକ ଯନ୍ତ୍ରପାତି ତଥା ଯାନବାହାନର ଆବଶ୍ୟକତାକୁ ଅନୁଭବ କରି ତଦନୁଯାୟୀ ଯୋଜନା ପ୍ରସ୍ତୁତ କରିଥିଲା। ଏହାର ଲକ୍ଷ୍ୟ ଥିଲା ସମୟ ସଞ୍ଚୟ କରିବା ଓ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରଭାବଶାଳୀ ଢଙ୍ଗରେ କରିବା। ରାଉରକେଲା ମହାନଗର ନିଗମ ଓ ଜିଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ଼ଙ୍କ ମିଳିତ ପ୍ରୟାସରେ ଏବେ ଏହି ଯୋଜନା ଖୁବଶୀଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି।
ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଉନ୍ନତ ବର୍ଜ୍ୟବସ୍ତୁ ପରିଚାଳନା ଓ ବୈଜ୍ଞାନିକ ପଦ୍ଧତିରେ ଏହାର ପ୍ରକ୍ରିୟାକରଣ ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବବର୍ଷ ମାନଙ୍କ ଅପେକ୍ଷା ଗତବର୍ଷ ସ୍ୱଚ୍ଛ ସର୍ବେକ୍ଷଣରେ ନିଗମ ଭଲ ନମ୍ବର ରଖିଥିଲା। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ରେ ମଧ୍ୟ ଗତବର୍ଷ ଅପେକ୍ଷା ଭଲ ପ୍ରଦର୍ଶନ କରିବା ଲାଗି ନିଗମ ଜୋରସୋରରେ ପ୍ରୟାସ ଜାରି ରଖିଛି।
ରାଉରକେଲା ସହରର ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବଳିଷ୍ଠ ପଦକ୍ଷେପ ନିଆଯାଉଛି। ଜିଲା ଖଣିଜ ପ୍ରତିଷ୍ଠାନ, ସୁନ୍ଦରଗଡ଼ଙ୍କ ଆର୍ଥିକ ସହଯୋଗରେ ନିଗମ ୮୩ଟି ନୂତନ ଯାନ ସାମଗ୍ରିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ବ୍ୟବହାର କରିବା ନିମନ୍ତେ ଯାଉଅଛି। ଏଥିମଧ୍ୟରୁ ଅଧିକାଂଶ ଯାନ ତଥା ଉପକରଣ ନିମନ୍ତେ ଜିଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହଯୋଗ ଯୋଗାଇଥିବା ବେଳେ, ଅନ୍ୟ ଯାନ ତଥା ଉପକରଣ ଗୁଡ଼ିକ ନିଗମ ନିଜସ୍ୱ ଖର୍ଚ୍ଚରେ ବ୍ୟବସ୍ଥା କରିଛି। ଏସବୁ ଯାନର ପରିଚାଳନା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବି ନିଗମ ହିଁ ବହନ କରିବ ବୋଲି ଜଣାପଡ଼ିଛି।
ଏହି ନୂଆ ଯାନ ଗୁଡିକ ମଧ୍ୟରେ ରହିଛି ପ୍ରତି ଘରୁ ପୃଥକୀକୃତ ଆବର୍ଜନା ସଂଗ୍ରହ ନିମନ୍ତେ ହୁପର ଟିପର ଡମ୍ଫର୍, ହାଇଡ୍ରୋଲିକ ବ୍ୟବସ୍ଥା ଯୁକ୍ତ ବ୍ୟାଟେରୀ ଚାଳିତ ଯାନ, ଗାର୍ବେଜ୍ ବିନ୍ ଉଠାଇବା ଲାଗି ମିନି ଟିପ୍ପର୍, ଟ୍ରଲି ଯୁକ୍ତ ଟ୍ରାକ୍ଟର, ମେକାନିକାଲ ରୋଡ୍ ସଫେଇ ଯାନ, ଭାକ୍ୟୁମ୍ ଲିଟର ପିକର୍, ୱାଟର୍ ସ୍ପ୍ରିକଲର୍, ନାଳ ନର୍ଦ୍ଦମା ସଫେଇ ଯାନ, ଫଗିଂ ମେସିନ୍ ଯୁକ୍ତ ଯାନ। ସେହିପରି ଅତ୍ୟାଧୁନିକ ଉପକରଣ ମଧ୍ୟରେ ରହିଛି ପାର୍କ ମଧ୍ୟରେ ଅଳିଆ ଉଠାଇବା ଲାଗି ଭାକ୍ୟୁମ୍ ଲିଟର ପିକର୍, ପେଟ୍ରୋଲ ଚେନ୍ ସ, ବ୍ୟାକ୍ ପ୍ୟାକ୍ ଲିଫ୍ ବ୍ଲୋଅର୍, ଘାସ କଟା ଯନ୍ତ୍ର, ସକ୍ସନ୍ ଏବଂ ଜେଟିଂ ମେସିନ୍ ଇତ୍ୟାଦି।
ରାଉରକେଲା ମହାନଗର ନିଗମ ଏବେ ନୂତନ ଭାବେ ନିଜସ୍ୱ ଖର୍ଚ୍ଚରେ ଜେମ୍ ପୋର୍ଟାଲ୍ ମାଧ୍ୟମରେ ନଅ ଗୋଟି ହାଇଡ୍ରୋଲିକ ବ୍ୟବସ୍ଥା ଯୁକ୍ତ ବ୍ୟାଟେରୀ ଚାଳିତ ଯାନ କ୍ରୟ କରିଥିବା ବେଳେ ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକଙ୍କ ଆବର୍ଜନା ସଂଗ୍ରହ ଲାଗି ୨ଟି ସ୍ୱତନ୍ତ୍ର ଯାନ ଏବଂ ନିର୍ମାଣ ସାମଗ୍ରୀ ସମ୍ବନ୍ଧୀୟ ଆବର୍ଜନା ସଂଗ୍ରହ ନିମନ୍ତେ ଦୁଇଟି ଟ୍ରାକ୍ଟର ନିୟୋଜିତ କରିଛି।
ଏତଦବ୍ୟତୀତ ଅନ୍ୟାନ୍ୟ ଯାନ ଗୁଡି଼କ ଖୁବଶୀଘ୍ର କାର୍ୟ୍ୟକ୍ଷମ ହେବାକୁ ଯାଉଛି ଏବଂ ଅଧିକାଂଶ ଗାଡି ସୁନ୍ଦରଗଡର ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ୍ (ଡିଏମ୍ଏଫ୍) ର ଆର୍ଥିକ ସହାୟତା ମାଧ୍ୟମରେ ଏବେ ରାଉରକେଲାରେ ପହଞ୍ଚିସାରିଲାଣି।
ହାଇଡ୍ରୋଲିକ୍ ବ୍ୟବସ୍ଥା ଯୁକ୍ତ ବ୍ୟାଟେରୀ ଚାଳିତ ଅଳିଆ ସଂଗ୍ରହ ଯାନ ସହିତ ହୁପର୍ ଟିପ୍ପର ଡମ୍ପର୍ ପୃଥକ ଭାବରେ ଘରୋଇ ଆବର୍ଜନା ସଂଗ୍ରହ ପାଇଁ ନିଗମର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ବୋଲି ଆଶା ରଖାଯାଇଥିବା ବେଳେ ବିନ୍ ଲିଫ୍ଟର୍ ଯୁକ୍ତ ମିନି ଟିପର୍ ରାସ୍ତା ପାର୍ଶ୍ୱରେ ଥିବା ଗାର୍ବେଜ୍ ବିନ୍ ଗୁଡିକରୁ ଅଳିଆ ଆବର୍ଜନା ଖାଲି କରିବାରେ ସାହାଯ୍ୟ କରିବ ଜ୍ଝ ସେହିପରି ମେକାନିକାଲ ରୋଡ ସ୍ୱିପିଂ ମେସିନ୍ ସହରର ମୁଖ୍ୟ ରାସ୍ତା ତଥା ବଜାର ଅଞ୍ଚଳ ଗୁଡି଼କ ସଫା କରିବା ଲାଗି ନିୟୋଜିତ ହେବ। ସେହିଭଳି ଭେଇକିଲ୍ ମାଉଣ୍ଟେଡ୍ ଭ୍ୟାକ୍ୟୁମ୍ ଲିଟର ପିକର୍, ୱାଟର ସ୍ପ୍ରିଙ୍କଲର, ଓପନ୍ ନାଲ୍ଲା ଡି-ସିଲ୍ଟିଂ ମେସିନ୍ , ଫଗିଂ ମେସିନ୍ ଇତ୍ୟାଦି ସହରରେ ପରିମଳ ରକ୍ଷା ସଂପର୍କିତ କାର୍ୟ୍ୟକଳାପକୁ ମଜବୁତ କରିବ। ପାର୍କଗୁଡ଼ିକ ପାଇଁ ପୋର୍ଟେବଲ୍ ଭ୍ୟାକ୍ୟୁମ୍ ଲିଟର ପିକର୍, ପେଟ୍ରୋଲ୍ ଚେନ୍ ସ, ବ୍ୟାକ୍ ପ୍ୟାକ୍ ଲିଫ୍ ବ୍ଲୋଅର୍, ମେକାନିକାଲ୍ ଘାସ କଟା ଯନ୍ତ୍ର, ସକସନ୍-କମ-ଜେଟିଂ ମେସିନ୍ ଇତ୍ୟାଦି ଯନ୍ତ୍ରଗୁଡ଼ିକ ସହରକୁ ଏକ ସ୍ୱଚ୍ଛ ସହରରେ ପରିଣତ କରିବା ଲାଗି ମହାନଗର ନିଗମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.